ବାଇକ୍‌ରେ ୪ରୁ କମ୍‌ ବୟସର ଶିଶୁ ଥିଲେ ସ୍ପିଡ୍‌ ୪୦ ଟପିବନି

Advertisment
ବାଇକ୍‌ରେ ୪ରୁ କମ୍‌ ବୟସର ଶିଶୁ ଥିଲେ ସ୍ପିଡ୍‌ ୪୦ ଟପିବନି

ନୂଆଦିଲ୍ଲୀ: ଦୁଇଚକିଆ ଯାନରେ ଶିଶୁଙ୍କୁ ନେଇ ଯାତ୍ରା କରୁଥିବା ଚାଳକମାନଙ୍କ ଲାଗି ଏକ ଚିଠା ଗାଇଡ୍‌ଲାଇନ୍ ଜାରି କରାଯାଇଛି। ବାଇକ୍‌ରେ ଯଦି ୪ରୁ କମ୍ ବୟସର ଶିଶୁ ବସିଥିବେ ତେବେ କୌଣସି ପରିସ୍ଥିତିରେ ଗାଡ଼ିର ସ୍ପିଡ୍‌ (ବେଗ) ଘଣ୍ଟା ପିଛା ୪୦ କିମିରୁ ଅଧିକ ହେବ ନାହିଁ। ଶିଶୁମାନଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ଲାଗି ମୋଟରଯାନ ନିୟମର ଧାରା ୧୨୯ରେ ଏଥିପାଇଁ କେତେକ ସଂଶୋଧନ କରାଯାଇଛି।

କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା‌ ଚିଠା ଗାଇଡ୍‌ଲାଇନ୍‌ରୁ ଜଣାପଡ଼ିଛି‌ ଯେ ୪ ବର୍ଷରୁ କମ୍ ବୟସ ଶିଶୁଙ୍କୁ ବାଇକ୍‌ରେ ନେ‌ବାକୁ ହେଲେ ସୁରକ୍ଷା ଉପକରଣ ବ୍ୟବହାର କରି ଚାଳକଙ୍କ ସହିତ ଶିଶୁଙ୍କୁ ଯୋଡ଼ିବାକୁ ପଡ଼ିବ। ଶିଶୁଙ୍କୁ ହେଲ୍‌ମେଟ୍‌ ପିନ୍ଧାଇବାକୁ ହେବ। ୯ ମାସରୁ ଆରମ୍ଭ କରି ୪ ବର୍ଷ ବୟସର ଶିଶୁଙ୍କୁ ବାଇକ୍‌ରେ ନେବା ବେଳେ ସେମାନଙ୍କୁ ଏଭଳି ହେଲ୍‌ମେଟ୍‌ ପିନ୍ଧାଇବାକୁ ପଡ଼ିବ ଯାହା ସେମାନଙ୍କ ମୁଣ୍ଡ ସହିତ ଠିକ୍ ଭାବେ ଫିଟ୍‌ ହୋଇ ରହୁଥିବ ଓ ସେଥିରେ ବିଆଇଏସ୍‌ ମାର୍କା ରହିଥିବ। ଏନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଆଜି ସୋସିଆଲ୍ ମିଡିଆରେ ସୂଚନା ଦେଇଛନ୍ତି। ଛୋଟ ପିଲାଙ୍କ ହେଲ୍‌ମେଟ୍‌ ହାଲୁକା ଓ ୱାଟରପ୍ରୁଫ୍ ହେବା ଦରକାର। ହେଭି ନାଇଲନ୍ ଅଥବା ମଲ୍‌ଟି ଫିଲାମେଟ୍ ନାଇଲନ୍‌ରେ ତାହା ତିଆରି ହୋଇଥିବା ଦରକାର ଓ ସେଥିରେ ମଜବୁତ ଫୋମ୍ ଲଗାଇବା ଜରୁରୀ। ସୁରକ୍ଷା ଉପକରଣ ଏଭଳି ଶକ୍ତ ହେବା ଦରକାର ଯାହା ୩୦ କିଲୋ ପର୍ଯ୍ୟନ୍ତ ଓଜନର ଝଟ୍‌କାକୁ ସହ୍ୟ କରିପାରିବ। ଏହି ଚିଠା ଗାଇଡ୍‌ଲାଇନ୍ ଉପରେ ସରକାର ଅଂଶୀଦାରମାନଙ୍କ ମତାମତ ଆହ୍ବାନ କରିଛନ୍ତି। ମତାମତ ମିଳିବା ପରେ ସେଗୁଡ଼ିକୁ ବିଚାରକୁ ନେଇ ଗାଇଡ୍‌ଲାଇନ୍‌କୁ ଚୂଡ଼ାନ୍ତ ରୂପ ପ୍ରଦା‌ନ କରାଯିବ। ତାହାକୁ ସରକାର ମଞ୍ଜୁର କଲେ ତାହା ନିୟମରେ ପରିଣତ ହୋଇଯିବ। ଥରେ ଏହି ନିୟମ ଲାଗୁ ହେଲେ ଯେଉଁମାନେ ତାହାର ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe