ଆଜିଠୁ ଇଣ୍ଡିଆ ମାରିଟାଇମ୍ ୱିକ୍‌: ଅତିଥି ଭାବେ ଯୋଗଦେବେ ଓଡ଼ିଶା ମୁଖ୍ୟମନ୍ତ୍ରୀ, ମୁମ୍ବାଇରେ ରାଜ୍ୟର ପ୍ରତିନିଧି ଦଳ

ଆସନ୍ତାକାଲିଠାରୁ ମୁମ୍ବାଇରେ ଆରମ୍ଭ ହେବାକୁ ଯାଉଥିବା ଇଣ୍ଡିଆ ମାରିଟାଇମ୍ ୱିକ୍ ୨୦୨୫ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେ‌‌‌ବେ। କାର୍ଯ୍ୟକ୍ରମର ଉଦ୍‌ଘାଟନୀ ସମାରୋ‌ହରେ ସେ ସମ୍ମାନିତ ଅତିଥି ଭାବେ ସାମିଲ ହେବେ।

hfshsfhfhxvb

ଭୁବନେଶ୍ବର: ଆସନ୍ତାକାଲିଠାରୁ ମୁମ୍ବାଇରେ ଆରମ୍ଭ ହେବାକୁ ଯାଉଥିବା ଇଣ୍ଡିଆ ମାରିଟାଇମ୍ ୱିକ୍ ୨୦୨୫ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେ‌‌‌ବେ। କାର୍ଯ୍ୟକ୍ରମର ଉଦ୍‌ଘାଟନୀ ସମାରୋ‌ହରେ ସେ ସମ୍ମାନିତ ଅତିଥି ଭାବେ ସାମିଲ ହେବେ। ଏହାପରେ ଅପରାହ୍ନରେ ଓଡ଼ିଶା ଉପରେ ଅନୁଷ୍ଠିତ ହେବାକୁ ଥିବା ସ୍ବତନ୍ତ୍ର ଅଧିବେଶନରେ ସେ ଯୋଗଦେବେ। ଉକ୍ତ ଅଧିବେଶନରେ ରାଜ୍ୟରେ ରହିଥିବା ବନ୍ଦର ଆଧାରିତ ନିବେଶ ସୁଯୋଗ ଓ ରପ୍ତାନି ସମ୍ଭାବନା ଉପରେ ଗୁରୁତ୍ବାରୋପ କରାଯିବ।

କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାରଙ୍କ ପ୍ରତିନିଧି ଦଳ ମୁମ୍ବାଇରେ ପହଞ୍ଚିଛନ୍ତି। ବନ୍ଦର ଆଧାରିତ ଶିଳ୍ପ ବିକାଶ ଓ ଉପକୂଳ ଅର୍ଥନୈତିକ ବିକାଶକୁ ଓଡ଼ିଶା ଗୁରୁତ୍ବ ଦେଉଥିବାରୁ ଏହି ସମ୍ମିଳନୀରେ ରାଜ୍ୟର ଅଂଶଗ୍ରହଣ ବେଶ୍ ଗୁରୁତ୍ବ ବହନ କରୁଛି। ଏଥିରେ ରାଜ୍ୟର ପ୍ରତିନିଧିମାନେ ବନ୍ଦର ଆଧାରିତ ଶିଳ୍ପ, ଲଜିଷ୍ଟିକ୍ସ, ମତ୍ସ୍ୟଚାଷ ଓ ସାମୁଦ୍ରିକ ପ୍ରଯୁକ୍ତିକୁ ନେଇ ଓଡ଼ିଶାରେ ରହିଥିବା ସମ୍ଭାବନା ଉପରେ ଆଲୋକପାତ କରିବେ। ଓଡ଼ିଶା ଅଧିବେଶନରେ ରାଜ୍ୟର ବିଶ୍ବସ୍ତରୀୟ ବନ୍ଦର ଭିତ୍ତିଭୂମି, ନୂଆ ବିକାଶକୁ ଉପସ୍ଥାପନ କରାଯିବ। ଏଥି ସହିତ ସହଯୋଗିତା ସ୍ଥାପନ କରିବା ଲାଗି ନିବେଶକମାନଙ୍କୁ ଆମନ୍ତ୍ରଣ କରାଯିବ। 
ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ବାଧୀନ ସରକାର ୫୦୦ ଦିନ ପୂରଣ କରିଥିବା ବେଳେ ରାଜ୍ୟ ସରକାର ଅର୍ନ୍ତଭୁକ୍ତୀକରଣ ବିକାଶ, ଶିଳ୍ପ ଅଭିବୃଦ୍ଧି ଓ ନିଯୁକ୍ତି ସୃଷ୍ଟିକୁ ଗୁରୁତ୍ବ ଦେଉଛନ୍ତି। ରାଜ୍ୟରେ ମାରିଟାଇମ୍‌ରେ ଥିବା ସମ୍ଭାବନାର ଅନୁସନ୍ଧାନ କରିବା ଲାଗି ନିବେଶକ, ଶିଳ୍ପ ଅଂଶୀଦାର ଓ ପ୍ରଫେସନାଲମାନଙ୍କୁ ସରକାର ଆମନ୍ତ୍ରଣ କରିଛନ୍ତି। 

ଏହି କାର୍ଯ୍ୟକ୍ରମରେ ପାରାଦୀପ ବନ୍ଦର ପକ୍ଷରୁ ୧.୫ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ସମ୍ପର୍କରେ ଘୋଷଣା କରାଯିବା ସମ୍ଭାବନା ରହିଛି। ଏହା ବ୍ୟତୀତ ପୁରୀଠାରେ ଏକ କ୍ରୁଜ୍‌ ଟର୍ମିନାଲ୍ ବିକାଶ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇପାରେ। ଇଣ୍ଡିଆ ମାରିଟାଇମ୍‌ ୱିକ୍‌ରେ ଯୋଗଦେବା ପାଇଁ କିଛି ଦିନ ତଳେ ପାରାଦୀପ ବନ୍ଦର ଅଧ୍ୟକ୍ଷ ପି ଏଲ୍‌ ହରନାଦ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଲୋକସେବା ଭବନରେ ସାକ୍ଷାତ କରି ନିମନ୍ତ୍ରଣ ଦେଇଥିଲେ। ତାଙ୍କୁ ପାରାଦୀପ ବନ୍ଦରର ବୋଇତ ବନ୍ଦାଣ ଉତ୍ସବ ୨୦୨୫ରେ ଅତିଥି ଭାବେ ଯୋଗଦେବାକୁ ମଧ୍ୟ ଅନୁରୋଧ କରିଥିଲେ। ଇଣ୍ଡିଆ ମାରିଟାଇମ୍ ୱିକ୍‌କୁ ଗୃହ ମନ୍ତ୍ରୀ ଅମିତ ଶାହ ଉଦ୍‌ଘାଟନ କରିବେ। ଏଥିରେ ଓଡ଼ିଶା, ମହାରାଷ୍ଟ୍ର, ଗୁଜରାଟ ଓ ଗୋଆର ମୁଖ୍ୟମନ୍ତ୍ରୀ ଯୋଗଦେବେ। ଆସନ୍ତା ୨୯ରେ ଅନୁଷ୍ଠିତ ହେବାକୁ ଥିବା ମାରିଟାଇମ୍‌ ଲିଡର୍ସ କନ୍‌କ୍ଲେଭ୍ ଓ ‌ଗ୍ଲୋବାଲ୍ ସିଇଓ କନ୍‌କ୍ଲେଭ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିବେ। ୧୧ଟି ଦେଶର ବୈଦେଶିକ ମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ‌ଯୋଗଦେବେ। ଏହି କାର୍ଯ୍ୟକ୍ରମ ଭାରତକୁ ଏକ ବିଶ୍ବସ୍ତରୀୟ ମାରିଟାଇମ୍ ହବ୍ ଭାବେ ଉପସ୍ଥାପନ କରିବ ବୋଲି ବନ୍ଦର, ଜାହାଜ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ‌ସୋନୋୱାଲ କହିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe