ନୂଆଦିଲ୍ଲୀ: ଦେଶରେ ୨୫୦ ନିୟୁତ ବ୍ୟାରେଲରୁ ଅଧିକ ଅଶୋଧିତ ତେଲ ଏବଂ ବିଶୋଧିତ ପେଟ୍ରୋଲିୟମ ସାମଗ୍ରୀ ମହଜୁଦ ରହିଛି। ଏହା ପ୍ରାୟ ୪୦୦୦ କୋଟି ଲିଟର ସହ ସମାନ। ସଂପୂର୍ଣ୍ଣ ଯୋଗାଣ ଶୃଙ୍ଖଳରେ ଥିବା ତେଲ ୭ରୁ ୮ ସପ୍ତାହ ବା ୨ ମାସର ଚାହିଦା ପୂରଣ କରି ପାରିବ ବୋଲି ସରକାରଙ୍କ ଏକ ରିପୋର୍ଟରେ କୁହାଯାଇଛି। ଦେଶରେ ୩ଟି ରଣନୈତିକ ତୈଳ ଭଣ୍ଡାର (ମାଙ୍ଗାଲୁରୁ, ପାଦୁର ଏବଂ ବିଶାଖାପାଟଣା), ଭୂଭାଗରେ ଥିବା ଟାଙ୍କି, ପାଇପଲାଇନ୍ ଏବଂ ଜାହାଜରେ ୨୫ ଦିନ ପାଇଁ ତେଲ ଗଚ୍ଛିତ ଅଛି ବୋଲି ଆଲୋଚନା ହେବା ପରେ ସରକାର ଏହାକୁ ଖଣ୍ଡନ କରିଛନ୍ତି।
ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଭାରତର ଇନ୍ଧନ ବା ଶକ୍ତି କ୍ରୟ ଜାତୀୟ ସ୍ବାର୍ଥ ଦ୍ବାରା ପରିଚାଳିତ। ଗୋଟିଏ ଦଶନ୍ଧି ପୂର୍ବରୁ ୨୭ଟି ଦେଶରୁ ଇନ୍ଧନ ଆସୁଥିବାବେଳେ ଏବେ ତାହା ୪୦ଟି ଦେଶକୁ ପରିବ୍ୟାପ୍ତ ହୋଇଛି। ବିଶ୍ବ ତୈଳ ପରିବହନର ଗୁରୁତ୍ବପୂର୍ଣ୍ଣ ଜଳପଥ ହର୍ମୁଜ୍ ପ୍ରଣାଳୀରେ ଭାରତର ପ୍ରାୟ ୪୦ ପ୍ରତିଶତ ତେଲ ଆସୁଛି। ଅବଶିଷ୍ଟ ୬୦ ପ୍ରତିଶତ ତେଲ ବିକଳ୍ପ ମାର୍ଗରେ ରୁଷ୍, ପଶ୍ଚିମ ଆଫ୍ରିକା, ଆମେରିକା ଏବଂ କେନ୍ଦ୍ରୀୟ ଏସିଆରୁ ଆସୁଛି। ଗୋଟିଏ ମାର୍ଗ ଉପରେ ଭାରତର ଶକ୍ତି ନିର୍ଭରଶୀଳତା ଯୁଗ ଶେଷ ହୋଇଛି। କୌଣସି ଗୋଟିଏ କରିଡରରେ ଯୋଗାଣ ବାଧାପ୍ରାପ୍ତ ହେଲେ ତାହାକୁ ଅନ୍ୟାନ୍ୟ ଉତ୍ସ ଜରିଆରେ ବ୍ୟବସ୍ଥିତ କରାଯାଉଛି। ୨୦୨୬ ଫେବ୍ରୁଆରି ମାସ ପର୍ଯ୍ୟନ୍ତ ଭାରତର ସର୍ବବୃହତ୍ ଅଶୋଧିତ ତେଲ ଯୋଗାଣକାରୀ ରୁଷ୍ ରହି ଆସିଛି। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ରୁଷ୍ ତେଲ କିଣିବା ପାଇଁ ଭାରତ କୌଣସି ଦେଶର ଅନୁମତି ଉପରେ ନିର୍ଭର କରେ ନାହିଁ।
ଆହୁରି ପଢ଼ନ୍ତୁ: Foreign Investors: ଭାରତୀୟ ପୁଞ୍ଜି ବଜାର ଉପରେ ପ୍ରଭାବ ପକାଇଲା ପଶ୍ଚିମ ଏସିଆର ଯୁଦ୍ଧ
ଦେଶରେ ପେଟ୍ରୋଲରେ ଏବେ ୨୦ ପ୍ରତିଶତ ଇଥାନଲ ମିଶ୍ରଣ ହେଉଛି। ଏହି କାରଣରୁ ଦେଶକୁ ବାର୍ଷିକ ପାଖାପାଖି ୪୪ ନିୟୁତ ବ୍ୟାରେଲ ଅଶୋଧିତ ତେଲ ଆବଶ୍ୟକ ପଡ଼ିବ ନାହିଁ। ଭାରତର ବାର୍ଷିକ ତୈଳ ଚାହିଦା ୨୧୦ରୁ ୨୩୦ ନିୟୁତ ମେଟ୍ରିକ୍ ଟନ୍ ଥିବାବେଳେ ଦେଶରେ ବାର୍ଷିକ ତୈଳ ବିଶୋଧନ କ୍ଷମତା ୨୫୮ ନିୟୁତ ଟନ୍ ରହିଛି।
ରୁଷ୍ କଟକଣା ପରେ ଭାରତର ଏସବୁ ବିଶୋଧନ ଭିତ୍ତିଭୂମି ୟୁରୋପର ତୈଳ ଆବଶ୍ୟକତାକୁ ଅନେକ ମାତ୍ରାରେ ପୂରଣ କରୁଛି। ପେଟ୍ରୋଲିୟମ ପ୍ଲାନିଂ ଆଣ୍ଡ୍ ଆନାଲିସିସ୍ ସେଲ୍ର ତଥ୍ୟକୁ ଆଧାର କରି ରିପୋର୍ଟରେ କୁହାଯାଇଛି ଯେ ଲଗାତାର ଗତ ୪ ବର୍ଷ ହେଲା ଦେଶରେ ତେଲର ଖୁଚୁରା ଦର ସ୍ଥିର ରହିଛି। ୨୦୨୨ ଫେବ୍ରୁଆରିରୁ ୨୦୨୬ ଫେବ୍ରୁଆରି ମଧ୍ୟରେ ଦିଲ୍ଲୀରେ ପେଟ୍ରୋଲ ଦର ୦.୬୭ ପ୍ରତିଶତ କମିଛି। କିନ୍ତୁ ଏହି ସମୟରେ ପାକିସ୍ତାନରେ ଉକ୍ତ ଦର ୫୫ ପ୍ରତିଶତ ଏବଂ ଜର୍ମାନୀରେ ୨୨ ପ୍ରତିଶତ ବଢ଼ିଛି। ଦରରେ ସ୍ଥିରତା ବଜାୟ ରଖିବା ପାଇଁ ରାଷ୍ଟ୍ରାୟତ୍ତ ତେଲ କମ୍ପାନିଗୁଡ଼ିକ ପେଟ୍ରୋଲ ଓ ଡିଜେଲରେ ୨୪,୫୦୦ କୋଟି ଏବଂ ଏଲ୍ପିଜିରେ ପ୍ରାୟ ୪୦,୦୦୦ କୋଟି ଟଙ୍କାର କ୍ଷତି ସହିଛନ୍ତି। ଗତ ୧୨ ବର୍ଷ ମଧ୍ୟରେ ଦେଶରେ କୌଣସି ପେଟ୍ରୋଲ ପମ୍ପରେ ତୈଳ ଅଭାବ ଦେଖାଦେଇନାହିଁ ବୋଲି ରିପୋର୍ଟରେ କୁହାଯାଇଛି।
Follow Us