ନୂଆଦିଲ୍ଲୀ: ବିଦ୍ୟୁତ୍ କାର୍କୁ ‘ମେଡ୍ ଇନ୍ ଇଣ୍ଡିଆ’ ରୂପ ଦେବାରେ ଭାରତ ବିଫଳ ହୋଇଛି। ଭାରତୀୟ କମ୍ପାନିଗୁଡ଼ିକ ବିଦ୍ୟୁତ୍ କାର୍ ନିର୍ମାଣ କରିବା ପାଇଁ ମୁଖ୍ୟତଃ ଚୀନ୍ ଉପରେ ନିର୍ଭର କରୁଛନ୍ତି। ନିର୍ଭରଶୀଳତା ଏତେମାତ୍ରାରେ ଅଧିକ ଯେ ଭାରତରେ ବିକ୍ରି ହେଉଥିବା ମାତ୍ର ୧୩ ପ୍ରତିଶତ ବିଦ୍ୟୁତ୍ କାର୍ ଅର୍ଥାତ୍ ପ୍ରତି ୪୬ଟି କାର୍ରୁ ମାତ୍ର ୬ଟି ଭାରତ ସରକାରଙ୍କ ଉତ୍ପାଦନ ସହ ଜଡ଼ିତ ପ୍ରୋତ୍ସାହନ (ପିଏଲଆଇ୍) ସ୍କିମ୍ରେ ରିହାତି ପାଇବାକୁ ଯୋଗ୍ୟ ବୋଲି ଏକ ରିପୋର୍ଟରୁ ଜଣାଯାଇଛି। କାରଣ ପିଏଲ୍ଆଇ ଯୋଜନାରେ ଉତ୍ପାଦନ ପ୍ରକ୍ରିୟାରେ ଯେତିକିମାତ୍ରାରେ ଭାରତୀୟ ସାମଗ୍ରୀ ମୂଲ୍ୟଯୋଗ ହେବା କଥା ତାହା ୧୩ ପ୍ରତିଶତ ଇଭିରେ ହେଉଛି। ଅବଶିଷ୍ଟ ୮୭ ପ୍ରତିଶତ କାର୍ କ୍ଷେତ୍ରରେ ଏହା ହୋଇପାରୁନାହିଁ। ଏସବୁ କାର୍ର ଉପକରଣ ବିଦେଶରୁ ଆମଦାନୀ ହେଉଛି। ଏଥିରେ ସିଂହଭାଗ ଆମଦାନୀ ଚୀନରୁ ହେଉଛି।
ଭାରି ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ୨୦୨୧ ସେପ୍ଟେମ୍ବର ଘୋଷିତ ପିଏଲ୍ଆଇ ସ୍କିମ୍ରେ ଅଟୋମୋବାଇଲ କମ୍ପାନି ଏବଂ ଅଟୋ ଉପକରଣ କମ୍ପାନିଗୁଡ଼ିକ ସର୍ବନିମ୍ନ ୫୦ ପ୍ରତିଶତ ଘରୋଇ ମୂଲ୍ୟଯୋଗ କରିବା ଆବଶ୍ୟକ। ଏଥିସହିତ ସେମାନେ ଫେମ୍-୨ ସ୍କିମ ଭଳି ପର୍ଯ୍ୟାୟଭିତ୍ତିକ ଉତ୍ପାଦନ ଯୋଜନାକୁ ଅନୁସରଣ କରିବା ଉଚିତ୍। ତେବେ ସରକାର ବ୍ୟାଟେରି ସେଲ୍ ଆମଦାନି କ୍ଷେତ୍ରରେ କିଛିଟା କୋହଳ ଆଣିଛନ୍ତି। ୪୦ ପ୍ରତିଶତ ପର୍ଯ୍ୟନ୍ତ ଘରୋଇ ମୂଲ୍ୟଯୋଗ ବ୍ୟବସ୍ଥା ଏଥିରେ ରହିଛି।
ସୂତ୍ରରୁ ଜଣାଯାଇଛି ଯେ ଏହି ଯୋଜନାରେ ୬ଟି କାର୍ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେଥିରେ ଟାଟା ମୋଟର୍ସର ୫ଟି ଏବଂ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରାର ଗୋଟିଏ କାର୍ ରହିଛି। ଭାରତରେ ବିକ୍ରି ହେଉଥିବା ଅନ୍ୟ ସବୁ ମଡେଲରେ ଆମଦାନୀ ଅଂଶ ୬୦ ପ୍ରତିଶତରୁ ଅଧିକ ରହିଛି। ପିଏଲ୍ଆଇ ଯୋଜନାରେ ଲାଭାନ୍ବିତ ହୋଇଥିବା ମଡେଲଗୁଡ଼ିକ ହେଉଛି ଟାଟା ପଞ୍ଚ, ନେକ୍ସନ, ହାରିୟର ଏସ୍ୟୁଭି, ଟିଆଗୋ ଏବଂ ଟିଗୋର ଏବଂ ମହିନ୍ଦ୍ରାର ଏକ୍ସଇଭି୯ଇ। ସ୍ଥାନୀୟ ଉପକରଣ ନିର୍ମାଣ ଭାରତରେ ଏବେ ପ୍ରାଥମିକ ପର୍ଯ୍ୟାୟରେ ରହିଥିବାରୁ କମ୍ପାନିଗୁଡ଼ିକ ପାଇଁ ଏହି ମାନଦଣ୍ଡ ପୂରଣ କରିବା ସମ୍ଭବ ହେଉନାହିଁ। ଅଧିକାଂଶ ଇଭି କାର୍ ନିର୍ମାତା ଚୀନ ଓ ତାଇୱାନରୁ ଉପକରଣ ଆମଦାନୀ କରୁଛନ୍ତି। ସେଗୁଡ଼ିକ ମଧ୍ୟରେ ଲିଥିୟମ ଆୟନ ବ୍ୟାଟେରି ସେଲ୍, ରେୟାର ଆର୍ଥ ମ୍ୟାଗନେଟ୍, ଡିସି ମୋଟର, ଲାମିନେଟେଡ ଷ୍ଟାଟର୍ସ, ସେମିକଣ୍ଡକ୍ଟର ଚିପ୍, ପ୍ରିଣ୍ଟେଡ ସର୍କିଟ ବୋର୍ଡ ଆଦି ରହିଛି।
Follow Us