Image Source: The Economic Times
ନୂଆଦିଲ୍ଲୀ: ଭାରତର ଅର୍ଥନୈତିକ ସ୍ଥିତି ଗମ୍ଭୀର ହେଲାଣି। ନିରାଶାଜନକ ଅର୍ଥନୈତିକ ସ୍ଥିତିର ଦ୍ବାରଦେଶରେ ଭାରତ ପହଞ୍ଚିଲାଣି ବୋଲି ଅର୍ଥନୀତିଜ୍ଞମାନେ କହିଛନ୍ତି। ପଞ୍ଚଦଶ ଅର୍ଥ ଆୟୋଗର ଅଧ୍ୟକ୍ଷ ଏନ କେ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦୁଇ ଦିନିଆ ବୈଠକର ପ୍ରଥମ ଦିନରେ ଅର୍ଥନୀତିଜ୍ଞମାନେ ଏଭଳି ଚିନ୍ତା ପ୍ରକଟ କରିଛନ୍ତି। ପ୍ରଥମ ଦିନର ରୁଦ୍ଧ ଦ୍ବାର ସମ୍ମିଳନୀରେ ଅର୍ଥନୀତିଜ୍ଞ ସାଜିଦ ଚିନୟ, ପ୍ରାଚୀ ମିଶ୍ରଙ୍କ ଭଳି ଅର୍ଥନୀତିଜ୍ଞମାନେ ଯୋଗ ଦେଇଥିଲେ। ବୈଠକରେ ଅର୍ଥନୀତିଜ୍ଞ ଓମ୍କାର ଗୋସ୍ବାମୀ ବର୍ତ୍ତମାନର ଆର୍ଥିକ ସଂକଟକୁ ଗତ ଶତାବ୍ଦୀର ମହା ମାନ୍ଦାବସ୍ଥାଠାରୁ ମଧ୍ୟ ଖରାପ ବୋଲି କହିଥିଲେ। ଅନ୍ୟ ଦୁଇ ଅର୍ଥନୀତିଜ୍ଞ ମଧ୍ୟ ବର୍ତ୍ତମାନର ପରିସ୍ଥିତିକୁ ନିରାଶଜନକ ଦର୍ଶାଇଥିଲେ। ଶୁକ୍ରବାର ଅନ୍ୟ ଅର୍ଥନୀତି ବିଶାରଦ ଯଥା ଅରବିନ୍ଦ ଭିରମାନି, ଇନ୍ଦିରା ରାଜାରମଣ,ଏମ ଗୋବିନ୍ଦା ରାଓ, ସୁଦୀପ୍ତ ମୁଣ୍ଡଲେ, ସରକାରଙ୍କ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା କୃଷ୍ଣମୂର୍ତ୍ତି ସୁବ୍ରମଣିଅନ୍ ପ୍ରମୁଖଙ୍କ ସହିତ ଏନ କେ ସିଂହଙ୍କ ଆଲୋଚନା କାର୍ଯ୍ୟକ୍ରମ ରହିଥିଲା। ଗତ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅର୍ଥନୀତିଜ୍ଞମାନଙ୍କ ସହିତ ଦୀର୍ଘ ସମୟ ଧରି ମାନସମନ୍ଥନ କରିଥିଲେ। ଏହି ବୈଠକରେ ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର, ସିଇଓ ଅମିତାଭ କାନ୍ତ ପ୍ରମୁଖ ଭାରତର ଅର୍ଥନୀତିର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ।
Follow Us