The Economic Times
ନୂଆଦିଲ୍ଲୀ: ଆଉ କିଛି ବର୍ଷ ଭିତରେ ଭାରତ ଏକ ୬ ଟ୍ରିଲିଅନ (ଲକ୍ଷ କୋଟି) ଡଲାର ଅର୍ଥନୀତିରେ ପରିଣତ ହେବ। ଷ୍ଟାଣ୍ଡାର୍ଡ ଚାର୍ଟର୍ଡ ବ୍ୟାଙ୍କ ଏହାର ଏକ ରିପୋର୍ଟରେ ଏହି ଗୋଲାପୀ ଚିତ୍ର ଆଙ୍କିଛି। ରିପୋର୍ଟ ଅନୁଯାୟୀ, ୨୦୩୦ ସୁଦ୍ଧା ଭାରତ ଏକ ମଧ୍ୟମ ଆୟ ବର୍ଗର ଦେଶରେ ପରିଣତ ହେବ। ମୁଣ୍ଡପିଛା ଆୟ ୭୦% ବୃଦ୍ଧି ପାଇ ୪୦୦୦ ଡଲାର ହୋଇଯିବ। ସେହି ସମୟରେ ଜିଡିପି ୬ ଟ୍ରିଲିଅନ ଡଲାରକୁ ବୃଦ୍ଧି ପାଇବ। ବର୍ତ୍ତମାନ ଦେଶର ମୁଣ୍ଡପିଛା ଆୟ ୨୪୫୦ ଡଲାର ରହିଛି।
ଭାରତୀୟ ଅର୍ଥନୀତିକୁ ଆଗକୁ ବଢ଼ାଇବାରେ ବୈଦେଶିକ ବାଣିଜ୍ୟ ପ୍ରମୁଖ ଭୂମିକା ନିର୍ବାହ କରିବ। ଦେଶର ଜିଡିପି ଏବେ ୩.୭ ଟ୍ରିଲିଅନ ଡଲାର ଥିବା ବେଳେ ସେଥିପ୍ରତି ବୈଦେଶିକ ବାଣିଜ୍ୟର ଅବଦାନ ୧.୨ ଟ୍ରିଲିଅନ ଡଲାର ରହିଛି। ୨୦୩୦ ସୁଦ୍ଧା ତାହା ୨.୧ ଟ୍ରିଲିଅନ ଡଲାରକୁ ବୃଦ୍ଧି ପାଇବ। ଏହା ବ୍ୟତୀତ ପରିବାରଗୁଡ଼ିକରେ ହେଉଥିବା ବିନିଯୋଗ ମଧ୍ୟ ଅର୍ଥନୀତିକୁ ଆଗକୁ ବଢ଼ାଇବ ବୋଲି ରିପୋର୍ଟରେ କୁହାଯାଇଛି। ଏବେ ଜିଡିପି ପ୍ରତି ପରିବାର ବିନିଯୋଗର ଅବଦାନ ୫୭% ରହିଛି।
ଷ୍ଟାଣ୍ଡାର୍ଡ ଚାର୍ଟର୍ଡ ରିପୋର୍ଟ
୨୦୩୦ ସୁଦ୍ଧା ମୁଣ୍ଡପିଛା ଆୟ ୭୦% ବଢ଼ିବ
ମଧ୍ୟମ-ଆୟ ବର୍ଗ ଦେଶ ହେବ
ବର୍ତ୍ତମାନ ତେଲେଙ୍ଗାନାର ମୁଣ୍ଡପିଛା ଆୟ ସର୍ବାଧିକ ୨,୭୫,୪୪୩ ଟଙ୍କା (୩୩୬୦ ଡଲାର) ରହିଛି। ଏହା ପଛକୁ ରହିଛନ୍ତି କର୍ଣ୍ଣାଟକ (୨,୬୫,୬୨୩), ତାମିଲନାଡ଼ୁ (୨,୪୧,୧୩୧), କେରଳ (୨,୩୦,୬୦୧) ଓ ଆନ୍ଧ୍ରପ୍ରଦେଶ (୨,୦୭,୭୭୧)। ଷ୍ଟାଣ୍ଡାର୍ଡ ଚାର୍ଟର୍ଡ ଏହାର ରିପୋର୍ଟରେ ଆକଳନ କରିଛି ଯେ ୨୦୩୦ ସୁଦ୍ଧା ମୁଣ୍ଡପିଛା ଆୟରେ ଗୁଜରାଟ ଶୀର୍ଷ ସ୍ଥାନରେ ପହଞ୍ଚିବ। ଏହା ପଛକୁ ରହିବେ ମହାରାଷ୍ଟ୍ର, ତାମିଲନାଡ଼ୁ, କର୍ଣ୍ଣାଟକ, ହରିୟାଣା, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ। ଦେଶର ଜିଡିପି ପ୍ରତି ତେଲେଙ୍ଗାନା, ଦିଲ୍ଲୀ, କର୍ଣ୍ଣାଟକ, ହରିୟାଣା, ଗୁଜରାଟ ଓ ଆନ୍ଧ୍ରପ୍ରଦେଶର ମିଳିତ ଅବଦାନ ୨୦% ରହିବ। ଏହି ରାଜ୍ୟଗୁଡ଼ିକର ମୁଣ୍ଡପିଛା ଆୟ ୬,୦୦୦ ଡଲାର ଟପିଯିବ। ଦୁଃଖର ବିଷୟ ହେଉଛି ଦେଶର ୨୫ ପ୍ରତିଶତ ଲୋକ ବାସ କରୁଥିବା ଦୁଇ ରାଜ୍ୟ ଉତ୍ତରପ୍ରଦେଶ ଓ ବିହାରର ମୁଣ୍ଡପିଛା ଆୟ ୨୦୩୦ରେ ମଧ୍ୟ ୨୦୦୦ ଡଲାରରୁ କମ୍ ରହିବ ବୋଲି ରିପୋର୍ଟରେ ଆକଳନ କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ଜନସଂଖ୍ୟାରେ କର୍ମଜୀବୀଙ୍କ ହାର ୨୦୨୦ରେ ୫୪.୨ ପ୍ରତିଶତ ଥିଲା। ତାହା ୨୦୪୦ରେ ୬୩.୬ ପ୍ରତିଶତ ଓ ୨୦୫୦ରେ ୬୧.୧ ପ୍ରତିଶତକୁ ହ୍ରାସ ପାଇବ।
Follow Us