୩୦ ବର୍ଷ ପଛକୁ ଫେରିଯିବ ଭାରତ, ଅଭିବୃଦ୍ଧି ୨%କୁ ହ୍ରାସ ପାଇବ: ଫିଚ୍‌

୩୦ ବର୍ଷ ପଛକୁ ଫେରିଯିବ ଭାରତ, ଅଭିବୃଦ୍ଧି ୨%କୁ ହ୍ରାସ ପାଇବ: ଫିଚ୍‌

ନୂଆଦିଲ୍ଲୀ: କରୋନା ଭୂତାଣୁକୁ ନିୟନ୍ତ୍ରଣରେ ରଖିବା ଲାଗି ଘୋଷଣା କରାଯାଇଥିବା ୨୧ ଦିନିଆ ଲକ୍‌ ଡାଉନ୍‌କୁ ନେଇ ସୃଷ୍ଟି ହୋଇଥିବା ସ୍ଥିତି ଦେଶର ଅର୍ଥନୀତି ଲାଗି ବଡ଼ ଧରଣର ବିପଦ ସୃଷ୍ଟି କରିଛି। ଏହାର ପ୍ରଭାବରେ ଭାରତର ଅଭିବୃଦ୍ଧି ହାର ୩୦ ବର୍ଷ ପଛକୁ ଫେରିଯିବା ଭଳି ବିପଦ ସୃଷ୍ଟି ହୋଇଛି। ଭାରତର ଅଭିବୃଦ୍ଧି ହାର ୫.୧ ପ୍ରତିଶତ ବଦଳରେ ୨ ପ୍ରତିଶତ ଭଳି ନିମ୍ନ ସ୍ତରକୁ ଖସିଯିବ ବୋଲି ରେଟିଂ ଏଜେନ୍ସି ଫିଚ୍‌ ଆକଳନ କରିଛି। ଫିଚ୍‌ ଆକଳନ କରିଛି ଯେ ସାରା ବିଶ୍ବରେ ମାନ୍ଦାବସ୍ଥା ଦେଖାଦେବ। ପୂର୍ବରୁ ଭାରତ ସମ୍ପର୍କରେ ଏହା କହିଥିଲା ଯେ ୨୦୨୦-୨୧ ଆର୍ଥିକ ବର୍ଷରେ ଏହି ଦେଶର ଅଭିବୃଦ୍ଧି ହାର ୫.୧ ପ୍ରତିଶତ ଭଳି ନିମ୍ନ ସ୍ତରକୁ ଖସିଯିବ। ଏବେ ନିଜ କଥାକୁ ବଦଳାଇ ଏହା ଜଣାଇଛି ଯେ ଭାରତର ଅଭିବୃଦ୍ଧି ହାର ୨ ପ୍ରତିଶତ ଭଳି ନିମ୍ନ ସ୍ତରକୁ ଖସିଯିବା ଭଳି ଆଶଙ୍କା ସୃଷ୍ଟି ହୋଇଛି। ଶେଷ ଥର ପାଇଁ ୩୦ ବର୍ଷ ତଳେ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା।

ଦେଶରେ ଲକ୍‌ ଡାଉନ୍‌ ଘୋଷଣା କରାଯାଇଥିବାରୁ ଗ୍ରାହକମାନ କରୁଥିବା ବ୍ୟୟ ପରିମାଣ ହ୍ରାସ ପାଇଛି। ଏହା ଦ୍ବାରା ଲଘୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ସଂସ୍ଥା (ଏମ୍ଏସ୍‌ଏମ୍‌ଇ) ଓ ସେବା କ୍ଷେତ୍ର ଅଧିକ କ୍ଷତିଗ୍ରସ୍ତ ହେବ ବୋଲି ଫିଚ୍‌ କହିଛି। କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ସଂସ୍ଥାଗୁଡ଼ିକ ଅଣ ବ୍ୟାଙ୍କିଙ୍ଗ୍‌ ଆର୍ଥିକ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକ ଠାରୁ ଋଣ ଆଣି କାରବାର କରୁଛନ୍ତି। ଯଦି ସେମାନଙ୍କ ଆୟ ପ୍ରଭାବିତ ହେବ ତେବେ ସେମ‌ାନେ ଋଣ ପରିଶୋଧ କରିବାରେ ସମସ୍ୟା ସାମ୍ନା କରିବେ ଯାହା ଦ୍ବାରା ଆର୍ଥିକ କ୍ଷେତ୍ର ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଲକ୍‌ ଡାଉନ୍‌ ଘୋଷଣା ପରେ ବିଭିନ୍ନ ସ୍ଥାନରେ ଆଇନ ଶୃଙ୍ଖଳା ବଜାୟ ରଖିବା ଏବଂ ଲୋକମାନଙ୍କୁ ଘର ଭିତରେ ରଖିବା ଲାଗି ଅନେକ କଠୋର ପଦକ୍ଷେପ ଗ୍ରହଣ କରାଯାଇଛି। ଏହାର ପ୍ରଭାବରେ ବ୍ୟବସାୟ ଏକ ପ୍ରକାର ଠପ୍ ହୋଇଯାଇଛି। ଏହାର ପ୍ରଭାବରେ କଂପାନିଗୁଡ଼ିକର ପରିଚାଳନା ଓ ଆର୍ଥିକ ପ୍ରଦର୍ଶନ ପ୍ରଭାବିତ ହୋଇଛି। ସରକାର ଜାରି କରିଥିବା କଟକଣା ଯୋଗୁଁ ଅଣ ବ୍ୟାଙ୍କିଙ୍ଗ୍‌ ଆର୍ଥିକ ସଂସ୍ଥା (ଏନବିଏଫ୍‌ସି)ଗୁଡ଼ିକ ଲାଗି କାରବାର କରିବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି। ୨୦୧୮-୧୯ରେ ଏହି ସଂସ୍ଥାଗୁଡ଼ିକ ଘୋର ସଙ୍କଟ ଦେଇ ଗତି କରିଥିଲେ। ସେଥି ସ୍ଥିତିରେ ଧୀରେ ଧୀରେ ସୁଧାର ହେଉଥିବା ବେଳେ କରୋନା ଲାଗି ଜାରି କରାଯାଇଥିବା କଟକଣା ସୁଧାରର ଗତିକୁ ମନ୍ଥର କରିଦେଇଛି। ଫିଚ୍‌ ତରଫରୁ ଏନ୍‌ବିଏଫ୍‌ସିଗୁଡ଼ିକର ରେଟିଂକୁ ବିଯୁକ୍ତାତ୍ମକ କରାଯାଇଛି। ଏହାର ଅର୍ଥ ହେଉଛି ସେମାନେ‌ ଦେଇଥିବା ଋଣ ପରିଶୋଧ ହେବାର ବହୁତ କମ୍ ସମ୍ଭାବନା ରହିଛି। ଗତ ସପ୍ତାହରେ ଅନ୍ୟତମ ରେଟିଂ ଏଜେନ୍ସି ମୁଡିସ୍‌ ପକ୍ଷରୁ ଭାରତର ଅଭିବୃଦ୍ଧି ହାରକୁ ୨.୫ ପ୍ରତିଶତକୁ ହ୍ରାସ କରାଯାଇଥିଲା। ଏହି ସଂସ୍ଥା ପୂର୍ବରୁ କହିଥିଲା ଯେ ଭାରତ ୫.୩ ପ୍ରତିଶତ ହାରରେ ଆଗକୁ ବଢ଼ିବ। ମାତ୍ର କରୋନା ମୁକାବିଲା ଲାଗି ସରକାର ଲକ୍ ଡାଉନ୍ ଘୋଷଣା କରିବା ପରେ ଏହା ନିଜର ଆକଳନକୁ ବଦଳାଇ ଦେଇଛି। ସେହିପରି, ଏସିଆନ୍ ଡେଭେଲପ୍‌ମେଣ୍ଟ୍‌ ବ୍ୟାଙ୍କ (ଏଡିବି) ତରଫରୁ ଆକଳନ କରାଯାଇଛି ଯେ ଭାରତର ଅଭିବୃଦ୍ଧି ହାର ୨୦୨୦-୧ରେ ୪ ପ୍ରତିଶତ ଭଳି ନିମ୍ନ ସ୍ତରକୁ ହ୍ରାସ ପାଇବ।

ଅଭିବୃଦ୍ଧି ୧୯୯୧ ପରେ ସର୍ବନିମ୍ନ ସ୍ତରକୁ ଖସିବ: ଅର୍ଥନୀତିଜ୍ଞ
ନୂଆଦିଲ୍ଲୀ: ଛଅ ବର୍ଷର ନିମ୍ନ ସ୍ତରକୁ ଖସି ସାରିଥିବା ଭାରତର ଅଭିବୃଦ୍ଧି ହାର ଆହୁରି କମିବ। କରୋନା ପ୍ରଭାବ ଯୋଗୁଁ ଭାରତର ଅଭିବୃଦ୍ଧି ୧୯୯୧ ପରେ ସର୍ବନିମ୍ନ ସ୍ତରକୁ ଖସିବ ବୋଲି ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ପବ୍ଲିକ୍ ଫାଇନାନ୍ସ ଆଣ୍ଡ୍‌ ପଲିସିର ପ୍ରଫେସର ଏନ୍ ଆର୍‌ ଭାନୁମୂର୍ତ୍ତୀ କହିଛନ୍ତି।

ସେ କହିଛନ୍ତି, ୧୯୯୧ର ସଂସ୍କାର ପ୍ରକ୍ରିୟା ପରବର୍ତ୍ତୀ ସମୟରେ ଭାରତର ଅଭିବୃଦ୍ଧି ଉଚ୍ଚ ସ୍ତରରେ ପହଞ୍ଚିବା ପରେ ବିଗତ କିଛି ବର୍ଷରେ ତାହା ତଳକୁ ଖସୁଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ସର୍ବନିମ୍ନ ସ୍ତରକୁ ଖସିଯିବ। ଅବଶ୍ୟ, କରୋନା ମୁକାବିଲା ଲାଗି କେନ୍ଦ୍ର ସରକାର ଗ୍ରହଣ କରିଥିବା ପଦକ୍ଷେପଗୁଡ଼ିକ ଯୋଗୁଁ କିଛି ତ୍ରୟମାସ ପରେ ସ୍ଥିତିରେ ସୁଧାର ହେବ ବୋଲି ସେ କହିଛନ୍ତି। ୨୦୨୫ ସୁଦ୍ଧା ୫ ଟ୍ରିଲିଅନ୍ ଡଲାରର ଅର୍ଥନୀତି ହେବା ଲାଗି ଭାରତ ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହା ହାସଲ କରିବା କଷ୍ଟକର ହୋଇପଡ଼ିବ ବୋଲି ସେ କହିଛନ୍ତି। ସାରା ଦୁନିଆରେ ଯେହେତୁ ମାନ୍ଦାବସ୍ଥା ଦେଖାଦେବ, ତେଣୁ ଭାରତ ପାଇଁ ୫ ଟ୍ରିଲିଅନ୍ ଡଲାର ଅର୍ଥନୀତି ଲକ୍ଷ୍ୟ ହାସଲ କରିବା ଏବେ ଦୂର ସ୍ବପ୍ନରେ ପରିଣତ ହୋଇଛି ବୋଲି ସେ କହିଛନ୍ତି। ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ଟଙ୍କା ଯେଉଁଭଳି ଭାବେ ଦୁର୍ବଳ ହେଉଛି ତାହାକୁ ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି। କରୋନା ମୁକାବିଲା ଲାଗି କେନ୍ଦ୍ର ସରକାର ପ୍ରଥମ ପର୍ଯ୍ୟାୟରେ ଯେଉଁ ୧.୭ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି ତାହା ଯଥେଷ୍ଟ ନୁହେଁ ବୋଲି ସେ କହିଛନ୍ତି। ସରକାର ଅଧିକ ଟଙ୍କା ଛପାଇ ଆର୍ଥିକ ପ୍ରୋତ୍ସାହନକୁ ତ୍ବରାନ୍ବିତ କରିବା ଦରକାର ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe