ଭୁବନେଶ୍ବର: କେନ୍ଦ୍ରୀୟ ବଜେଟ୍ରେ ଓଡ଼ିଶାର ପର୍ଯ୍ୟଟନ, ଐତିହ୍ୟ ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ପ୍ରଚାରପ୍ରସାର ଲାଗି ସହାୟତା ଦେବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିବା ପରେ ହୋଟେଲ୍ ଶିଳ୍ପ ବେଶ୍ ଉତ୍ସାହିତ ହୋଇପଡ଼ିଛି। ପର୍ଯ୍ୟଟନର ବିକାଶ ହେଲେ ଅଧିକ ପର୍ଯ୍ୟଟକ ଆସିବେ। ସେମାନଙ୍କ ରହଣୀ ଲାଗି ରାଜ୍ୟରେ ସୀମିତ ସଂଖ୍ୟକ ହୋଟେଲ୍ ଥିବାରୁ ଆଗାମୀ ଦିନରେ ଅଧିକ ନୂଆ ହୋଟେଲ୍ ସ୍ଥାପନ କରିବା ଉପରେ ହୋଟେଲ୍ ସଂସ୍ଥାଗୁଡ଼ିକ ବିଚାର କରୁଛନ୍ତି। ଓଡ଼ିଶାରେ ଇଣ୍ଡିଆନ୍ ହୋଟେଲ୍ସ ଆଣ୍ଡ୍ କମ୍ପାନି ଲିମିଟେଡ୍ (ଆଇଏଚ୍ସିଏଲ୍)ର ୬ଟି ହୋଟେଲ୍ ରହିଥିବା ବେଳେ ଏହା ଆଉ ଦୁଇଟି ହୋଟେଲ୍ ଖୁବ୍ଶୀଘ୍ର ଖୋଲିବାକୁ ଯାଉଛି। କମ୍ପାନିର କାର୍ଯ୍ୟନିର୍ବାହୀ ଉପସଭାପତି ସୁମା ଭେଙ୍କଟେଶ ‘ଇଟି’କୁ କହିଛନ୍ତି ଯେ ଓଡ଼ିଶାର ରାଜଧାନୀ ବ୍ୟତୀତ ରାଜ୍ୟରେ ବହୁ ଶିଳ୍ପ ସହର ରହିଛି ଯେଉଁଠାରେ ମଧ୍ୟମ ଧରଣରୁ ଉଚ୍ଚ ଧରଣର ହୋଟେଲ୍ ଖୋଲିବା ସମ୍ଭାବନା ରହିଛି। ରାଡିସନ୍ ହୋଟେଲ୍ ଗ୍ରୁପ୍ର ଏମ୍ଡି ନିଖିଲ ଶର୍ମା କହିଛନ୍ତି ଯେ ଓଡ଼ିଶାକୁ ଏକ ପର୍ଯ୍ୟଟନ ସ୍ଥଳରେ ପରିଣତ କରିବା ଲାଗି କେନ୍ଦ୍ର ସରକାର କରିଥିବା ଘୋଷଣା ସହ ଆମ ଦୃଷ୍ଟିଭଙ୍ଗୀ ସମନ୍ବିତ ହୋଇରହିଛି। ଗୋପାଳପୁରରେ ପ୍ରମୋଦ୍ ଲ୍ୟାଣ୍ଡ୍ସ ଏଣ୍ଡ୍ ରିସୋର୍ଟ ସହିତ ସହଯୋଗିତା ସ୍ଥାପନ କରି ରାଡିସନ୍ ଓଡ଼ିଶାରେ ପ୍ରବେଶ କରିସାରିଛି। ଏହା ଏବେ ନୂତନ ସୁଯୋଗ ସନ୍ଧାନରେ ରହିଛି।
ଜେଏଲ୍ଏଲ୍ର ପରିଚାଳନା ନିର୍ଦ୍ଦେଶକ ଜୟଦୀପ ଡାଙ୍ଗ୍ କହିଛନ୍ତି ଯେ ବର୍ତ୍ତମାନ ଓଡ଼ିଶାରେ ବ୍ରାଣ୍ଡେଡ୍ ହୋଟେଲ୍ କୋଠରି ସଂଖ୍ୟା ୧୩୫୦ ଥିବା ବେଳେ ଆଉ ୯୬୦ଟି କୋଠରି ଯୋଡ଼ିହେବାକୁ ଯାଉଛି। ରାଜ୍ୟରେ ଧାର୍ମିକ ପର୍ଯ୍ୟଟନର ବିକାଶ ଉପରେ ଜୋର ଦିଆଯାଇଥିବାରୁ ଅଧିକ ପର୍ଯ୍ୟଟକଙ୍କ ଆଗମନ ହେବ ଯାହା ଆତିଥେୟତା ଶିଳ୍ପ ପାଇଁ ଲାଭଦାୟକ ହେବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଭୁବନେଶ୍ବରରେ ଲେମନ୍ ଟ୍ରି ହୋଟେଲ୍ର ୬୦ କୋଠରି ବିଶିଷ୍ଟ ଏକ ହୋଟେଲ୍ ମଧ୍ୟ ରହିଛି।
ଏ ସମ୍ପର୍କରେ ଓଡ଼ିଶା ହୋଟେଲ୍ ଓ ରେସ୍ତୋରାଁ ସଂଘ (ଏଚ୍ଆର୍ଏଓ)ର ଅଧ୍ୟକ୍ଷ ଜେ କେ ମହାନ୍ତି କହିଛନ୍ତି ଯେ ଓଡ଼ିଶାରେ ଆଉ ୫୦୦୦ ହୋଟେଲ୍ କୋଠରିର ଆବଶ୍ୟକତା ରହିଛି। ଯଦି ରାଜ୍ୟ ସରକାର ହୋଟେଲ୍ ସ୍ଥାପନ ଲାଗି ୩୫-୪୦ ପ୍ରତିଶତ ପୁଞ୍ଜିନିବେଶ ସବ୍ସିଡି ପ୍ରଦାନ କରିବେ ତେବେ ଶିଳ୍ପ ସଂସ୍ଥା ଅବଶିଷ୍ଟ ୬୦ ପ୍ରତିଶତ ନିବେଶ କରିପାରିବେ। ସାତକୋଶିଆ, ଭିତରକନିକା, ଶିମିଳିପାଳ, ଦେଓମାଳି ଏବଂ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନ, ଯେଉଁଠାରେ ହୋଟେଲ୍ ସ୍ଥାପନର ଆବଶ୍ୟକତା ରହିଛି, ସରକାର ସେଠାରେ ପ୍ରଥମେ ଜମି ଚିହ୍ନଟ କରି ଶିଳ୍ପସଂସ୍ଥାକୁ ପ୍ରଦାନ କରିବା ଦରକାର। ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥାରେ ମଞ୍ଜୁରିର ତିନି ବର୍ଷ ଭିତରେ ହୋଟେଲ୍ ତିଆରି କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ମାତ୍ର ସିଙ୍ଗଲ ୱିଣ୍ଡୋ ମଞ୍ଜୁରି ପରେ ଜମି ମିଳିବା ବେଳକୁ ଦୁଇ ବର୍ଷ ସମୟ ଲାଗିଯାଉଛି। ଅବଶିଷ୍ଟ ଏକ ବର୍ଷ ଭିତରେ ହୋଟେଲ୍ ସ୍ଥାପନ କରିବା ସମ୍ଭବ ନୁହେଁ। ତେଣୁ ରାଜ୍ୟ ସରକାର ପର୍ଯ୍ୟଟନ ନୀତିରେ ଏନେଇ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି। ଶିଳ୍ପ ଅଂଶୀଦାରଙ୍କ ସହ ଆଲୋଚନା କରି ନୀତିରେ ଆବଶ୍ୟକ ପରିବର୍ତ୍ତନ ହେବା ଉଚିତ ବୋଲି ସେ କହିଛନ୍ତି।
କେନ୍ଦ୍ର ସରକାର ବଜେଟ୍ରେ ରାଜ୍ୟର ପର୍ଯ୍ୟଟନ ବିକାଶ ଉପରେ ଗୁରୁତ୍ବ ଦେଇଥିବାରୁ ରାଜ୍ୟ ସରକାର ନିଜକୁ ସେଥିପାଇଁ ପ୍ରସ୍ତୁତ କରିବା ଦରକାର। କେଉଁ କେଉଁ କ୍ଷେତ୍ରରେ ବିକାଶ ହେବା ଦରକାର ତାହାକୁ ଚିହ୍ନଟ କରି କେନ୍ଦ୍ର ସରକାରଙ୍କୁ ଜଣାଇବା ଦରକାର। ସେଥିପାଇଁ ଏକ ସ୍ପଷ୍ଟ ରୋଡ୍ମ୍ୟାପ୍ ଆବଶ୍ୟକ। ଏଥିରେ ସରକାରଙ୍କୁ ସହଯୋଗ କରିବା ଲାଗି ଏଚ୍ଆର୍ଏଓ ପ୍ରସ୍ତୁତ ରହିଛି। ଆମେ ମୁଖ୍ୟମନ୍ତ୍ରୀ ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କରି ଏବିଷୟରେ ଆଲୋଚନା କରିବାକୁ ଯାଉଛୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି।
Follow Us