ମୁମ୍ବାଇ: ସ୍ମାର୍ଟଫୋନ୍ ବିକ୍ରି କ୍ଷେତ୍ରରେ ଭାରତ ଯୁକ୍ତରାଷ୍ଟ୍ର ଆମେରିକାକୁ ଟପିଯାଇଛି। ସ୍ମାର୍ଟଫୋନ ବିକ୍ରିରେ ଯୁକ୍ତରାଷ୍ଟ୍ର ଆମେରିକା ବିଶ୍ୱର ଦ୍ୱିତୀୟ ବୃହତ୍ ବଜାର ଥିବାବେଳେ ଏବେ ଏହି ସ୍ଥାନ ଭାରତ ହାସଲ କରିନେଇଛି। ପ୍ରଥମ ସ୍ଥାନରେ ଚୀନ୍ ରହିଛି। ଗତ ବର୍ଷର ତୃତୀୟ ତ୍ରୟମାସ ତୁଳନାରେ ଚଳିତ ବର୍ଷର ତୃତୀୟ ତ୍ରୟମାସରେ ଭାରତରେ ସ୍ମାର୍ଟଫୋନ୍ ବିକ୍ରିରେ ୨୩ ପ୍ରତିଶତ ବୃଦ୍ଧି ଘଟିଛି। ଏହି ତ୍ରୟମାସରେ ଭାରତରେ ମୋଟ ୪୦ ନିୟୁତରୁ ଅଧିକ ସ୍ମାର୍ଟଫୋନ ବିକ୍ରି ହୋଇଛି ବୋଲି କାନାଲାଇସ୍ ନାମକ ଏକ ବିଶ୍ଳେଷଣ ଫାର୍ମ ପକ୍ଷରୁ ପ୍ରସ୍ତୁତ ରିପୋର୍ଟରେ କୁହାଯାଇଛି। କମ୍ମୂଲ୍ୟରେ ହ୍ୟାଣ୍ଡସେଟ୍ ଉପଲବ୍ଧ ହେବା ସହିତ ୪ଜି ମୋବାଇଲ ସେବାର ପ୍ରସାର ଘଟିବା ଯୋଗୁଁ ଭାରତରେ ସ୍ମାର୍ଟଫୋନ୍ ବିକ୍ରି ବୃଦ୍ଧି ପାଇଛି। ଭାରତରେ ମୋବାଇଲ ଫୋନ୍ ବିକ୍ରିରେ ମୁଖ୍ୟତଃ ୫ଟି କମ୍ପାନି ଯଥା ସାମସଙ୍ଗ୍, ସାଓମି, ଭିଭୋ, ଓପୋ ଏବଂ ଲେନୋଭୋର ବଜାରଅଂଶ ୭୫ ପ୍ରତିଶତ ରହିଛି। ସାମସଙ୍ଗ ଓ ସାଓମି ପାଖାପାଖି ୫୦ ପ୍ରତିଶତ ବଜାରଅଂଶ ହାସଲ କରିନେଇଛନ୍ତି। ଗତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସ ତୁଳନାରେ ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟ ମାସରେ ସାମ୍ସଙ୍ଗର ସ୍ମାର୍ଟଫୋନ୍ ବିକ୍ରି ୩୦ ପ୍ରତିଶତ ବୃଦ୍ଧି ଘଟି ୯.୪ ନିୟୁତରେ ପହଞ୍ଚିଛି। ସାଓମିର ସ୍ମାର୍ଟଫୋନ୍ ବିକ୍ରିରେ ୨୯୦ ପ୍ରତିଶତ ବୃଦ୍ଧି ଘଟି ଏହା ୯.୨ ନିୟୁତ ୟୁନିଟ୍ରେ ରହିଛି। ଚଳିତବର୍ଷ ଭାରତରେ ଆପଲ ଆଇଫୋନ୍ର ଉତ୍ପାଦନ ଆରମ୍ଭ କରିଛି। ୨୦୧୬ର ତୃତୀୟ ତ୍ରୟମାସ ତୁଳନାରେ ୨୦୧୭ର ତୃତୀୟ ତ୍ରୟମାସରେ ଆପଲ୍ର ଆଇଫୋନ୍ ବିକ୍ରି ଦୁଇଗୁଣ ବୃଦ୍ଧି ଘଟି ୯ ଲକ୍ଷ ୟୁନିଟ୍ରେ ପହଞ୍ଚିଛି।
ଭାରତ ଦ୍ୱିତୀୟ ବଡ଼ ସ୍ମାର୍ଟଫୋନ୍ ବଜାର
Advertisment
Follow Us