ନୂଆଦିଲ୍ଲୀ: ଗତକାଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୨୬% ପାଲଟା ଶୁଳ୍କ ଲଗାଇଥିଲେ। ଅର୍ଥନୀତିକୁ ତାହା କିଭଳି ପ୍ରଭାବିତ କରିବ ତାହା ଜାଣିବା ଲାଗି ସରକାର ଉଦ୍ୟମ କରୁଛନ୍ତି। ତାହା ଜଣାପଡ଼ିବା ପରେ ସରକାର ପରବର୍ତ୍ତୀ ପଦକ୍ଷେପ ବିଷୟରେ ଚିନ୍ତା କରିବେ। ତେବେ ବିଭିନ୍ନ ସଂସ୍ଥାର ଆକଳନ ଅନୁସାରେ ଏହି ଶୁଳ୍କ ଦ୍ବାରା ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ୦.୧-୦.୫ % ପର୍ଯ୍ୟନ୍ତ ପ୍ରଭାବିତ ହେବା ଆଶଙ୍କା ରହିଛି।
ବିଶେଷଜ୍ଞଙ୍କ ଆକଳନ ଅନୁସାରେ ଆମେରିକାର ଶୁଳ୍କ ଦ୍ବାରା ଭାରତର ରପ୍ତାନି ପ୍ରଭାବିତ ହେବ। ବିଶେଷ କରି ମାଂସ, ମାଛ, ସିଫୁଡ୍, ପ୍ରକ୍ରିୟାକୃତ ଖାଦ୍ୟ, ଚିନି, କୋକୋଆ, ଶସ୍ୟ, ପନିପରିବା, ଫଳ, ମସଲା, ଦୁଗ୍ଧଜାତ ସାମଗ୍ରୀ, ଖାଇବା ତେଲ, ଜେନେରିକ ଔଷଧ, ଫାର୍ମା ଉତ୍ପାଦ, ହୀରା, ସୁନା, ରୁପା, ବିଦ୍ୟୁତ ଉପକରଣ, ଟେଲିକମ ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ, ରସାୟନ ସାମଗ୍ରୀ, ବୟନ, କପଡ଼ା, କପା, କାର୍ପେଟ୍, ରବର, ଟାୟାର, ବେଲ୍ଟ, ସେରାମିକ, କାଚ, ପଥର ସାମଗ୍ରୀ, ଜୋତା ଓ ଗାଡ଼ି ରପ୍ତାନି ପ୍ରଭାବିତ ହେବା ଆଶଙ୍କା ରହିଛି।
ଟ୍ରମ୍ପଙ୍କ ପାଲଟା ଶୁଳ୍କରେ ଅନେକ ରୋଚକ ଦିଗ ହେଉଛି, ସେ ଜାରି କରିଥିବା ତାଲିକାରେ ରୁଷ୍ ନାମ ନାହିଁ। ଶୁଳ୍କ ଲଗାଇବା ବେଳେ ଟ୍ରମ୍ପ କାହା ପ୍ରତି ଦୟା ଦେଖାଇନାହାନ୍ତି। ମାତ୍ର ୨୧୮୮ ଜଣ ଲୋକ ବାସ କରୁଥିବା ନୋରଫୋକ୍ ଦ୍ବୀପ ଏବଂ ଆଦୌଁ ଜନବସତି ନଥିବା ହର୍ଡ ଓ ମ୍ୟାକଡୋନାଲ୍ଡ ଦ୍ବୀପ ଉପରେ ମଧ୍ୟ ସେ ଶୁଳ୍କ ଲଗାଇଛନ୍ତି। ଟ୍ରମ୍ପଙ୍କ ପାଲଟା ଶୁଳ୍କକୁ ବିଶ୍ବର ବିଭିନ୍ନ ନେତା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଚଳିତ ମାସ ୯ରୁ ୬୦ ପାଖାପାଖି ଦେଶ ଉପରେ ଏହି ଶୁଳ୍କ ଲାଗୁ ହେବ। ଇଟାଲୀ, ଅଷ୍ଟ୍ରେଲିଆ, ଭିଏତନାମ୍, ସ୍ପେନ୍, ଆୟରଲ୍ୟାଣ୍ଡ, ବ୍ରିଟେନ୍ ଓ ଜର୍ମାନୀ ପ୍ରଧାନମନ୍ତ୍ରୀ ଓ ଚାନ୍ସେଲର ଏହାକୁ ଏକ ଭୁଲ ନିଷ୍ପତ୍ତି ବୋଲି କହି ସମାଲୋଚନା କରିଛନ୍ତି। ଚୀନ୍ ସରକାର ଓ ୟୁରୋପୀୟ ସଂଘ ପାଲଟା ଟିକସ ଲଗାଇବାକୁ ସଂକଳ୍ପ ନେଇଛନ୍ତି।
Follow Us