ଗଳାବାଟରେ ପାକିସ୍ତାନ ଯାଉଛି ଭାରତୀୟ ସାମଗ୍ରୀ: ବର୍ଷକୁ ୮୫ହଜାର କୋଟିର ବେପାର

ପହଲଗାମ ଆତଙ୍କୀ ହମ୍‌ଲା ପରେ ପାକିସ୍ତାନ ସହ ସମସ୍ତ ଗୁରୁତ୍ବପୂର୍ଣ୍ଣ ସମ୍ପର୍କକୁ ଭାରତ ଛିନ୍ନ କରିଛି। ବହୁ ପୂର୍ବରୁ ଏହି ଦେଶ ସହିତ ବାଣିଜ୍ୟ କାରବାର ରଦ୍ଦ ହୋଇଛି। କିନ୍ତୁ ବ୍ୟବସାୟୀମାନେ ଗଳାବାଟ ଦେଇ ପ୍ରତି ବର୍ଷ କୋଟି କୋଟି ଟଙ୍କାର ଜିନିଷ ପାକିସ୍ତାନ ପଠାଉଛନ୍ତି।

scscsc

Photograph: ( Business Today)

ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ହମ୍‌ଲା ପରେ ପାକିସ୍ତାନ ସହ ସମସ୍ତ ଗୁରୁତ୍ବପୂର୍ଣ୍ଣ ସମ୍ପର୍କକୁ ଭାରତ ଛିନ୍ନ କରିଛି। ବହୁ ପୂର୍ବରୁ ଏହି ଦେଶ ସହିତ ବାଣିଜ୍ୟ କାରବାର ରଦ୍ଦ ହୋଇଛି। କିନ୍ତୁ ବ୍ୟବସାୟୀମାନେ ଗଳାବାଟ ଦେଇ ପ୍ରତି ବର୍ଷ କୋଟି କୋଟି ଟଙ୍କାର ଜିନିଷ ପାକିସ୍ତାନ ପଠାଉଛନ୍ତି। ଜିଟିଆର୍‌ଆଇର ତଥ୍ୟ ଅନୁସାରେ ପ୍ରତିବର୍ଷ ପ୍ରାୟ ୮୫ ହଜାର କୋଟି ଟଙ୍କାର ଭାରତୀୟ ସାମଗ୍ରୀ ପାକିସ୍ତାନ ପହଞ୍ଚୁଛି। ଦୁବାଇ, ସିଙ୍ଗାପୁର ଓ କ‌ଲମ୍ବୋରେ ଥିବା ବନ୍ଦର ଦେଇ ସାମଗ୍ରୀଗୁଡ଼ିକୁ ପାକିସ୍ତାନ ପଠାଯାଉଛି ବୋଲି ଗ୍ଲୋବାଲ୍‌ ଟ୍ରେଡ୍‌ ରିସର୍ଚ୍ଚ ଇନିସିଏଟିଭ୍ (ଜିଟିଆର୍‌ଆଇ) ପକ୍ଷରୁ କୁହାଯାଇଛି।

ଜିଟିଆର୍‌ଆଇର ପ୍ରତିଷ୍ଠାତା ଅଜୟ ଶ୍ରୀବାସ୍ତବ କହିଛନ୍ତି ଯେ ଭାରତରୁ ପଠାଯାଉଥିବା ମାଲଗୁଡ଼ିକ କେତେକ ନିର୍ଦ୍ଦିଷ୍ଟ ଦେଶର ବନ୍ଦରରେ ପହଞ୍ଚିବା ପରେ ସେଠାରୁ ତାହାକୁ ବାହାର କରି ବଣ୍ଡେଡ୍‌ ଗୋଦାମରେ ରଖାଯାଉଛି। ସେଥିପାଇଁ କୌଣସି ଶୁଳ୍କ ଦିଆଯାଉନାହିଁ। ଗୋଦାମରେ ଜିନିଷ ଥିବା ବେଳେ ସେଥିରୁ ଲେବଲ୍‌କୁ ହଟାଇ ‘ମୂଳ ଦେଶ’ (କଣ୍ଟ୍ରି ଅଫ୍‌ ଅରିଜିନ୍‌)କୁ ବଦଳାଇ ଦିଆଯାଉଛି। ଦୁବାଇରେ ଭାରତୀୟ ଜିନିଷର ଲେବଲ୍‌କୁ ବଦଳାଇ ମେଡ୍‌ ଇନ୍ ୟୁଏଇ ଲେଖିଦିଆଯାଉଛି। ଏହାପରେ ସେହି ଜିନିଷଗୁଡ଼ିକୁ ପାକିସ୍ତାନ ପଠାଇବା ସହଜ ହେଉଛି। ଏହି ଉପାୟକୁ ଅବଲମ୍ବନ କରି ବ୍ୟବସାୟୀମାନେ ଅତି ସହଜରେ ଭାରତ-ପାକିସ୍ତାନ ମଧ୍ୟରେ ଥିବା ତିକ୍ତ ସମ୍ପର୍କ ଜନିତ ପ୍ରତିବନ୍ଧକକୁ ଏଡ଼ାଇ ପାରୁଛନ୍ତି। ତୃତୀୟ ପକ୍ଷ ଦେଶ ଜରିଆରେ ଚଢ଼ା ଦାମ୍‌ରେ ମାଲ୍‌ ବିକିବା ସହଜ ହେଉଛି।

ଯେକୌଣସି ପ୍ରକାର ତଦନ୍ତକୁ ମଧ୍ୟ ସହଜରେ ଏଡ଼ାଇ ଦିଆଯାଇପାରୁଛି। ପହଲଗାମ ଆତଙ୍କୀ ହମ୍‌ଲା ପରେ ଦୁଇ ଦେଶ ଭିତରେ ବ୍ୟାବସାୟିକ ସମ୍ପର୍କ ସମ୍ପୂର୍ଣ୍ଣ ଠପ୍ ହେବାର ଆଶଙ୍କା ରହିଛି। ଅଟାରି-ୱାଘା ‌ସୀମାକୁ ବନ୍ଦ କରିବା ଲାଗି ଭାରତ ନିଷ୍ପତ୍ତି ନେଇଥିବା ବେଳେ ସବୁ ପ୍ରକାର ବ୍ୟାବସାୟିକ ସମ୍ପର୍କ ବନ୍ଦ କରିବାକୁ ପାକିସ୍ତାନ ନିଷ୍ପତ୍ତି ନେଇଛି। ତେଣୁ ଦୁଇ ଦେଶ ଭିତରେ କାରବାର ସମ୍ପୂର୍ଣ୍ଣ ଠପ୍ ହୋଇଯିବ ବୋଲି ରପ୍ତାନିକାରୀମାନେ ଆଶଙ୍କା କରୁଛନ୍ତି। ୨୦୨୪-୨୫ର ଜାନୁଆରିରୁ ଏପ୍ରିଲ୍ ମଧ୍ୟରେ ପାକିସ୍ତାନକୁ ଭାରତ ୪୪୭.୬୫ ନିୟୁତ ଡଲାର ରପ୍ତାନି କରିଥିଲା ଓ ସେଠାରୁ ୦.୪୨ ନିୟୁତ ଡଲାର ସାମଗ୍ରୀ ଆମଦାନି କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe