ଅଗ୍ନିକାଣ୍ଡ ପ୍ରଭାବ: ଇଲେକ୍ଟ୍ରିକ୍ ଗାଡ଼ି ପଞ୍ଜୀକରଣରେ ହ୍ରାସ

ଅଗ୍ନିକାଣ୍ଡ ପ୍ରଭାବ: ଇଲେକ୍ଟ୍ରିକ୍ ଗାଡ଼ି ପଞ୍ଜୀକରଣରେ ହ୍ରାସ

ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ ସ୍କୁଟର ଓ ବାଇକ୍‌ରେ ଅଗ୍ନିକାଣ୍ଡର ଖବର ନିୟମିତ ବ୍ୟବଧାନରେ ଆସିବା ଇଲେକ୍ଟ୍ରିକ୍ ଗାଡ଼ି ପଞ୍ଜୀକରଣକୁ ପ୍ରଭାବିତ କରିଛି। ଜୁନ୍‌ ମାସର ପଞ୍ଜୀକରଣ ତଥ୍ୟରୁ ସେଭଳି କିଛି ସଙ୍କେତ ମିଳିଛି। ବାହାନ ପୋର୍ଟାଲ୍‌ର ତଥ୍ୟ ଅନୁସାରେ ଦେଶର ଶ୍ରେଷ୍ଠ ଇଭି ଦୁଇଚକିଆ କଂପାନି ଓଲା ଇଲେକ୍ଟ୍ରିକ୍ ଜୁନ୍ ମାସରେ ମାତ୍ର ୫,୮୬୯ଟି ଗାଡ଼ିର ପଞ୍ଜୀକରଣ କରିଛି। ପଞ୍ଜୀକରଣ ତାଲିକାରେ ଏହା ଚତୁର୍ଥ ସ୍ଥାନକୁ ଖସିଆସିଛି। ମେ’ ତୁଳନାରେ ଜୁନ୍‌ରେ କଂପାନିର ଗାଡ଼ି ପଞ୍ଜୀକରଣ ୩୦% ହ୍ରାସ ପାଇଛି।

ଚଳିତ ବର୍ଷ ଜୁନ୍‌ରେ ଓକିନାୱା ଅଟୋଟେକ୍‌ର ସର୍ବାଧିକ ୬,୯୭୬ଟି ଗାଡ଼ି ପଞ୍ଜୀକରଣ ହୋଇଛି। ଦ୍ବିତୀୟ ସ୍ଥାନରେ ରହିଛି ଆମ୍ପିୟର ଭେଇକିଲ୍‌ସ ପ୍ରାଇଭେଟ୍ ଲିମିଟେଡ୍‌ ଯାହାର ୬,୫୩୪ଟି ଗାଡ଼ିର ପଞ୍ଜୀକରଣ ହୋଇଛି। ଜୁନ୍‌ରେ ୬,୪୮୬ଟି ଗାଡ଼ି ପଞ୍ଜୀକରଣ ସହ ହିରୋ ଇଲେକ୍ଟ୍ରିକ୍ ତୃତୀୟ ସ୍ଥାନରେ ରହିଛି। ଏଥର ଏନର୍ଜି ୩,୭୯୭ଟି ଓ ରିଭୋଲ୍‌ଟ ୨,୪୧୯ଟି ଇଲେକ୍ଟ୍ରିକ୍ ଗାଡ଼ିର ପଞ୍ଜୀକରଣ କରାଇଛି। ମେ’ ମାସରେ ଓକିନାୱା‌ ୯,୩୦୨ ଓ ଓଲା ଇଲେକ୍ଟ୍ରିକ୍ ୯,୨୨୫ଟି ଗାଡ଼ି ବିକ୍ରି କରିଥିଲେ।

ବିଶେଷଜ୍ଞଙ୍କ ମତରେ ଇଲେକ୍ଟ୍ରିକ୍ ଗାଡ଼ି ପଞ୍ଜୀକରଣ ହ୍ରାସ ପାଇବାର ଏକ ପ୍ରମୁଖ କାରଣ ହେଉଛି ନିୟମିତ ବ୍ୟବଧାନରେ ଦେଶର ବିଭିନ୍ନ ସ୍ଥାନରୁ ବ୍ୟାଟେରି ଫାଟିବା, ଗାଡ଼ିରେ ନିଆଁ ଲାଗିବା ଭଳି ଖବର। ତାହା ଗ୍ରାହକମାନଙ୍କ ଚିନ୍ତାଧାରାକୁ ପ୍ରଭାବିତ କରିଛି। ଅଗ୍ନିକାଣ୍ଡ୍‌ଗୁଡ଼ିକର ତଦନ୍ତ କରିବା ଲାଗି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଥିଲା। କମିଟି ଦେଇଥିବା ରିପୋର୍ଟ ଅନୁସାରେ ବ୍ୟାଟେରିରେ ରହୁଥିବା ତ୍ରୁଟି ଯୋଗୁଁ ଇଲେକ୍ଟ୍ରିକ୍ ଗାଡ଼ିରେ ଅଗ୍ନିକାଣ୍ଡ ଘଟୁଛି। ଉତ୍ପାଦନ ବଢ଼ାଇବା ଲାଗି କଂପାନିଗୁଡ଼ିକ ଗଳା ବାଟ ବ୍ୟବହାର କରୁଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ବ୍ୟାଟେରିରେ ତାପମାତ୍ରା ବୃଦ୍ଧିକୁ ଚିହ୍ନଟ କରିବା ଲାଗି କଂପାନିଗୁଡ଼ିକ ପାଖରେ କୌଣସି ବ୍ୟବସ୍ଥା ନାହିଁ। ବ୍ୟାଟେରିରେ ବ୍ୟାପକ ତ୍ରୁଟି ରହୁଥିବା ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆର୍‌ଡିଓ) ମଧ୍ୟ ଜଣାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe