ସଡ଼କ ତିଆରି ପାଇଁ ଚୀନ୍‌ ସଂସ୍ଥାକୁ ମିଳିବନି ଅନୁମତି

Advertisment
କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀଙ୍କୁ କରୋନା

Zee News

ନୂଆଦିଲ୍ଲୀ: ଚୀନ୍‌ ବି‌ରୋଧରେ ଭାରତ ଏହାର ଅର୍ଥନୈତିକ କାର୍ଯ୍ୟାନୁଷ୍ଠାନ ଜୋରଦାର କରିବା ଉପରେ ବିଚାର କରୁଛି। ୫୯ଟି ମୋବାଇଲ୍‌ ଆପ୍‌କୁ ନିଷିଦ୍ଧ କରିବା ପରେ ଏବେ ରାଜପଥ ପ୍ରକଳ୍ପରୁ ଚୀନ୍‌ କଂପାନିଗୁଡ଼ିକୁ ବିଦା କରିବା ଲାଗି ଯୋଜନା ପ୍ରସ୍ତୁତ ହେଉଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏହି ସୂଚନା ଦେଇଛନ୍ତି। କେବଳ ରାଜପଥ ପ୍ରକଳ୍ପ ନୁହେଁ, ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍‌ଏମ୍ଇ)ରେ ମଧ୍ୟ ଚୀନ୍‌ ନିବେଶକମାନଙ୍କୁ ବିଶେଷ ଗୁରୁତ୍ବ ଦିଆଯିବ ନାହିଁ। ସେ କହିଛନ୍ତି, ଯେଉଁ ଯୌଥ ଉଦ୍ୟୋଗଗୁଡ଼ିକରେ ଚୀନ୍‌ କଂପାନିର ଅଂଶ ଥିବ ସେଗୁଡ଼ିକୁ ସଡ଼କ ପ୍ରକଳ୍ପରେ ଭାଗ ନେବାର ଅନୁମତି ଦିଆଯିବ ନାହିଁ। ଯଦି ସେମାନେ ‌ଯୌଥ ଉଦ୍ୟୋଗ ଜରିଆ‌ରେ ଦେଶ ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରିବେ ସେଥିପାଇଁ ଆମେ ଅନୁମତି ଦେବୁ ନାହିଁ ବୋଲି ଗଡ଼କରୀ କହିଛନ୍ତି।

ସଡ଼କ ପ୍ରକଳ୍ପ ଓ ଏମ୍ଏସ୍‌ଏମ୍‌ଇରେ ଚୀନ୍‌ କଂପାନିଗୁଡ଼ିକର ଅଂଶଗ୍ରହଣକୁ ନିଷିଦ୍ଧ କରିବା ଲାଗି ସରକାର ଖୁବ୍‌ଶୀଘ୍ର ଏକ ନୀତି ଆଣିବେ। ଏଥି ସହିତ ଅଧିକରୁ ଅଧିକ ଭାରତୀୟ ସଂସ୍ଥା ଯେଭଳି ସଡ଼କ ପ୍ରକଳ୍ପରେ ସାମିଲ ହୋଇପାରିବେ ସେଥିପ୍ରତି ଧ୍ୟାନ ଦିଆଯିବ। ବର୍ତ୍ତମାନ କିଛି ହାତଗଣତି ସଡ଼କ ପ୍ରକଳ୍ପର କାର୍ଯ୍ୟ ଜାରି ରହିଛି ଯେଉଁଥିରେ ଚୀନ୍‌ କଂପାନି ଭାଗ ନେଇଛନ୍ତି। ଆଗାମୀ ଦିନରେ ଯେଉଁ ସବୁ ଟେଣ୍ଡର ଆହ୍ବାନ କରାଯିବ ସେଥିରେ ଚୀନ୍‌ ସଂସ୍ଥାଗୁଡ଼ିକୁ ଗୁରୁତ୍ବ ଦିଆଯିବ ନାହିଁ। ବଡ଼ ପ୍ରକଳ୍ପରେ ଯେଭଳି ଭାରତୀୟ କଂପାନି ଭାଗ ନେବାକୁ ଯୋଗ୍ୟ ହେବେ ସେଥିପାଇଁ ନିୟମରେ ଦରକାର ହେଉଥିବା ପରିବର୍ତନ କରାଯିବ। ଏହି କାର୍ଯ୍ୟ କରିବା ଲାଗି ରାଜପଥ ସଚିବ ଓ ଏନ୍‌ଏଚ୍‌ଏଆଇ ଅଧ୍ୟକ୍ଷଙ୍କୁ ବୈଠକ କରିବାକୁ ନିର୍ଦେଶ ଦିଆଯାଇଛି। ବଡ଼ ପ୍ରକଳ୍ପ ପାଇବା ଲାଗି ଭାରତୀୟ ସଂସ୍ଥାଗୁଡ଼ିକୁ ଆଉ ବିଦେଶୀ ସଂସ୍ଥାକୁ ସହଯୋଗୀ ଭାବେ ଗ୍ରହଣ କରିବାକୁ ପଡ଼ିବ ନାହିଁ। ଯଦି କୌଣସି ସଂସ୍ଥା ପ୍ରଯୁକ୍ତି, କନସଲଟାନ୍ସି ଓ ଡିଜାଇନ୍‌ କ୍ଷେତ୍ରରେ ବିଦେଶୀ ସଂସ୍ଥା ସହ ସହଯୋଗିତା ସ୍ଥାପନ କରିବାକୁ ଚାହିବେ ତେବେ ଆମେ ଚୀନ୍‌ କଂପାନିଗୁଡ଼ିକୁ ସେଥିପାଇଁ ଅନୁମତି ଦେବୁ ନାହିଁ ବୋଲି ଗଡ଼କରୀ କହିଛନ୍ତି।

ବିଭିନ୍ନ ବନ୍ଦରଗୁଡ଼ିକରେ ଚୀନ୍‌ ସାମଗ୍ରୀଗୁଡ଼ିକୁ ଅଟକ ରଖାଯିବା ସଂକ୍ରାନ୍ତରେ ସେ କହିଛନ୍ତି ଯେ, ଜୋରଜବରଦସ୍ତ କୌଣସି ସାମଗ୍ରୀକୁ ଅଟକ ରଖାଯାଇନାହିଁ। ଚୀନ୍‌ରୁ ଆମଦାନି କମ୍ କରିବା ଲାଗି ଆମେ ଉତ୍ସାହିତ କରୁଛୁ। ଏହା ଦ୍ବାରା ଭାରତୀୟ ସଂସ୍ଥାଗୁଡ଼ିକ ଆତ୍ମନିର୍ଭରଶୀଳ ହେବାକୁ ଉଦ୍ୟମ କରିବେ ବୋଲି ସେ କହିଛନ୍ତି। ଚୀନ୍‌ରୁ ଆମଦାନି କରାଯାଇଥିବା କେତେକ କୃଷି ଉପକରଣକୁ ବନ୍ଦରରେ ଅଟକ ରଖାଯାଇଥିବା ବିଷୟରେ ଜାଣିବା ପରେ ସେଗୁଡ଼ିକୁ ତୁରନ୍ତ ମଞ୍ଜୁରି ଦେବା ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଗଡ଼କରୀ ଚିଠି ଲେଖି ଅନୁରୋଧ କରିଥିଲେ। ଚୀନ୍‌ରୁ ଆସିଥିବା ସାମଗ୍ରୀଗୁଡ଼ିକୁ ଚେନ୍ନାଇ ଓ ବିଶାଖାପାଟଣା ବନ୍ଦରରେ ଅଧିକ ଯାଞ୍ଚ କରାଯାଉଥିବା ଖବର ଆସିଥିଲା। ଯେହେତୁ ଦେଶର ଅଧିକାଂଶ ଶିଳ୍ପ ସଂସ୍ଥା ଚୀନ୍ ଉପକରଣ ଓ କଞ୍ଚାମାଲ୍ ଉପରେ ନିର୍ଭରଶୀଳ, ତେଣୁ କେତେକ ନିର୍ଦିଷ୍ଟ ଶିଳ୍ପ କ୍ଷେତ୍ର ଏହା ଦ୍ବାରା ପ୍ରଭାବିତ ହେବା ପରେ ଆପତ୍ତି ଉଠାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe