ଚୀନ୍‌ ସଂସ୍ଥା ଉପରେ ଆୟକର ଚଢ଼ଉ: ୧୦୦୦ କୋଟିର ମନି ଲଣ୍ଡରିଂ ଧରାପଡ଼ିଲା, ଜାଲ୍ କଂପାନି ନାମରେ ବ୍ୟାଙ୍କ ଖାତା ଖୋଲୁଥିଲେ

Advertisment

ବ୍ୟାଙ୍କ କର୍ମଚାରୀ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ ସାହାଯ୍ୟ କରୁଥିଲେ

ବ୍ୟାଙ୍କ କର୍ମଚାରୀ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ ସାହାଯ୍ୟ କରୁଥିଲେ

ଆୟକର ନଦେଲେ ୨ ଗୁଣା ଟିଡିଏସ୍‌ କଟିବ, ଜୁଲାଇ ୧ରୁ ନୂଆ ନିୟମ

Image Courtesy of The Financial Express

ନୂଆଦିଲ୍ଲୀ: ଲଦାଖ୍‌ର ଗଲ୍‌ୱାନ ଘାଟି ସଂଘର୍ଷ ପରଠାରୁ ଚୀନ୍ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଥିବା ଭାରତ ସରକାର ବିଭିନ୍ନ ଉପାୟରେ ଚୀନ୍ ଉପରେ ଚାପ ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି। ସାମରିକ ପଦକ୍ଷେପ ବଦଳରେ ଅର୍ଥନୈତିକ କାର୍ଯ୍ୟାନୁଷ୍ଠାନ ଜରିଆରେ ଚୀନ୍‌କୁ ଘେରିବାକୁ ସରକାର ଚାହୁଛନ୍ତି। କିଛି ଦିନ ତଳେ ଚୀନ୍‌ର ‌୫୯ଟି ଆପ୍‌କୁ ନିଷିଦ୍ଧ କରାଯାଇଥିଲା। ଏହା ବ୍ୟତୀତ ଟାୟାର ଓ ରଙ୍ଗିନ ଟିଭି ଆଦି ଆମଦାନି ଉପରେ କଟକଣା ଲଗାଯାଇଛି। ରେଳ ଓ ସଡ଼କ ପ୍ରକଳ୍ପରେ ଚୀନ୍‌ କଂପାନିର ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ସଦ୍ୟତମ କାର୍ଯ୍ୟାନୁଷ୍ଠାନ ଭାବେ ଆୟକର ବିଭାଗ ପକ୍ଷରୁ ଭାରତରେ ଥିବା ଚୀନ୍‌ ସଂସ୍ଥାର କାର୍ଯ୍ୟାଳୟରେ ଚଢ଼ଉ କରାଯାଇଛି। ଚଢ଼ଉରୁ ୧୦୦୦ କୋଟି ଟଙ୍କାର ମନି ଲଣ୍ଡରିଂ କାରବାର ଧରାପଡ଼ିଛି। ଚୀନ୍‌ର କିଛି ବ୍ୟକ୍ତି ଓ ଭାରତରେ ଥିବା ସେମାନଙ୍କ ସହଯୋଗୀ ସଂସ୍ଥା ମନି ଲଣ୍ଡରିଂ ଓ ହାୱାଲା କାରବାରରେ ଲିପ୍ତ ଥିବା ଆୟକର ବିଭାଗ ପାଖରେ ସୂଚନା ପହଞ୍ଚିଥିଲା।

ଚୀନ୍‌ର ସଂସ୍ଥାଗୁଡ଼ିକ ନକଲି କଂପାନି ସ୍ଥାପନ କରି ତାହା ଜରିଆରେ ବେଆଇନ କାରବାର କରୁଥିଲେ। ସେହି ସୂଚନା ଆଧ‌ାରରେ ଆୟକର ବିଭାଗ ପକ୍ଷରୁ ଭାରତରେ ଥିବା ଚୀନ୍‌ର କିଛି ସଂସ୍ଥ‌ା, ସେମାନଙ୍କ ନିକଟତମ ସହଯୋଗୀ ଏବଂ କିଛି ବ୍ୟାଙ୍କ କର୍ମଚାରୀଙ୍କ ଘରେ ଚଢ଼ଉ କରାଯାଇଛି। ଚଢ଼ଉରୁ ଜଣାପଡ଼ିଛି ଯେ ଚୀନ୍‌ର ନାଗରିକଙ୍କୁ ଲାଭ ପହଞ୍ଚାଇବା ଲାଗି ଜାଲ୍ ସଂସ୍ଥା ନାମରେ ୪୦ ବ୍ୟାଙ୍କ ଖାତା ଖୋଲାଯାଇଥିଲା ଏବଂ ସେଥିରେ ୧୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଜମା ରାଶି ରଖାଯାଇଥିଲା। ଭାରତରେ ରିଟେଲ୍‌ ସୋ’ରୁମ୍ ଖୋଲିବା ଲାଗି ଚୀନ୍‌ର ଏକ କଂପାନିର ସହଯୋଗୀ ସଂସ୍ଥା କିଛି ଜାଲ୍ କଂପାନି ଠାରୁ ୧୦୦ କୋଟି ଟଙ୍କାର ଅଗ୍ରୀମ ନେଇଥିଲା ବୋଲି ମଧ୍ୟ ଚଢ଼ଉରୁ ଜଣାପଡ଼ିଛି। ବ୍ୟାଙ୍କ କର୍ମଚାରୀ ଓ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ମାନଙ୍କ ସହଯୋଗରେ ଚୀନ୍‌ର ସଂସ୍ଥା ମନି ଲଣ୍ଡରିଂ ଓ ହାୱାଲା କାରବାରରେ ଲିପ୍ତ ଥିଲେ ବୋଲି ଚଢ଼ଉରୁ ଜଣାପଡ଼ିଛି। ହଂକଂ ଓ ଆମେରିକୀୟ ଡଲାରରେ ବିଦେଶୀ ହାୱାଲା କାରବାର କରାଯାଇଥିବାର ପ୍ରମାଣ ମଧ୍ୟ ଆୟକର ବିଭାଗକୁ ମିଳିଛି। ଚାର୍ଲି ପେଙ୍ଗ୍‌ ନାମକ ଚୀନ୍‌ର ଜଣେ ନାଗରିକ ନକଲି ଭାରତୀୟ ପାସ୍‌ପୋର୍ଟ ବଳରେ ଛଅ ବର୍ଷ ଧରି ମଣିପୁରରେ ରହୁଥିଲେ। ମନି ଲଣ୍ଡରିଂ ଓ ହାୱାଲା କାରବାରରେ ତାଙ୍କୁ ଡ‌ଜନେରୁ ଅଧିକ ଲୋକ ସାହାଯ୍ୟ କରୁଥିଲେ। ପେଙ୍ଗ୍‌ଙ୍କ ପ୍ରକୃତ ନାମ ଲୁ ସାଙ୍ଗ୍‌ ବୋଲି ଜଣାପଡ଼ିଛି। ଏହି ମାମଲାରେ ମନି ଲଣ୍ଡରିଂର ତଦନ୍ତ ଦାୟିତ୍ବ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)କୁ ଦିଆଯିବ। ଏହି କାରବାର କେତେ ଦୂର ଲମ୍ବିଛି ତାହା ଜାଣିବା ଲାଗି ସିବିଆଇକୁ ମଧ୍ୟ ତଦନ୍ତ କରିବାକୁ କୁହାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe