ଇଡ୍‌କୋର ନୂଆ ସିଏମ୍‌ଡିଙ୍କ ଦାୟିତ୍ବ ଗ୍ରହଣ, ପ୍ରଥମ ଦିନରେ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା

Advertisment
ଇଡ୍‌କୋର ନୂଆ ସିଏମ୍‌ଡିଙ୍କ ଦାୟିତ୍ବ ଗ୍ରହଣ, ପ୍ରଥମ ଦିନରେ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା

Tathya

ଭୁବନେଶ୍ବର : ଓଡ଼ିଶା ଶିଳ୍ପ ଭିତ୍ତିଭୂମି ଉନ୍ନୟନ ନିଗମ (ଇଡ୍‌କୋ)ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଭାବେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଡ. କ୍ରିଷନ କୁମାର ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି। ଯୋଗ ଦେବାର ପ୍ରଥମ ଦିନରେ ସେ ଇଡ୍‌କୋର ବିଭିନ୍ନ କାର୍ଯ୍ୟକ୍ରମ ଓ କାର୍ଯ୍ୟକଳାପର ସମୀକ୍ଷା କରିଛନ୍ତି। ବୈଠକରେ ୫-ଟି ଆଭିମୁଖ୍ୟ ଆଧାରରେ କାର୍ଯ୍ୟ ଯୋଜନା ଉପରେ ଗୁରୁତ୍ବାରୋପ କରାଯାଇଥିଲା। ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୦ଟି ଏମ୍‌ଏସ୍‌ଏମ୍ଇ ପାର୍କ ଓ ଇଡ୍‌କୋ ଟାୱାର ପ୍ରତିଷ୍ଠା କରିବା ଲାଗି ତ୍ବରିତ ପଦକ୍ଷେପ ଗ୍ରହଣ କରିବାକୁ ସେ ଅଧିକାରୀମାନଙ୍କୁ କହିଛନ୍ତି।

ପଶ୍ଚିମ ଓଡ଼ିଶାରେ ବିଜୁ ଏକ୍ସପ୍ରେସ୍ ୱେ ନିକଟରେ ଏକ ଏମ୍ଏସ୍‌ଏମ୍ଇ ପାର୍କ ସ୍ଥାପନ କରିବା ନେଇ ବୈଠକରେ ଆଲୋଚନା ହୋଇଛି। ଶିଳ୍ପ ପାଇଁ ଭୂମି ଆବଣ୍ଟନ ଓ ଏହାର ପରବର୍ତୀ ସେବାଗୁଡ଼ିକୁ ସୂଚନା ପ୍ରଯୁକ୍ତି ମାଧ୍ୟମରେ କରିବାକୁ ନୂଆ ଅଧ୍ୟକ୍ଷ ଆଜି ଅଧିକାରୀମାନଙ୍କୁ କହିଛନ୍ତି। ଡେରାସ ସି-ଫୁଡ୍‌ ପାର୍କ, ପାରାଦୀପର ପ୍ଲାଷ୍ଟିକ୍ ପାର୍କ, ଅନୁଗୁଳର ଆଲୁମିନିୟମ୍ ପାର୍କ, ଭଦ୍ରକର ଟେକ୍ସଟାଇଲ୍‌ ପାର୍କ, ଇନ୍‌ଫୋଭ୍ୟାଲିର ଫୁଡ୍‌ ପାର୍କ ଆଦିର ଉନ୍ନତୀକରଣ ଓ ଏହାର ବିଭିନ୍ନ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବାକୁ ସେ ନିର୍ଦେଶ ଦେଇଥିଲେ। ବିଲ୍‌ଡିଂ ପ୍ଲାନ୍ ଅନୁମୋଦନ ପ୍ରକ୍ରିୟାକୁ ସୁଦୃଢ଼ କରି ୩-୭ ଦିନ ଭିତରେ ଆଶାୟୀ ଉଦ୍ୟୋଗୀମାନଙ୍କୁ ଚେକ୍ ଲିଷ୍ଟ୍‌ ପ୍ରଦାନ କରିବାକୁ ସେ କହିଛନ୍ତି। ଇଡ୍‌କୋର କର୍ମଚାରୀ ଓ ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନମାନଙ୍କର ଅଭିଯୋଗ ‌ଯେଭଳି ସିଧାସଳଖ ଅଧ୍ୟକ୍ଷଙ୍କ ପାଖରେ ଇ-ମେଲ୍ ଜରିଆରେ ପହଞ୍ଚିପାରିବ ସେଥିପାଇଁ ବ୍ୟବସ୍ଥା କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe