ଜାପାନ ଭଳି ଭୁଲ କରୁଛି ଭାରତ: ବିରଳ

Advertisment
ଜାପାନ ଭଳି ଭୁଲ କରୁଛି ଭାରତ: ବିରଳ

The Indian Express

ନୂଆଦିଲ୍ଲୀ: ଦୀର୍ଘ ବର୍ଷ ପୂର୍ବେ ୧୯୯୦ରେ ଜାପାନ ଯେଉଁଭଳି ଭୁଲ କରିଥିଲା ଭାରତ ତାହାକୁ ଦୋହରାଉଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ଯ୍ୟ କହିଛନ୍ତି। ସରକାରଙ୍କ ସହ ମତଭେଦ କାରଣରୁ ନିଜ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଚାକିରି ଛାଡ଼ିଥିବା ବିରଳ କହିଛନ୍ତି, ଭାରତରେ ବେପରୁଆ ଭାବେ ଋଣ ଆବଣ୍ଟନ କରାଯାଉଥିବା ବେଳେ ଋଣକୁ ନେଇ ହେବାକୁ ଥିବା କ୍ଷତିର ଭରଣା କରିବା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା (ପ୍ରୋଭିଜନିଂ) କରାଯାଉଛି। ସେହି ସମାନ ପଥରେ ୧୯୯୦ରେ ଜାପାନ ଯାଇଥିଲା। ଫଳରେ ତାହା ଗୋଟିଏ ଦଶନ୍ଧୀ ହରାଇଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ଆର୍ଥିକ ସ୍ଥିରତା ରିପୋର୍ଟରେ ଏନ୍‌ପିଏକୁ ନେଇ ଯେଉଁ ଆକଳନ କରାଯାଇଛି ତାହାକୁ ନେଇ ବିରଳ ଚିନ୍ତା ପ୍ରକଟ କରିଛନ୍ତି। କରୋନା ପ୍ରଭାବରେ ଏନ୍‌ପିଏ ହାର ୧୨-୧୫% ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ରିପୋର୍ଟରେ ଆଶଙ୍କା ପ୍ରକଟ କରାଯାଇଛି।

୧୯୯୯ ପରେ ପ୍ରଥମ ଥର ଲାଗି ଏନ୍‌ପିଏ ହାର ଏଭଳି ଉଚ୍ଚ ସ୍ତରରେ ପହଞ୍ଚିବ। କରୋନା ସଙ୍କଟ ଝଟ୍‌କାରୁ ଉଦ୍ଧାର ପାଇବା ଲାଗି ଘରୋଇ କ୍ଷେତ୍ରର ବ୍ୟାଙ୍କଗୁଡ଼ିକ ବିପୁଳ ପରିମାଣର ପାଣ୍ଠି ଯୋଗାଡ଼ କରିବାରେ ଲାଗିପଡ଼ିଥିବା ବେଳେ ସରକାରୀ ବ୍ୟାଙ୍କଗୁଡ଼ିକ ଏବେବି ପଛ‌ରେ ରହିଛନ୍ତି। ବିଗତ ତିନିଟି ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ୨.୬ ଲକ୍ଷ କୋଟି ଟଙ୍କାର ପାଣ୍ଠି ଦେଇଛନ୍ତି। ଏହାର ପୂର୍ବ ୯ ବର୍ଷ ଭିତରେ ବ୍ୟାଙ୍କଗୁଡ଼ିକୁ ଦିଆଯାଇଥିବା ପାଣ୍ଠି ଠାରୁ ତାହା ଅଧିକ। ଚଳିତ ବର୍ଷ କିନ୍ତୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ପାଇଁ କୌଣସି ନୂଆ ପାଣ୍ଠିର ବ୍ୟବସ୍ଥା ସରକାର କରିନାହାନ୍ତି। ବିରଳ କହିଛନ୍ତି, ସରକାରଙ୍କୁ ନିଜର ଆର୍ଥିକ ବ୍ୟୟକୁ ଶୃଙ୍ଖଳିତ କରିବାକୁ ହେବ। ରାଷ୍ଟ୍ରାୟତ୍ତ ବ୍ୟାଙ୍କ‌ରୁ ବଡ଼ ଧରଣର ପୁଞ୍ଜିପ୍ରତ୍ୟାହାର କରିବା ଏବଂ ଏକ ସ୍ବାଧୀନ ବିତ୍ତୀୟ ପରିଷଦ ଗଠନ କରିବାର ଆବଶ୍ୟକତା ରହିଛି। ଏହାବାଦ ସରକାରଙ୍କୁ ସ୍ବାସ୍ଥ୍ୟ ଓ ଭିତ୍ତିଭୂମି କ୍ଷେତ୍ରରେ ନିବେଶ ବଢ଼ାଇବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ମୁଦ୍ରାସ୍ଫୀତିର ମୁକାବିଲା ଏପର୍ଯ୍ୟନ୍ତ ସଠିକ୍ ପଥରେ ରହିଛି। ଏଥିରେ କୌଣସି ପରିବର୍ତ୍ତନ ବର୍ତ୍ତମାନ ଦରକାର ନାହିଁ ବୋଲି ସେ କହିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ସ୍ଥିରତା ସହ ସାଲିସ କରୁଛି। ସ୍ଥିରତା ବଜାୟ ରଖିବା ଲାଗି ଯେଉଁ କଠୋର ବ୍ୟବସ୍ଥା ଧାର୍ଯ୍ୟ କରାଯାଇଥିଲା ତାହାକୁ କୋହଳ କରାଯାଉଛି। ରିଜର୍ଭ ବ୍ୟାଙ୍କର ସୁରକ୍ଷା ପ୍ରାଚୀର ଥିଲା ତାହାକୁ ଦୁର୍ବଳ କରାଯାଉଥିବା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe