ଗାଁରେ, ମହିଳାଙ୍କ ନାମରେ ଅଧିକ ଜନ ଧନ ଖାତା

Advertisment
ଗାଁରେ, ମହିଳାଙ୍କ ନାମରେ ଅଧିକ ଜନ ଧନ ଖାତା

ଭୁବନେଶ୍ବର: ରାଜ୍ୟର ଏକ ନମ୍ବର ସମ୍ବାଦପତ୍ର ‘ସମ୍ବାଦ’ ପକ୍ଷରୁ ‘ସମ୍ବାଦ ସେମିନାର ସିରିଜ୍‌’ର ପ୍ରଥମ ସଂସ୍କରଣକୁ ଚଳିତ ମାସ ୨୭ ତାରିଖରେ ଭୁବନେଶ୍ବରରେ ଆୟୋଜନ କରାଯିବ। ଯେଉଁଥିରେ ବ୍ୟାଙ୍କ ଶିଳ୍ପର ବିଶିଷ୍ଟ ନେତୃବୃନ୍ଦ ଓ ଚିନ୍ତାନାୟକମାନେ ‘ବ୍ୟାଙ୍କିଙ୍ଗ୍‌ ଓ ଫାଇନାନ୍ସ’ ବିଷୟବସ୍ତୁ ଉପରେ ଆଲୋଚନା କରିବେ। ଏହି ପରିପ୍ରେକ୍ଷୀରେ ଏଠାରେ ରାଜ୍ୟର ବ୍ୟାଙ୍କ ଶିଳ୍ପ ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରାଯାଇଛି।

ଓଡ଼ିଶାରେ ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ୧.୯୯ କୋଟିରୁ ଅଧିକ ଜନ ଧନ ଖାତା ଖୋଲାଯାଇଛି। ଅଧିକାଂଶ ଖାତା ମହିଳାଙ୍କ ନାମରେ ଖୋଲାଯାଇଛି। ମୋଟ ଜନ ଧନ ଖାତା ମଧ୍ୟରୁ ମହିଳାମାନଙ୍କ ନାମରେ ୧ କୋଟି ୧୨ ଲକ୍ଷରୁ ଅଧିକ ଖାତା ଖୋଲାଯାଇଥିବା ବେଳେ ପୁରୁଷମାନଙ୍କ ନାମରେ ୮୭ ଲକ୍ଷ ୬୩ ହଜାରରୁ ଅଧିକ ଖାତା ଖୋଲାଯାଇଛି। ସର୍ବାଧିକ ଖାତା ବାଲେଶ୍ବର, କଟକ, ଗଞ୍ଜାମ, ମୟୂରଭଞ୍ଜ ଓ ବଲାଙ୍ଗୀର ଭଳି ଜିଲ୍ଲାରେ ଖୋଲାଯାଇଛି।
ତଥ୍ୟ ଅନୁଯାୟୀ, ବଲାଙ୍ଗୀରରେ ୧୦.୭୭ ଲକ୍ଷ, ବାଲେଶ୍ବରରେ ୧୩.୪୧ ଲକ୍ଷ, କଟକରେ ୧୦.୦୬ ଲକ୍ଷ, ଗଞ୍ଜାମରେ ୧୩.୭୭ ଲକ୍ଷ ଓ ମୟୂରଭଞ୍ଜରେ ୧୦.୪୭ ଲକ୍ଷରୁ ଅଧିକ ଜନ ଧନ ଖାତା ଖୋଲାଯାଇଛି। ରାଜ୍ୟରେ ଖୋଲାଯାଇଥିବା ମୋଟ ଖାତା ମଧ୍ୟରୁ ୧ କୋଟି ୫୬ ଲକ୍ଷରୁ ଅଧିକ ଖାତା ଗ୍ରାମାଞ୍ଚଳ‌ରେ ଖୋଲାଯାଇଥିବା ବେଳେ ୪୩.୩୧ ଲକ୍ଷରୁ ଅଧିକ ଖାତା ସହରାଞ୍ଚଳରେ ଖୋଲାଯାଇଛି। ଜନ ଧନ ଖାତାଗୁଡ଼ିକରେ ୮,୭୬୫.୧୮ କୋଟି ଟଙ୍କାରୁ ଅଧିକ ଜମା ରାଶି ରହିଛି। ରାଜ୍ୟର ଜନ ଧନ ଖାତା ଗ୍ରାହକମାନଙ୍କୁ ୧ କୋଟି ୪୪ ଲକ୍ଷ ୨୬ ହଜାର ୩୭୬ ରୁପେ କାର୍ଡ ଜାରି କରାଯାଇଛି। ୧ କୋଟି ୫୫ ଲକ୍ଷ ୪୮ ହଜାର ୪୬୧ ଖାତା ସହିତ ଆଧାର ଲିଙ୍କ୍‌ କରାଯାଇଛି।

ଜନ ଧନ ଖାତା ଭିତରେ ଜିରୋ ବାଲାନ୍ସ ଥିବା ଖାତା ସଂଖ୍ୟା ୧୨ ଲକ୍ଷ ୭୫ ହଜାର ୬୩୬ ରହିଛି। କଟକରେ ସର୍ବାଧିକ ୮୨,୪୬୭ ଜିରୋ ବାଲାନ୍ସ ଖାତା ଥିବା ବେଳେ ବାଲେଶ୍ବରରେ ୭୪,୫୯୫, ମୟୂରଭଞ୍ଜରେ ୭୩,୦୬୧, ଗଞ୍ଜାମରେ ୭୧,୮୭୩, ଖୋର୍ଦ୍ଧାରେ ୭୧,୦୯୩, କୋରାପୁଟରେ ୭୧,୦୦୬, ଭଦ୍ରକରେ ୬୦,୪୩୩, ବଲାଙ୍ଗୀରରେ ୫୯,୭୭୬, ଯାଜପୁରରେ ୬୯,୯୦୨, ପୁରୀରେ ୫୮,୬୦୩ ଜିରୋ ବାଲାନ୍ସ ଖାତା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe