ନୂଆଦିଲ୍ଲୀ: ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ) ସହ ଭାରତ ସରକାର ସ୍ବାକ୍ଷର କରିଥିବା ବ୍ୟାପକ ଅର୍ଥନୈତିକ ସହଯୋଗିତା ଚୁକ୍ତି (ସିଇପିଏ)ର ଅପବ୍ୟବହାର କରି ବ୍ୟାପକ ସୁନା ଆମଦାନି ହେଉଥିଲା। ସେହି ବେଆଇନ ପ୍ରକ୍ରିୟାକୁ ରୋକିବା ଲାଗି ବଜେଟ୍ରେ ପଦକ୍ଷେପ ଘୋଷଣା କରାଯାଇଛି। ପ୍ଲାଟିନମ୍ ମିଶ୍ରଧାତୁ ନାଁରେ ୟୁଏଇରୁ ସୁନା ଭାରତକୁ ଆସୁଥିଲା। ଏଥର ବଜେଟ୍ରେ ପ୍ଲାଟିନମ୍ ମିଶ୍ରଧାତୁ ପାଇଁ ଏକ ସ୍ବତନ୍ତ୍ର ହାର୍ମୋନାଇଜଡ୍ ସିଷ୍ଟମ (ଏଚ୍ଏସ୍) କୋଡ୍ ଲାଗୁ କରାଯାଇଛି। ପାଲାଡିୟମ୍, ରୁଥେନିୟମ, ରୋଡିୟମ୍ ଓ ଇରିଡିଅମ୍କୁ ବାଦ ଦେଇ ଅନ୍ୟ କୌଣସି ଧାତବ ପଦାର୍ଥକୁ ପ୍ଲାଟିନମ୍ ସହ ମିଶ୍ରଣ କରାଯାଇପାରିବ ନାହିଁ ବୋଲି ସେଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି।
ୟୁଏଇ ଚୁକ୍ତିର ଅପବ୍ୟବହାର ହେଉଥିଲା
ପ୍ଲାଟିନମ୍ ମିଶ୍ରଧାତୁ ନାଁରେ ଆସୁଥିଲା ସୁନା
ହାର୍ମୋନାଇଜଡ୍ ସିଷ୍ଟମ୍ କୋଡ୍ ହେଉଛି ଏକ ସଂଖ୍ୟାଭିତ୍ତିକ ମାନକ ଯାହାକୁ ଅନ୍ତର୍ଜାତୀୟ ସ୍ତରରେ କାରବାର କରାଯାଉଥିବା ଉତ୍ପାଦର ବର୍ଗୀକରଣ ଲାଗି ବ୍ୟବହାର କରାଯାଉଛି। ବିଶ୍ବର ୨୦୦ରୁ ଅଧିକ ଦେଶ ସେହି ବ୍ୟବସ୍ଥା ଗ୍ରହଣ କରିଛନ୍ତି। ସେହି ଆଧାରରେ ସୀମା ଶୁଳ୍କ ବିଭାଗ ସେଗୁଡ଼ିକର ଅନୁଶୀଳନ କରିଥାନ୍ତି। ୟୁଏଇ ସହ ଭାରତର ହୋଇଥିବା ଚୁକ୍ତି ଅନୁଯାୟୀ ଆଲୟ ଆମଦାନି ଉପରେ ୧ ପ୍ରତିଶତ ଟିକସ ଲାଗୁ କରାଯାଇଥିଲା। ଏହାର ଫାଇଦା ଉଠାଇବା ଲାଗି ଆମଦାନିକାରୀମାନେ ପ୍ଲାଟିନମ୍ ଆଲୟ ନାମରେ ସୁନା ଆମଦାନି କରୁଥିଲେ। ସେମାନେ ଯେଉଁ ମିଶ୍ରଧାତୁ ଆଣୁଥିଲେ ସେଥିରେ ମାତ୍ର ୨ ପ୍ରତିଶତ ପ୍ଲାଟିନମ୍ ଓ ୯୮ ପ୍ରତିଶତ ସୁନା ରହୁଥିଲା। ସୁନା ଆମଦାନି ଉପରେ ଭାରତ ୫ ପ୍ରତିଶତ ଟିକସ ଲଗାଇଥିବା ବେଳେ ୟୁଏଇ ବାଟ ଦେଇ ଆସୁଥିବା ସୁନା ଉପରେ ମାତ୍ର ୧ ପ୍ରତିଶତ ଟିକସ ଲାଗୁଥିଲା। ବଜେଟ୍ରେ କରାଯାଇଥିବା ଘୋଷଣା ଅନୁସାରେ ଯେଉଁ ପ୍ଲାଟିନମ୍ ମିଶ୍ରଧାତୁରେ ୯୦-୯୫ ପ୍ରତିଶତ ପାଖାପାଖି ସୁନା ଥିବ ତାହା ଆମଦାନି କରାଯାଇପାରିବ ନାହିଁ।
ସୂଚନା ଅନୁସାରେ ୨୦୨୨ ମେ’ରେ ଭାରତ-ୟୁଏଇ ବାଣିଜ୍ୟ ଚୁକ୍ତି ଲାଗୁ ହେବା ପରଠାରୁ ୨୪ ହଜାର କୋଟି ଟଙ୍କାର ପ୍ଲାଟିନମ୍ ମିଶ୍ରଧାତୁ ଭାରତକୁ ଅଣାଯାଇଛି। କମ୍ ଟିକସ ଦେବା ଲାଗି ଆମଦାନିକାରୀମାନେ ପ୍ଲାଟିନମ୍ ନାଁରେ ସୁନା ହିଁ ଆଣୁଥିଲେ।
Follow Us