ଭୁବନେଶ୍ବର: ଆସନ୍ତାକାଲିଠାରୁ ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ଏଆଇ ଇମ୍ପାକ୍ଟ ସମ୍ମିଳନୀ ଆରମ୍ଭ ହେଉଛି। ସେଥିରେ ଓଡ଼ିଶା ସରକାର ଭାଗ ନେଇ ରାଜ୍ୟର ଏଆଇ କୌଶଳ ଉପସ୍ଥାପନ କରିବେ। ସମ୍ମିଳନୀରେ ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ଓଡ଼ିଶା ପାଭିଲିୟନ ସ୍ଥାପନ କରାଯାଇଛି। ସେଥିରେ ରାଜ୍ୟ ସରକାର ଓଡ଼ିଶାରେ ଏଆଇର ବିକାଶ, ସମ୍ଭାବନା ଓ ଓଡ଼ିଶା ଏଆଇ ନୀତିରେ ଥିବା ସୁବିଧାସୁଯୋଗଗୁଡ଼ିକୁ ଉପସ୍ଥାପନ କରି ପୁଞ୍ଜିନିବେଶ ଆକୃଷ୍ଟ କରିବାକୁ ଉଦ୍ୟମ କରିବେ। ରାଜ୍ୟବ୍ୟାପୀ ଏଆଇ ମୂତୟନ କରିବା ଲକ୍ଷ୍ୟ ନେଇ ଓଡ଼ିଶା ଏଆଇ ନୀତି ୨୦୨୫ ଘୋଷଣା କରାଯାଇଛି। ଆଇଟି ବିଭାଗ ଅଧୀନ‌ରେ ଏକ ଉତ୍ସର୍ଗୀକୃତ ଆଇଟି ସେଲ୍‌ ଗଠନ କରାଯାଇଛି। ରାଜ୍ୟ ସରକାର ଓଡ଼ିଶା ଏଆଇ ମିସନ ସ୍ଥାପନ କରିଛନ୍ତି। ଏଆଇ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଶିଳ୍ପ ସହଯୋଗିତା ଓ ଦକ୍ଷତା ଗଠନ ପାଇଁ ନାସ୍‌କମ୍‌ ଓ ୱାଧୱାନି ଫାଉଣ୍ଡେସନ ସହ ସରକାର ବୁଝାମଣା କରିଛନ୍ତି। ଏଆଇ କ୍ଷେତ୍ରରେ ଗବେଷଣା ଓ ମଡେଲ୍‌ ବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଇଣ୍ଡିଆଏଆଇ ମିସନ ଅଧୀନରେ ଭୁବନେଶ୍ବରରେ ରାଜ୍ୟ ଏଆଇ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରାଯାଇଛି। କ୍ଷେତ୍ର ଆଧାରିତ ଗବେଷଣାକୁ ସହଯୋଗ କରିବାକୁ ଆଇଆଇଟି ଭୁବନେଶ୍ବରରେ ସହ ମଧ୍ୟ ଏକ ଏମ୍‌ଓୟୁ ସ୍ବାକ୍ଷର କରାଯାଇଛି। ଓଡ଼ିଆ ଭାଷା ଆଧାରିତ ଏଆଇ ସମାଧାନ ବିକାଶ କରିବା ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ସେଥିପାଇଁ ‘ଭାଷିନି’ ସହ ବୁଝାମଣା କରାଯାଇଛି। ରାଜ୍ୟର ସବୁ ନାଗରିକଙ୍କ ପାଖରେ ଏଆଇ ସମାଧାନ ପହଞ୍ଚାଇବା ଉପରେ ଗୁରୁତ୍ବ ଦେଉଛନ୍ତି।

Advertisment

Cyber Attack: ସାଇବର ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ

ଭାରତ ମଣ୍ଡପମ୍‌ରେ ଓଡ଼ିଶା ପାଭିଲିୟନ

ଗତବର୍ଷ ଡି‌ସେମ୍ବରରେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ପକ୍ଷରୁ ଭୁବନେଶ୍ବରରେ ଆଞ୍ଚଳିକ ଏଆଇ ସମ୍ମିଳନୀ ଆୟୋଜନ କରାଯାଇଥିଲା। ସେଥିରେ ଆଇଟି ବିଭାଗର ପ୍ରମୁଖ ସଚିବ ବିଶାଲ କୁମାର ଦେବ କହିଥିଲେ ଯେ ନିଜସ୍ବ ଆଇଟି ନୀତି ଆଣିବାରେ ଓଡ଼ିଶା ହେଉଛି ଦେଶର ପ୍ରଥମ ରାଜ୍ୟ। ପ୍ରଶାସନିକ ବ୍ୟବସ୍ଥାରେ ଏଆଇ ବ୍ୟବହାର କରିବାରେ ଓଡ଼ିଶା ଅଗ୍ରଣୀ ସ୍ଥାନ ବଜାୟ ରଖିବାକୁ ଚାହୁଥିବା ସେ କହିଥିଲେ। ଏଆଇ କ୍ଷେତ୍ରରେ ଦକ୍ଷ ମାନବ ସମ୍ବଳ ଆବଶ୍ୟକତା ପୂରଣ କରିବା ଉପରେ ମଧ୍ୟ ସରକାର କାର୍ଯ୍ୟ କରୁଛନ୍ତି। ୨୦୨୯ ସୁଦ୍ଧା ୧୫ ପ୍ରତିଶତ ଓ ୨୦୩୬ ସୁଦ୍ଧା ୫୫ ପ୍ରତିଶତ ବିଜ୍ଞାନ, ପ୍ରଯୁକ୍ତି, ଇଞ୍ଜିନିୟରିଂ ଓ ମ୍ୟାନେଜମେଣ୍ଟ୍‌ ସ୍ନାତକଙ୍କୁ ଉଦୀୟମାନ ପ୍ରଯୁକ୍ତି ଉପରେ ତାଲିମ ପ୍ରଦାନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏକ ସୋଭରେନ୍‌ ଏଆଇ ପାର୍କ ସ୍ଥାପନ କରିବା ପାଇଁ ନିକଟରେ ରାଜ୍ୟ ସରକାର ସର୍ବମ୍‌ ଏଆଇ ସହ ଏକ ୨୩୦ କୋଟି ଡଲାରର ବୁଝାମଣା କରିଥିଲେ। ନିକଟରେ ଅନୁଷ୍ଠିତ ବ୍ଲାକ୍‌ ସ୍ବାନ୍‌ ସମ୍ମିଳନୀ ଅବସରରେ ଉକ୍ତ ବୁଝାମଣା ହୋଇଥିଲା।

ଅଣ ପ୍ରତିରକ୍ଷା କ୍ଷେତ୍ରରେ ବିନିଯୋଗ: ସି-ପ୍ଲେନ୍‌ ନିର୍ମାଣ କରିବ ‘ହାଲ୍’

ସମ୍ମିଳନୀ ପାଇଁ ଭାରତ ହିଁ ଉପଯୁକ୍ତ ସ୍ଥାନ: ଗୁଟେରସ୍‌

ନୂଆଦିଲ୍ଲୀ: ସୋମବାରଠାରୁ ନୂଆଦିଲ୍ଲୀରେ ଆରମ୍ଭ ହେବ ଆନ୍ତର୍ଜାତିକ ଏଆଇ ସମ୍ମିଳନୀ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଦେଶବିଦେଶରୁ  ସୂଚନାପ୍ରଯୁକ୍ତି ବିଶେଷଜ୍ଞଙ୍କ ନୂଆଦିଲ୍ଲୀ ଆଗମନ ଜାରି ରହିଥିବା ବେଳେ ସାରା ବିଶ୍ବର ନଜର ଏବେ ଭାରତ ଉପରେ ରହିଛି। ତେବେ ଏଭଳି ସ୍ଥିତିରେ ଭାରତକୁ ପ୍ରଶଂସା କରିବା ସହିତ ଏହା ଏଆଇ ସମ୍ମିଳନୀ ଆୟୋଜନ କରିବା ପାଇଁ ଉପଯୁକ୍ତ ସ୍ଥାନ ବୋଲି କହିଛନ୍ତି ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍‌। ଭାରତ ବିଶ୍ବରେ ଏକ ପ୍ରଭାବଶଳୀ ଓ ସଫଳ ଅର୍ଥନୀତି ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଥିବା ସେ କହିଛନ୍ତି। ଏଥିପାଇଁ ସେ ଭାରତବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆଜିର ଯୁଗରେ କୃତିମ ବୁଦ୍ଧିମତା ବା ଏଆଇ ବିକଶିତ ରାଷ୍ଟ୍ରଠାରୁ ଆରମ୍ଭ କରି ସ୍ବଳ୍ପ ବିକଶିତ ରାଷ୍ଟ୍ର ପର୍ଯ୍ୟନ୍ତ ସବୁଠାରେ ଅତି ଉପଯୋଗୀ। ଏହି ଦୃଷ୍ଟିରୁ ନୂଆଦିଲ୍ଲୀରେ ହେବାକୁ ଥିବା ଏହି ସମ୍ମିଳନୀ ଏଆଇ କ୍ଷେତ୍ରରେ ନୂଆ ସମ୍ଭାବନାର ଦିଗ ଆବିଷ୍କାର କରିବ ଓ ମାନବ ଜାତିର ସର୍ବାଧିକ ମଙ୍ଗଳ ଦିଗରେ ଏଆଇ ବିନିଯୋଗ ହେବ ବୋଲି ସେ ଆଶବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ ଚଳିତ ମାସ ୧୬ ତାରିଖରୁ ଆରମ୍ଭ ହେଉଥିବା ଏହି ସମ୍ମିଳନୀ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।