ଇଣ୍ଡିଆରୁ ଭାରତ: ଖର୍ଚ୍ଚ ହେବ ୧୪,୦୦୦ କୋଟି

Advertisment

ନାମ ପରିବର୍ତ୍ତନ

ନାମ ପରିବର୍ତ୍ତନ

ଇଣ୍ଡିଆରୁ ଭାରତ: ଖର୍ଚ୍ଚ ହେବ ୧୪,୦୦୦ କୋଟି

India CSR

ନୂଆଦିଲ୍ଲୀ: ଦେଶର ନାମ ପରିବର୍ତ୍ତନ ହେବ। ଇଣ୍ଡିଆ ବଦଳରେ ଭାରତ ନାମ ବ୍ୟବହାର କରାଯିବ। ଏହାକୁ ନେଇ ନାନା ପ୍ରକାର କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଯଦି ‌ସେଭଳି କିଛି ଘଟିବ ତେବେ ଭାରତକୁ ୧୪ ହଜାର କୋଟି ଟଙ୍କା ମୂଲ୍ୟ ଦେବାକୁ ପଡ଼ିବ। ଦକ୍ଷିଣ ଆଫ୍ରିକାର ବୌଦ୍ଧିକ ସମ୍ପତ୍ତି ଆଇନଜୀବୀ ଡାରେନ୍ ଓଲିଭର ବିକାଶ କରିଥିବା ଏକ ପଦ୍ଧତି ଅନୁସାରେ ଏହି ହିସାବ କରାଯାଇଛି। ସ୍ବାଜିଲ୍ୟାଣ୍ଡ୍‌ର ନାମ ଇସ୍ବାଟିନିକୁ ବଦଳିବା ସମୟରେ ୨୦୧୮ରେ ଓଲିଭର‌ ସେହି ମଡେଲ୍‌ ବ୍ୟବହାର କରିଥିଲେ। ଏକ ବଡ଼ କର୍ପୋରେଟ୍‌ ସଂସ୍ଥା ନିଜ ପରିବର୍ତ୍ତନ କରିବା ବେଳେ ଯେତିକି ଖର୍ଚ୍ଚ ହୋଇଥାଏ ସେହି ହିସାବକୁ ଦେଶ ନାମ ପରିବର୍ତ୍ତନରେ ବ୍ୟବହାର କରାଯାଇଛି।

ଓଲିଭରଙ୍କ ମଡେଲ୍‌ ଅନୁସାରେ ଏକ ବଡ଼ ସଂସ୍ଥାର ହାରାହାରି ମାର୍କେଟିଂ ଖର୍ଚ୍ଚ ତାହାର ମୋଟ ରାଜସ୍ବର ପ୍ରାୟ ୬ ପ୍ରତିଶତ। ସେହି ମାର୍କେଟିଂ ଖର୍ଚ୍ଚର ୮ ପ୍ରତିଶତ ରାଶିକୁ ନାମ ବା ପରିଚୟ ପରିବର୍ତ୍ତନରେ ବ୍ୟବହାର ‌କରାଯାଇଥାଏ। ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ଭାରତର ମୋଟ ରାଜସ୍ବ ପ୍ରାପ୍ତି ୨୩.୮୪ ଲକ୍ଷ କୋଟି ଟଙ୍କା ଥିଲା। ଯଦି ଓଲିଭର ବିକାଶ କରିଥିବା ମଡେଲ୍‌କୁ ଏଥିରେ ବ୍ୟବହାର କରାଯିବ ତେବେ ନାମ ପରିବର୍ତ୍ତନ ଲାଗି ଭାରତକୁ ୧୪,୦୩୪ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ପ୍ରତି ମାସରେ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ ପାଇଁ ଯେତିକି ଟଙ୍କା ବ୍ୟବହାର ହେଉଛି ଏହା ତା’ଠାରୁ ଅଧିକ। ସାଧାରଣତଃ କର୍ପୋରେଟ୍ ଜଗତରେ ନାମ ପରିବର୍ତ୍ତନ ଏକ ସ୍ବାଭାବିକ ପ୍ରକ୍ରିୟା। କୌଣସି ସଂସ୍ଥା ଅଧିଗ୍ରହଣ ହେଲେ କିମ୍ବା ଅନ୍ୟ କାହା ସହିତ ମିଶ୍ରଣ ଘଟିଲେ ଏକ ନୂଆ ପରିଚୟ ସୃଷ୍ଟି ହୁଏ। ସେହି ନୂଆ ପରିଚୟକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ଲାଗି କଂପାନିଗୁଡ଼ିକ ରିବ୍ରାଣ୍ଡିଂ ଅଭିଯାନ ଆରମ୍ଭ କରନ୍ତି। ସେହି ଅନୁସାରେ ପ୍ରଚାର ଅଭିଯାନ ପ୍ରସ୍ତୁତ କରାଯାଏ।

ଏକ ଦେଶର ନାମ ଏକ ବ୍ରାଣ୍ଡ୍‌ ଭଳି ଯାହା ବର୍ଷ ବର୍ଷ ଧରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥାଏ। ଯଦି କୌଣସି ଦେଶର ନାମକୁ ପରିବର୍ତ୍ତନ କରି ଅଲଗା ନାମ ରଖାଯିବ ତେବେ ଦୀର୍ଘ ବର୍ଷ ଧରି ଯେଉଁ ବ୍ରାଣ୍ଡ୍‌ ପରିଚୟ ସୃଷ୍ଟି ହୋଇଥିଲା ତାହା ହରାଇବାକୁ ପଡ଼ିବ। ଇଣ୍ଡିଆ ବ୍ରାଣ୍ଡ୍‌ର ମୂଲ୍ୟ ହିସାବ କରାଯାଇପାରିବ ନାହିଁ ବୋଲି କଂଗ୍ରେସ ନେତା ଶଶି ଥରୁର କହିଛନ୍ତି। ଦେଶର ଉଭୟ ନାମ ଇଣ୍ଡିଆ ଓ ଭାରତ ବ୍ୟବହାର ହେବା ଉଚିତ ବୋଲି ସେ କହିଛନ୍ତି। ଦେଶଗୁଡ଼ିକ ନିଜ ନାମ ବଦଳାଇବା କିଛି ନୂଆ କଥା ନୁହେଁ। ସେଲନ୍‌ ଏହାର ନାମ ବଦଳାଇ ଶ୍ରୀଲଙ୍କା ହୋଇଥିବା ବେଳେ ଥାଇଲ୍ୟାଣ୍ଡ୍‌ର ପୂର୍ବ ନାମ ସିଆମ୍‌ ଥିଲା। ଇଣ୍ଡିଆର ନାମ ପରିବର୍ତ୍ତନ ହୋଇ ଭାରତ ହେବାର ଆଶଙ୍କା ରହିଛି ବୋଲି ରାଷ୍ଟ୍ରପତି ଭବନ ପକ୍ଷରୁ ଜି୨୦ ନୈଶ୍ୟଭୋଜି ପାଇଁ ପଠାଯାଇଥିବା ନିୟନ୍ତ୍ରଣ ପତ୍ରରୁ ଜଣାପଡ଼ିଥିଲା। ସେଥିରେ ‘ପ୍ରେସିଡେଣ୍ଟ୍‌ ଅଫ୍ ଇଣ୍ଡିଆ’ ବଦଳରେ ‘ପ୍ରେସିଡେଣ୍ଟ୍‌ ଅଫ୍ ଭାରତ’ ଲେଖାଯାଇଥିଲା। ନାମ ପରିବର୍ତ୍ତନ ପଛରେ ରାଜନୀତି ମଧ୍ୟ ରହିଛି। କାରଣ ନିକଟରେ ବିରୋଧୀ ଦଳଗୁଡ଼ିକ ‘ଇଣ୍ଡିଆ’ ନାମରେ ମେଣ୍ଟ ଗଠନ କରିଛନ୍ତି। ତେଣୁ ଇଣ୍ଡିଆ ଶବ୍ଦକୁ ବ୍ୟବହାର ନକରିବା ଲାଗି ଜାଣିଶୁଣି ସରକାର ଦେଶର ନାମ ଭାରତକୁ ବଦଳାଇବାକୁ ଚାହୁଛନ୍ତି ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe