ଭାରତକୁ ଭରସା ବ୍ରିଟେନ ବଜାର: ବୟନ ସାମଗ୍ରୀ ରପ୍ତାନି ବଢ଼ାଇବ

ଶୁଳ୍କ ଲଗାଇ ଆମେରିକା ସୃଷ୍ଟି କରିଥିବା କ୍ଷତକୁ ବ୍ରିଟେନ ଜରିଆରେ ଭରଣା କରିବା ଉପରେ ଭାରତ ସରକାର ବିଚାର କରୁଛନ୍ତି। ବ୍ରିଟେନକୁ ବୟନ ସାମଗ୍ରୀ ଓ ପୋଷାକ ରପ୍ତାନି ବଢ଼ାଇବା ଲାଗି ରଣନୀତି ପ୍ରସ୍ତୁତ କରାଯାଉଛି।

cotton

Photograph: (The Daily Guardian)

ନୂଆଦିଲ୍ଲୀ: ଶୁଳ୍କ ଲଗାଇ ଆମେରିକା ସୃଷ୍ଟି କରିଥିବା କ୍ଷତକୁ ବ୍ରିଟେନ ଜରିଆରେ ଭରଣା କରିବା ଉପରେ ଭାରତ ସରକାର ବିଚାର କରୁଛନ୍ତି। ବ୍ରିଟେନକୁ ବୟନ ସାମଗ୍ରୀ ଓ ପୋଷାକ ରପ୍ତାନି ବଢ଼ାଇବା ଲାଗି ରଣନୀତି ପ୍ରସ୍ତୁତ କରାଯାଉଛି। ଭାରତ ଓ ବ୍ରିଟେନ ମଧ୍ୟରେ ସ୍ବାକ୍ଷରିତ ମୁକ୍ତ ବାଣିଜ୍ୟ ରାଜିନାମା ଏଥିରେ ସହାୟକ ହେବ। କେୟାର ରେଟିଂସ୍‌ ପକ୍ଷରୁ କୁହାଯାଇଛି ଯେ ବ୍ରିଟେନ୍ ସହ ହୋଇଥିବା ରାଜିନାମା ଭାରତ ପାଇଁ ସହାୟକ ହେବ। ଏହା ବ୍ୟତୀତ ୟୁରୋପୀୟ ସଂଘ (ଇୟୁ) ସହ ଚାଲିଥିବା କଥାବାର୍ତ୍ତା ମଧ୍ୟ ଭାରତୀୟ ବୟନ ଶିଳ୍ପକୁ ସୁହାଇବା ଆଶା କରାଯାଉଛି। ବ୍ରିଟେନ ବର୍ଷକୁ ୨.୦୨ ଲକ୍ଷ କୋଟି ଟଙ୍କାର ପୋଷାକପତ୍ର ଆମଦାନି କରୁଛି ଯେଉଁଥିରେ ବାଂଲାଦେଶ ଓ ଭିଏତନାମର ପ୍ରଭାବ ଅଧିକ ରହିଛି। ମୁକ୍ତ ବାଣିଜ୍ୟ ରାଜିନାମା ଏବେ ଭାରତକୁ ଏହି ଦୁଇ ଦେଶ ସହ ସମାନ ସୁଯୋଗ ପ୍ରଦାନ କରିବ। କେୟାର ରେଟିଂସ୍‌ର ନିର୍ଦ୍ଦେଶକ ଅକ୍ଷୟ ମୋରବ୍ୟା କହିଛନ୍ତି ଯେ ଆମେରିକା ଲଗାଇଥିବା ଶୁଳ୍କ ପ୍ରଭାବରେ ଭାରତର ବୟନ ରପ୍ତାନି ୯-୧୦ ପ୍ରତିଶତ ହ୍ରାସ ପାଇବ। ଏହାର ପ୍ରଭାବରେ ଭାରତର ରେଡିମେଡ୍ ଗାର୍ମେଣ୍ଟସ୍‌ ଓ ବୟନ ସାମଗ୍ରୀ ନିର୍ମାତାଙ୍କ ଲାଭ ୩-୫ ପ୍ରତିଶତ କମ୍ ହେବ। 

ଶୁଳ୍କ ଦ୍ବାରା ପ୍ରଭାବିତ ରପ୍ତାନିକାରୀମାନଙ୍କୁ ସାହାଯ୍ୟ କରିବା ଲାଗି ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। କପା ଉପରେ ୧୦ ପ୍ରତିଶତ ଆମଦାନୀ ଶୁଳ୍କକୁ ଆସନ୍ତା ଡିସେମ୍ବର ୩୧ ପର୍ଯ୍ୟନ୍ତ ପ୍ରତ୍ୟାହାର କରାଯାଇଛି। ଏହା ବ୍ୟତୀତ ରପ୍ତାନି ବଢ଼ାଇବା ଲାଗି ୪୦ଟି ଦେଶ ଚିହ୍ନଟ କରାଯାଇଛି। ଏହି ଦେଶଗୁଡ଼ିକୁ ରପ୍ତାନି ବଢ଼ାଇ ଆମେରିକା ଜରିଆରେ ହୋଇଥିବା କ୍ଷତିକୁ ଭାରତ ଭରଣା କରିବାକୁ ଚାହୁଛି।

ଆମେରିକୀୟ କମ୍ପାନିକୁ ବୟକଟ୍ ଭୟ

ନୂଆଦିଲ୍ଲୀ: ଆମେରିକା ଲଗାଇଥିବା ଚଢ଼ା ଶୁଳ୍କ ଭାରତରେ କାରବାର କରୁଥିବା ବହୁଦେଶୀୟ କମ୍ପାନିଗୁଡ଼ିକ ଲାଗି ଏକ ଅଡ଼ୁଆ ସ୍ଥିତି ସୃଷ୍ଟି କରିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବଦେଶୀ ଜିନିଷ ବ୍ୟବହାର କରିବାକୁ ଆହ୍ବାନ ଦେବା ପରେ ଏହି ବ୍ରାଣ୍ଡ୍‌ଗୁଡ଼ିକୁ ବୟକଟ୍‌ ଭୟ ଘାରିଛି। ବିଶେଷ କରି ଆମେରିକୀୟ ବ୍ରାଣ୍ଡ୍‌ ପେପ୍‌ସି, କୋକାକୋଲା, ସବ୍‌ୱେ, କେଏଫ୍‌ସି ଓ ମ୍ୟାକ୍‌ଡୋନାଲ୍ଡ ପ୍ରତି ବୟକଟ୍‌ ଭୟ ଅଧିକ ରହିଛି। ଯୋଗ ଗୁରୁ ବାବା ରାମଦେବ ଆମେରିକୀୟ ଜିନିଷ ବୟକଟ୍ କରିବାକୁ ଲୋକମାନଙ୍କୁ ଆହ୍ବାନ ଦେଇଛନ୍ତି। ଫ୍ରାନ୍ସ, ବ୍ରିଟେନ୍ ଓ କାନାଡାରେ ଆମେରିକା ବ‌ିରୋଧୀ ବୟକଟ ଆନ୍ଦୋଳନ ଜାରି ରହିଛି। ଜନବହୁଳ ରାଷ୍ଟ୍ର ଭାରତ ଅନେକ ଆମେରିକୀୟ ବ୍ରାଣ୍ଡ୍‌ ପାଇଁ ଏକ ବଡ଼ ବଜାର। ଯଦି ଏଠାରେ ସେମାନଙ୍କୁ ବୟକଟ୍ କରାଯିବ ତେବେ ସେମାନଙ୍କ ବିପୁଳ ରାଜସ୍ବ ହାନି ହେବ। ଆମେରିକା ରାଷ୍ଟ୍ରପତି ‌ଡୋନାଲ୍ଡ ଟ୍ରମ୍ପଙ୍କୁ ଆପ ସାଂସଦ ଅଶୋକ କୁମାର ମିତ୍ତଲ ଏକ ଖୋଲା ଚିଠି ଲେଖି ଜଣାଇଛନ୍ତି ଯେ ୧୯୦୫ ଅଗଷ୍ଟ ୭ରେ ହୋଇଥିବା ସ୍ବଦେଶୀ ଆନ୍ଦୋଳନକୁ ନଜରରେ ରଖି ଯଦି ୧୪୬ କୋଟି ଭାରତୀୟ ପଦକ୍ଷେପ ଗ୍ରହଣ କରିବେ ତେବେ ତାହାର ପ୍ରଭାବ ଆମେରିକା ପାଇଁ ଭୟଙ୍କର ହେବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe