ନୂଆଦିଲ୍ଲୀ : ଗତ ଅଗଷ୍ଟ ୨ରେ ସୁପ୍ରିମକୋର୍ଟ ବେଆଇନ ଖଣି ଉତ୍ତୋଳନ ପ୍ରସଙ୍ଗରେ ବେଆଇନ ଖଣି ଲିଜ୍ଧାରୀଙ୍କଠାରୁ ୧୦୦% ଜରିମାନା ଆଦାୟ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହାର ପୁନଃ ମୂଲ୍ୟାଙ୍କନ ପାଇଁ ସୁପ୍ରିମକୋର୍ଟଙ୍କ ପରାମର୍ଶ କ୍ରମେ ଆସନ୍ତାକାଲି ସିଇସି (କେନ୍ଦ୍ରୀୟ କ୍ଷମତା ସଂପର୍ଣ୍ଣ କମିଟି)ର ବୈଠକ ଅନୁଷ୍ଠିତ ହେବ। ଏଥିରେ ସିଇସି ଅଧ୍ୟକ୍ଷ, ସଦସ୍ୟ, କେନ୍ଦ୍ର ଖଣି ମନ୍ତ୍ରାଳୟ, କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ, ରାଜ୍ୟର ଇସ୍ପାତ ଓ ଖଣି ସଚିବ, ଖଣି ନିର୍ଦ୍ଦେଶକ ତଥା ୫୦ରୁ ଊର୍ଦ୍ଧ୍ୱ ଲିଜ୍ଧାରୀ ଯୋଗ ଦେବେ। ଅଗଷ୍ଟ ୨ରେ ଓଡ଼ିଶା ବେଆଇନ ଖଣି ଖନନ ମାମଲାର ରାୟ ପ୍ରଦାନରେ ସୁପ୍ରିମକୋର୍ଟ ବେଆଇନ ଖଣି ଖନନ କରିଥିବା ଖଣି ପଟ୍ଟାଦାରଙ୍କଠାରୁ ଶତ ପ୍ରତିଶତ ଜରିମାନା ପୈଠ ପାଇଁ କହିଥିଲେ। କିଛି ଖଣି ଲିଜ୍ଧାରୀଙ୍କ ଦ୍ୱାରା ରାଜ୍ୟ ସରକାରଙ୍କ ଡିମାଣ୍ଡ୍ ନୋଟିସରେ ଜରିମାନା ପରିମାଣରେ ବ୍ୟାପକ ଅସଙ୍ଗତି ଥିବା ସୁପ୍ରିମକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରଯାଇଥିଲା।
ସୁପ୍ରିମକୋର୍ଟଙ୍କ ରାୟରେ ଖଣିଜ ଉତ୍ତୋଳନର ଡିସପୋଜାଲକୁ ଦର୍ଶାଇ ଜରିମାନା ଧାର୍ଯ୍ୟ ହୋଇଥିବାବେଳେ ସିଇସି ରିପୋର୍ଟ (ଅକ୍ଟୋବର ୧୬,୨୦୧୪)ରେ ବେଆଇନ ଖଣି ଉତ୍ତୋଳନର ପରିମାଣ ହିସାବରେ ଜରିମାନା ସୁପାରିସ କରାଯାଇଥିଲା। ଗତମାସ ୨୪ରେ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ମୂଲ୍ୟାୟନରେ ଅସଙ୍ଗତି ଥିଲେ ସିଇସି, ରାଜ୍ୟ ସରକାର ଓ ଲିଜଧାରୀଙ୍କ ସହ ବୈଠକ କରି ଏହା ଦୂର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନଭେମ୍ବର ୩୦ ପୂର୍ବରୁ ଏହି ପ୍ରକ୍ରିୟାକୁ ଶେଷ କରିବାକୁ କହିଥିଲେ। ଜରିମାନାର ପୁନଃ ମୂଲ୍ୟାୟନ ସମ୍ପର୍କରେ ଲିଜ୍ଧାରୀଙ୍କଠାରୁ ବିବରଣୀ ହାସଲ ପରେ ଏନେଇ ସିଇସି ଓ ରାଜ୍ୟ ସରକାରଙ୍କୁ ଡିସେମ୍ବର ୫ରେ ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ସମୟରେ ବିସ୍ତତ ରିପୋର୍ଟ ଦାଖଲ ପାଇଁ କୁହାଯାଇଥିଲା। ଆସନ୍ତାକାଲି ବୈଠକରେ ଖଣି ଲିଜ୍ଧାରୀଙ୍କ ପକ୍ଷରୁ କ୍ଷତିପୂରଣ ସମ୍ପର୍କିତ ଜରିମାନାର ଅସଙ୍ଗତିକୁ ଦୂର କରିବା ପାଇଁ ଲିଜ୍ଧାରୀମାନେ ସେମାନଙ୍କ କମ୍ପାନିର ସି.ଏ . ତଥା ଓକିଲମାନଙ୍କ ସହିତ ଉପସ୍ଥିତ ହେବେ। ଖଣି ଲିଜ୍ଧାରୀମାନଙ୍କ ପାଖରୁ ୧୦୦% ଜରିମାନା ଆଦାୟ ପାଇଁ ଡିସେମ୍ବର ୩୧ ଡେଡ୍ଲାଇନ୍ ଥିବା ଯୋଗୁଁ ଆସନ୍ତାକାଲିର ବୈଠକରେ ଖଣି ଲିଜ୍ଧାରୀଙ୍କ ଆପତ୍ତି ଶୁଣାଣି କରାଯାଇ ଜରିମାନାର ପୁନଃ ମୂଲ୍ୟାଙ୍କନ କରାଯିବ।
Follow Us