The Economic Times
ନୂଆଦିଲ୍ଲୀ: ଦେଶରେ ବିକ୍ରି ହେଉଥିବା ବିଳାସପୂର୍ଣ୍ଣ ଓ ଦାମୀ କାର୍ଗୁଡ଼ିକରେ ବ୍ୟବହାର କରାଯାଉଥିବା ସ୍ବତନ୍ତ୍ର ଧରଣର ଟାୟାର ଚୀନ୍ରୁ ଆମଦାନି କରାଯାଇଥାଏ। ମାତ୍ର କେନ୍ଦ୍ର ସରକାର ଚୀନ୍ରୁ ଟାୟାର ଆମଦାନି ଉପରେ ରୋକ ଲଗାଇଥିବାରୁ ଦାମୀ କାର୍ ନିର୍ମାଣ କରୁଥିବା କଂପାନିଗୁଡ଼ିକ ଚିନ୍ତିତ ହୋଇପଡ଼ିଛନ୍ତି। ମର୍ସିଡିସ୍-ବେଞ୍ଜ୍, ବିଏମ୍ଡବ୍ଲୁ, ସ୍କୋଡ଼ା ଓ ଫକ୍ସୱାଗନ ପକ୍ଷରୁ ଚୀନ୍ରୁ ଆସୁଥିବା ନ୍ୟୁମେଟିକ୍ ଟାୟାରକୁ ଗାଡ଼ିରେ ବ୍ୟବହାର କରାଯାଉଛି। ଏହିଭଳି ଟାୟାର ବର୍ତ୍ତମାନ ସୁଦ୍ଧା ଭାରତରେ ଉତ୍ପାଦନ ହେଉନାହିଁ। ଗାଡ଼ି ନିର୍ମାଣ ଅଟକି ଯିବାର ଆଶଙ୍କା ସୃଷ୍ଟି ହୋଇଥିବାରୁ ଜର୍ମାନିର କାର୍ କଂପାନିଗୁଡ଼ିକ ଜର୍ମାନ ରାଷ୍ଟ୍ରଦୂତଙ୍କୁ ଏହି ସମସ୍ୟା ସମ୍ପର୍କରେ ଅବଗତ କରିଛନ୍ତି। ଜର୍ମାନି ରାଷ୍ଟ୍ରଦୂତ ସରକାରଙ୍କ ସହ ଏନେଇ ଗତ ସପ୍ତାହରେ ଆଲୋଚନା କରିଥିଲେ। ଗତ ଜୁନ୍ରେ ଲଦାଖ୍ର ଗଲ୍ୱାନ ଘାଟିରେ ଚୀନ୍ ଓ ଭାରତ ସେନା ମଧ୍ୟରେ ସଂଘର୍ଷରେ ଭାରତର ୨୦ ଯବାନ ସହିଦ ହେବା ପରେ ଦୁଇ ଦେଶର ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ଚୀନ୍ର ୫୯ଟି ଆପ୍କୁ ଭାରତ ସରକାର ନିଷିଦ୍ଧ ଘୋଷଣା କରିଥିବା ବେଳେ ଅନ୍ୟ ସାମଗ୍ରୀଗୁଡ଼ିକର ଆମଦାନି ଉପରେ ରୋକ ଲଗାଉଛନ୍ତି। ଗାଡ଼ି ନିର୍ମାଣ ଏକ ଜଟିଳ ବ୍ୟାପାର।
ସ୍ଥାନୀୟ ଭାବେ ଉପଲବ୍ଧ ହେଉଥିବା ଅନେକ ସାମଗ୍ରୀ ଓ ବିଦେଶରୁ ଆଉ କିଛି ଉପକରଣ ଆଣି ଗାଡ଼ି ନିର୍ମାଣ କରାଯାଉଛି। ବିପୁଳ ସଂଖ୍ୟାରେ ବିକ୍ରି ହେଉଥିବା ଗାଡ଼ିର ଉପକରଣ ଦେଶ ଭିତରେ ସହଜରେ ମିଳିଯାଉଛି। ମାତ୍ର ଦାମୀ ଗାଡ଼ିଗୁଡ଼ିକରେ ବ୍ୟବହାର ହେଉଥିବା ଉପକରଣ ସହଜରେ ମିଳେ ନାହିଁ। ଅଧିକାଂଶ ଉପକରଣକୁ ଦେଶ ଭିତରେ ଉତ୍ପାଦନ କରିବା ଲାଗି ମଧ୍ୟ ସଂସ୍ଥାଗୁଡ଼ିକ ଆଗ୍ରହ ଦେଖାଉନାହାନ୍ତି। ଏହାର ପ୍ରମୁଖ କାରଣ ହେଉଛି ଅଧିକ ମାତ୍ରାରେ ସେହି ସାମଗ୍ରୀ ବିକ୍ରି ହୁଏ। ଦାମୀ ଗାଡ଼ି ନିର୍ମାଣ କରିବା ଆହୁରି ଜଟିଳ ବ୍ୟାପାର। ବିଶ୍ବସ୍ତରୀୟ କଂପାନିଗୁଡ଼ିକ ବିଭିନ୍ନ ଦେଶରେ ଥିବା କାରଖାନାର ଆବଶ୍ୟକତା ପୂରଣ କରିବା ଲାଗି କିଛି ନିର୍ଦିଷ୍ଟ ସ୍ଥାନରୁ ଉପକରଣ ମଗାଇଥାନ୍ତି। ସେଥିପାଇଁ ସାମଗ୍ରୀ ଯୋଗାଣକାରୀ ଓ କାର୍ ନିର୍ମାତାଙ୍କ ମଧ୍ୟରେ ଦୀର୍ଘମିଆଦୀ ବୁଝାମଣା ହୋଇଥାଏ। ସେହି ଅନୁସାରେ ଭାରତରେ ଥିବା କାରଖାନା ଲାଗି ଚୀନ୍ରୁ ଟାୟାର ଆସୁଥିଲା। ଚୀନ୍ ନିର୍ମିତ ଟାୟାର ଉପରେ କଟକଣା ଲଗାଯାଇଥିବାରୁ ଦାମୀ କାର୍ ନିର୍ମାଣ କରୁଥିବା ସଂସ୍ଥାଗୁଡ଼ିକ ଚିନ୍ତିତ ହୋଇପଡ଼ିଛନ୍ତି। ଚୀନ୍ରୁ ସ୍ବତନ୍ତ୍ର ନ୍ୟୁମେଟିକ୍ ଟାୟାର ମଗାଇବା ଲାଗି କାର୍ କଂପାନିଗୁଡ଼ିକୁ ଲାଇସେନ୍ସ ହାସଲ କରିବାକୁ ପଡ଼ିବ।
Follow Us