ଭୁବନେଶ୍ୱର: କୃଷି କ୍ଷେତ୍ରରେ ଉନ୍ନତି ଆଣିବାକୁ ହେଲେ ପଶୁ ସମ୍ପଦ ଓ ମତ୍ସଚାଷ ଉପରେ ଅଧିକ ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି। ୨୦୧୮-୧୯ରେ କୃଷି ଓ ଆନୁଷଂଗିକ କ୍ଷେତ୍ର ୮.୩% ଅଭିବୃଦ୍ଧି ହାସଲ କରିଛି। ପଶୁ ସମ୍ପଦ ଓ ଦୁଗ୍ଧଜାତ ସାମଗ୍ରୀ ବ୍ୟବହାରରେ ପରିବର୍ତନ ଅଣାଯାଇପାରିଲେ କୃଷି କ୍ଷେତ୍ରର ଆହୁରି ବିକାଶ ହୋଇପାରିବ ବୋଲି ରିପୋର୍ଟରେ କୁହାଯାଇଛି। ରାଜ୍ୟରେ ମାଛ ଓ ଚିଙ୍ଗୁଡ଼ି ଉତ୍ପାଦନରେ ରେକର୍ଡ ବୃଦ୍ଧି ହୋଇଛି। ୨୦୧୮-୧୯ରେ ମାଛ ଉତ୍ପାଦନ ୧୬.୭% ବୃଦ୍ଧି ପାଇ ୬.୮୫ ଲକ୍ଷ ଟନ୍ ହୋଇଥିବା ବେଳେ ଚିଙ୍ଗୁଡ଼ି ଉତ୍ପାଦନରେ ୩୧.୧୫% ବୃଦ୍ଧି ହୋଇଛି। ଚାଷ ଉପରେ ନିର୍ଭରଶୀଳ ଲୋକମାନଙ୍କ ଆୟରେ ବୃଦ୍ଧି ଆଣିବାକୁ ହେଲେ ଫସଲ କିସମରେ ବିବିଧତା ଆଣିବାକୁ ହେବ, ଜଳସେଚନରେ ଅଧିକ ପୁଂଜିନିବେଶ, କୃଷି କ୍ଷେତ୍ରରେ ଅଧିକ ବିଦ୍ୟୁତ ବ୍ୟବହାର, ହାଇବ୍ରିଡ୍ ବିହନର ବ୍ୟବହାର, ଅର୍ଗାନିକ ଫାର୍ମିଂ, ମାର୍କେଟିଂ ଭିତ୍ତିଭୂମି ଓ ସାର ବ୍ୟବହାରର ପ୍ରସାର କରିବାକୁ ପଡ଼ିବ ବୋଲି ସର୍ଭେରେ କୁହାଯାଇଛି। ସ୍ବଳ୍ପ ବୃଷ୍ଟିପାତ, ମରୁଡ଼ି ଓ ରୋଗପୋକ ଆକ୍ରମଣ ଯୋଗୁ ୨୦୧୭-୧୮ରେ କୃଷି ଉତ୍ପାଦନ କମିଥିଲା। ଏହି ବର୍ଷ ମୋଟ ଖାଦ୍ୟଶସ୍ୟ ଉତ୍ପାଦନ ୮.୫ ଲକ୍ଷ ଟନ୍କୁ ଖସି ଆସିଥିଲା। ୨୦୧୬-୧୭ରେ ରାଜ୍ୟରେ ୧୧.୭ ଲକ୍ଷ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ ହୋଇଥିଲା। ୨୦୧୮-୧୯ରେ କିନ୍ତୁ ସ୍ଥିତିରେ ଉନ୍ନତି ହୋଇଛି ଆନୁଷଂଗିକ କ୍ଷେତ୍ରର ପ୍ରଦର୍ଶନ ଭଲ ରହିଛି। ଯେତେବେଳେ ୨୦୧୫-୧୬ ଓ ୨୦୧୭-୧୮ରେ ରାଜ୍ୟର ମରୁଡ଼ି ହୋଇଥିଲା ସେତେବେଳେ ଆନୁଷଂଗିକ କ୍ଷେତ୍ର ହିଁ ଆଗକୁ ବଢ଼ିବାର ବାଟ ଦେଖାଇଥିଲା।ପଶୁ ସମ୍ପଦ କ୍ଷେତ୍ର ୭.୫%, ମତ୍ସ୍ୟ ଚାଷ ୧୭.୧୮%ର ଅଭିବୃଦ୍ଧି ହାସଲ କରିଥିଲା। ତେଣୁ ଏହି କ୍ଷେତ୍ର ଉପରେ ରାଜ୍ୟକୁ ଅଧିକ ଧ୍ୟାନ ଦେବାକୁ ପଡ଼ିବ ବୋଲି ସର୍ଭେରେ କୁହାଯାଇଛି। ରାଜ୍ୟରେ ଏବେବି ସର୍ବାଧିକ ଲୋକଙ୍କୁ ନିୟୋଜନ ପ୍ରଦାନ କରିବା କ୍ଷେତ୍ରରେ କୃଷି କ୍ଷେତ୍ର ଆଗରେ ରହିଛି। ରାଜ୍ୟର ୪୮.୮୮% ଶ୍ରମ ଶକ୍ତି କୃଷି କ୍ଷେତ୍ରରେ ନିୟୋଜିତ ହୋଇଛନ୍ତି। ଗ୍ରାମାଞ୍ଚଳର ୫୬% ଲୋକ କୃଷି କ୍ଷେତ୍ରରେ ନିୟୋଜିତ ହୋଇଛନ୍ତି। ରାଜ୍ୟରେ ଚାଷ ହେଉଥିବା ଜମି ପରିମାଣ କମିବାରେ ଲାଗିଛି। ଧାନ ଚାଷ ହେଉଥିବା ଜମି ପରିମାଣ ୫% ହ୍ରାସ ପାଇଛି। ଏବେବି ଅଧିକ ଜମିରେ ଧାନ ଚାଷ ହେଉଥିବା ବେଳେ ଏହା ପଛକୁ ଡାଲି, ତୈଳବୀଜ, ପନିପରିବା ଓ ଫଳ ରହିଛି। ମୋଟ ଚାଷରେ ଧାନର ଭାଗ କମୁଥିବା ବେଳେ ଡାଲି ଓ ପନିପରିବାର ଭାଗ ବଢ଼ୁଛି। ବିଗତ କିଛି ବର୍ଷ ଭିତରେ ରାଜ୍ୟରେ ସାର ବ୍ୟବହାର ପରିମାଣ ବଢ଼ିଥିଲେ ମଧ୍ୟ ତାହା ଜାତୀୟ ହାର ଠାରୁ କମ୍ ରହିଛି। କୀଟନାଶକ ବ୍ୟବହାର ପରିମାଣ ମଧ୍ୟ ବୃଦ୍ଧି ପାଇଛି।
ପଶୁ ସମ୍ପଦ, ମତ୍ସ୍ୟ ଚାଷ ଉପରେ ଧ୍ୟାନ ଦେବାକୁ ପଡ଼ିବ
Advertisment
Follow Us