ମୁମ୍ବାଇରେ ପେଟ୍ରୋଲ୍ ୧୦୦ ଟପିଲା

Advertisment
ମୁମ୍ବାଇରେ ପେଟ୍ରୋଲ୍ ୧୦୦ ଟପିଲା

ମୁମ୍ବାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପେଟ୍ରୋଲ୍ ଦାମ୍ ପ୍ରଥମ ଥର ଲାଗି ୧୦୦ ଟଙ୍କାରୁ ଅଧିକ ହୋଇଛି। ଆଜି ପେଟ୍ରୋଲ୍‌ର ଲିଟର ପିଛା ଦାମ୍ ୨୬ ପଇସା ଓ ଡିଜେଲ୍‌ ଦାମ୍ ୨୮ ପଇସା ବଢ଼ିଛି। ମୁମ୍ବାଇରେ ଏବେ ଏକ ଲିଟର ପେଟ୍ରୋଲ୍‌ ଦାମ୍ ୧୦୦ ଟଙ୍କା ୧୯ ପଇସା ହୋଇଛି। ଡିଜେଲ୍ ଦାମ୍ ୯୨ ଟଙ୍କା ୧୭ ପଇସା ରହିଛି। କେବଳ ମୁମ୍ବାଇ ନୁହେଁ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରର କେତେକ ସ୍ଥାନରେ ମଧ୍ୟ ପେଟ୍ରୋଲ୍‌ ୧୦୦ ଟଙ୍କାରୁ ଅଧିକ ଦାମ୍‌ରେ ବିକ୍ରି ହେଉଛି। ରାଜସ୍ଥାନର ଶ୍ରୀ ଗଙ୍ଗାନଗର ଜିଲ୍ଲାରେ ପେଟ୍ରୋଲ୍ ଦାମ୍ ସର୍ବାଧିକ ୧୦୪ ଟଙ୍କା ୯୪ ପଇସା ରହିଥିବା ବେଳେ ଡିଜେଲ୍‌ ଦାମ୍ ୯୭ ଟଙ୍କା ୭୯ ପଇସା ରହିଛି।

ତେଲ ଦାମ୍ ସବୁ ରାଜ୍ୟରେ ସମାନ ନାହିଁ। ରାଜ୍ୟଗୁଡ଼ିକ ଲଗାଇଥିବା ଭାଟ୍‌ ଅନୁସାରେ ଦାମ୍‌ ତଳ ଉପର ରହୁଛି। ଦେଶର ସର୍ବାଧିକ ଭାଟ୍‌ ରାଜସ୍ଥାନ ସରକାର ଲଗାଇଛନ୍ତି। ତେଲ କଂପାନିଗୁଡ଼ିକ ପଶ୍ଚିମବଙ୍ଗ ଓ ଆଉ କିଛି ରାଜ୍ୟର ବିଧାନସଭା ନିର୍ବାଚନକୁ ନଜରରେ ରଖି ତେଲ ଦର ବଢ଼ାଉନଥିଲେ। ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ଚଳିତ ମାସ ୪ ତାରିଖରୁ ତେଲ ଦାମ୍ ନିୟମିତ ବ୍ୟବଧାନ‌ରେ ବଢ଼ୁଛି। ଚଳିତ ମାସରେ ପେଟ୍ରୋଲ୍ ମୂଲ୍ୟରେ ୧୫ ଥର ବୃଦ୍ଧି ହୋଇସାରିଲାଣି। ଫଳରେ ପେଟ୍ରୋଲ୍ ଦାମ୍ ୩ ଟଙ୍କା ୫୪ ପଇସା ଓ ଡିଜେଲ୍ ୪ ଟଙ୍କା ୧୬ ପଇସା ବଢ଼ିଛି।

ତେଲ କଂପାନିଗୁଡ଼ିକ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ଓ ଡଲାର ତୁଳନାରେ ଟଙ୍କା ମୂଲ୍ୟ ବିଚାରକୁ ନେଇ ତେଲ ଦର ପରିବର୍ତ୍ତନ କରୁଛନ୍ତି। ବ୍ରେଣ୍ଟ୍‌ କ୍ରୁଡ୍‌ର ବ୍ୟାରେଲ ପିଛା ଦାମ୍ ୬୯.୬୭ ଡଲାର ରହିଛି। ‌ସେହିପରି ଡଲାର ତୁଳନାରେ ଟଙ୍କା ମୂଲ୍ୟ ୭୨ ଟଙ୍କା ୪୫ ପଇସା ହୋଇଛି। ତେଲ ଦରରେ ‌ଏବେ ହେଉଥିବା ବୃଦ୍ଧିର ଏହା ଏକମାତ୍ର କାରଣ ନୁହେଁ। ଏକ ଲିଟର ପେଟ୍ରୋଲ୍‌ରୁ କେନ୍ଦ୍ର ସରକାର ୩୪ ଟଙ୍କା ୧୯ ପଇସା ଓ ରାଜ୍ୟ ସରକାର ୨୧ ଟଙ୍କା ୩୬ ପଇସାର ଟିକସ ଅସୁଲ କରୁଛନ୍ତି। ସେହିପରି ଡିଜେଲ୍‌ରୁ କେନ୍ଦ୍ର ସରକାର ୩୧ ଟଙ୍କା ୮୦ ପଇସା ଓ ରାଜ୍ୟ ସରକାର ୧୨ ଟଙ୍କା ୧୯ ପଇସାର ଟିକସ ଆଦାୟ କରୁଛନ୍ତି। ପେଟ୍ରୋଲ୍‌ର ଖୁଚୁରା ମୂଲ୍ୟରେ ଟିକସ ଭାଗ ୫୮.୬% ରହିଥିବା ବେଳେ ଡିଜେଲ୍‌ରେ ତାହା ୫୨.୮୫% ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe