ଦେଶ ପାଇଁ ନିରପେକ୍ଷ ଅଡିଟ୍ ଜରୁରୀ: ଶକ୍ତିକାନ୍ତ

Advertisment
ଖୋର୍ଦ୍ଧାରେ ରିଜର୍ଭ ବ୍ୟାଙ୍କ ଡାଟା ସେଣ୍ଟର୍‌ର ଶିଳାନ୍ୟାସ କଲେ ଶକ୍ତିକାନ୍ତ

gotravelblogger.com

ନୂଆଦିଲ୍ଲୀ: ବ୍ୟାବସାୟିକ ସଂସ୍ଥାଗୁଡ଼ିକର ଅଡିଟ୍ କରିବା ବେଳେ କୌଣସି ପ୍ରକାର ପକ୍ଷପାତ ନକରି ନିରପେକ୍ଷ ଅଡିଟ୍ କରିବାକୁ ଅଡିଟର୍‌ମାନଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆହ୍ବାନ ଦେଇଛନ୍ତି। ନ୍ୟାସନାଲ୍ ଏକାଡେମି ଅଫ୍‌ ଅଡିଟ୍‌ ଆଣ୍ଡ୍‌ ଆକାଉଣ୍ଟ୍‌ସର ଅଧିକାରୀମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଆମ ଦେଶ ପାଇଁ ଅଡିଟ୍ ନିହାତି ଜରୁରୀ। କାରଣ ଅଡିଟ୍ ରିପୋର୍ଟ ଆଧାରରେ ବ୍ୟୟ ନିଷ୍ପତ୍ତି ନିଆଯାଇଥାଏ। ଅନୁପଯୁକ୍ତ ସୂଚନା ବଳରେ ଉପଯୁକ୍ତ ନିଷ୍ପତ୍ତି ନେବା ସମ୍ଭବ ହୁଏ ନାହିଁ। ତେଣୁ ସମ୍ବଳ ଅଧିକ ଆବଣ୍ଟନ ହୁଏ ଯାହା ଜନସ୍ବାର୍ଥ ବିରୋଧୀ ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ ଅଡିଟ୍‌ରେ ଉନ୍ନତିର ଆବଶ୍ୟକତା ରହିଛି। ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାଗୁଡ଼ିକର ଅଡିଟ୍‌ରେ ଉନ୍ନତି ଆଣିବା ଲାଗି ଇନ‌୍‌ଷ୍ଟିଚ୍ୟୁଟ୍‌ ଅଫ୍ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ସ ଅଫ୍‌ ଇଣ୍ଡିଆ (ଆଇସିଏଆଇ) ସହ ପରାମର୍ଶ କରି ରିଜର୍ଭ ବ୍ୟାଙ୍କ ଅନେକ ପଦକ୍ଷେପ ଗ୍ରହଣ କରିଛି। ଚଳିତ ବର୍ଷ ଜାନୁଆରି ଠାରୁ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକର ବିପଦ ଅନୁଶୀଳନ ଭିତ୍ତିକ ଆଭ୍ୟନ୍ତରୀଣ ଅଡିଟ୍ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ଏହା ପରେ ବ୍ୟାଙ୍କଗୁଡ଼ିକର ସ୍ଥିତିରେ ସୁଧାର ପରିଲକ୍ଷିତ ହୋଇଥିବା ସେ କହିଛନ୍ତି। ଅଡିଟ୍ ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି ପଯୁକ୍ତି ଜ୍ଞାନକୌଶଳ ବ୍ୟବହାର କରିବା ଉପରେ ସେ ଜୋର ଦେଇଛନ୍ତି। ଅଡିଟର୍‌ମାନେ ପ୍ରଯୁକ୍ତି ବ୍ୟବହାର କଲେ ଲୁଚି ରହୁଥିବା ସନ୍ଦେହଜନକ କାରବାରକୁ ସହଜରେ ସହଜରେ ଚିହ୍ନଟ କରିପାରିବେ ବୋଲି ସେ କହିଛନ୍ତି।

ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶ୍ରୀ ଦାସ କହିଛନ୍ତି ଯେ ଅଡିଟ୍ ବେଳେ ଚତୁରତା ଅବଲମ୍ବନ କରି ଲାଭକୁ ବଢ଼ାଇଚଢ଼ାଇ ଓ ବ୍ୟୟକୁ କମ୍ କରି ପ୍ରଦର୍ଶିତ କରିବାର ଏକ ପ୍ରଥା ପ୍ରଚଳନରେ ରହିଛି। ବିଭିନ୍ନ ଉପାୟରେ ପାଣ୍ଠିକୁ ଅନ୍ୟତ୍ର କିମ୍ବା ନିଜ ଗ୍ରୁପ୍‌ର ସଂସ୍ଥାଗୁଡ଼ିକୁ ସ୍ଥାନାନ୍ତର କରାଯାଉଛି। ଇନ୍‌ଭଏସ୍‌ ମୂଲ୍ୟ କମ୍ କରି ପ୍ରଦର୍ଶନ କରାଯାଉଥିବା ବେଳେ ସମ୍ପତ୍ତି ହସ୍ତାନ୍ତର ବେଳେ ତାହାର ଉଚିତ ମୂଲ୍ୟ ବାହାର କରାଯାଉନାହିଁ। ଏଭଳି ସବୁ ପ୍ରକାର ତ୍ରୁଟି କିମ୍ବା କାରସାଦିକୁ ଅଡିଟର୍‌ ଚିହ୍ନଟ କରିବା ଦରକାର। ସେଥିପାଇଁ କଂପାନି କାରବାର ଉପରେ ଅଡିଟର୍‌ଙ୍କୁ ତୀକ୍ଷ୍‌ଣ ନଜର ରଖିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଏବେ କିଛି ସଂସ୍ଥା ପ୍ରଯୁକ୍ତି ମାଧ୍ୟମରେ ହିସାବ ଖାତାର ଏକ ଚମତ୍କାର ଚିତ୍ର ଉପସ୍ଥାପନ କରିବାରେ ସଫଳ ହେଉଛନ୍ତି। ସେମାନେ ପ୍ରଯୁକ୍ତିର ଏଭଳି ବହୁ ସଂଖ୍ୟକ ସ୍ତର ବ୍ୟବହାର କରୁଛନ୍ତି ଯାହା ଫଳରେ ପ୍ରକୃତ ଚିତ୍ର ଲୁଚି ଯାଉଛି। ସେଭଳି କାରସାଦିକୁ ଜାଣିବା ଲାଗି ଅଡିଟରମାନଙ୍କୁ ସୂଚନା ପ୍ରଯୁକ୍ତି ବ୍ୟବହାର କରିବାରେ ପ୍ରବୀଣ ହେବାକୁ ପଡ଼ିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe