ଭାରତ-ଇୟୁ ଏଫ୍‌ଟିଏ ଆଲୋଚନା ପୁଣି ଆରମ୍ଭ, ୨୦୧୩ରୁ ସହମତି ଅଭାବରୁ ଅଟକିଥିଲା

Advertisment
ଭାରତ-ଇୟୁ ଏଫ୍‌ଟିଏ ଆଲୋଚନା ପୁଣି ଆରମ୍ଭ, ୨୦୧୩ରୁ ସହମତି ଅଭାବରୁ ଅଟକିଥିଲା

EquityPandit

ନୂଆଦିଲ୍ଲୀ: ଭାରତ ଓ ୟୁରୋପୀୟ ସଂଘ (ଇୟୁ) ମଧ୍ୟରେ ମୁକ୍ତ ବାଣିଜ୍ୟ ରାଜିନାମା (ଏଫ୍‌ଟିଏ) ପାଇଁ ଦୁଇ ପକ୍ଷ ମଧ୍ୟରେ ଆଲୋଚନା ଦୀର୍ଘ ୯ ବର୍ଷର ବ୍ୟବଧାନ ପରେ ପୁଣି ଆରମ୍ଭ ହୋଇଛି। ୟୁରୋପୀୟ ସଂଘର ମୁଖ୍ୟାଳୟ ବ୍ରସେଲ୍ସଠାରେ ଏହି ଆଲୋଚନାରେ ଭାରତ ପକ୍ଷରୁ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଓ ଇୟୁ ପକ୍ଷରୁ ଏହାର କାର୍ଯ୍ୟକାରୀ ଉପାଧ୍ୟକ୍ଷ ୱାଲ୍ଡିସ ଡୋମ୍ବ୍ରୋଭସ୍କିସ୍‌ ଭାଗ ନେଇଛନ୍ତି। ବାଣିଜ୍ୟ, ନିବେଶ ଓ ଭୌଗୋଳିକ ସଂକେତ (ଜିଆଇ) କ୍ଷେତ୍ରରେ ପ୍ରସ୍ତାବିତ ରାଜିନାମା ପାଇଁ ଦୁଇ ପକ୍ଷ ମଧ୍ୟରେ ବିଶେଷ ଆଲୋଚନା ଚାଲିଛି। ତେଣୁ ଏସବୁ କ୍ଷେତ୍ରରେ ରାଜିନାମା ହୋଇ ପାରିଲେ ଉଭୟ ପକ୍ଷ ଅଧିକ ଉପକୃତ ହେବେ। ଦୁଇପକ୍ଷ ମଧ୍ୟରେ ଥିବା ବାଣିଜ୍ୟିକ ସାମର୍ଥ୍ୟକୁ ଉପଯୋଗ କରାଯାଇ ଅର୍ଥନୈତିକ ସଂପର୍କକୁ ଆହୁରି ମଜଭୁତ କରାଯାଇ ପାରିବ।

ଉଲ୍ଲେଖଯୋଗ୍ୟ, ୨୭ ଦେଶ ବିଶିଷ୍ଟ ୟୁରୋପୀୟ ସଂଘ ସହିତ ବାଣିଜ୍ୟ ରାଜିନାମା ପାଇଁ ଭାରତ ୨୦୦୭ ମସିହାରେ ଆଲୋଚନା ଆରମ୍ଭ କରିଥିଲା। କିଛି ପ୍ରମୁଖ ପ୍ରସଙ୍ଗରେ ଉଭୟ ପକ୍ଷ ସହମତିରେ ପହଞ୍ଚି ନପାରିବାରୁ ଆଲୋଚନା ୨୦୧୩ ମସିହାରେ ଆଉ ଆଗକୁ ବଢ଼ି ପାରି ନଥିଲା। ସେତେବେଳେ ଏହାର ନାମ ଦ୍ବିପାକ୍ଷିକ ବାଣିଜ୍ୟ ଏବଂ ନିବେଶ ରାଜିନାମା ରଖାଯାଇଥିଲା। ବର୍ତ୍ତମାନର ଆଲୋଚନା ପରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ଆସନ୍ତା ୨୭ ତାରିଖରୁ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ହେବ। ୨୦୨୩ ଶେଷ ସୁଦ୍ଧା ଆଲୋଚନା ସାରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ୟୁରୋପୀୟ ସଂଘର କାର୍ଯ୍ୟକାରୀ ଉପାଧ୍ୟକ୍ଷ କହିଛନ୍ତି। ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ଏବେ ବାର୍ଷିକ ୧୨୦ ବିଲିଅନ ୟୁରୋର ବାଣିଜ୍ୟ ହେଉଛି। ୟୁରୋପୀୟ ସଂଘ ଭାରତର ତୃତୀୟ ବୃହତ୍ ବାଣିଜ୍ୟ ସହଯୋଗୀ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe