Indian Economy
ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ୧୦%କୁ ହ୍ରାସ ପାଇବ ବୋଲି ରେଟିଂ ଏଜେନ୍ସି ଫିଚ୍ ଆକଳନ କରିଛି। ଦେଶର ଅଭିବୃଦ୍ଧି ୧୨.୫% ଭଳି ଉଚ୍ଚ ସ୍ତରରେ ରହିବ ବୋଲି ଏହି ସଂସ୍ଥା କିଛି ଦିନ ପୂର୍ବରୁ ପୂର୍ବାନୁମାନ ଲଗାଇଥିଲା। ମାତ୍ର କରୋନା ମହାମାରୀର ଦ୍ବିତୀୟ ଲହର ଅର୍ଥନୈତିକ କାର୍ଯ୍ୟକଳାପକୁ ଗୁରୁତର ଭାବେ ପ୍ରଭାବିତ କରିବାରୁ ଏହା ନିଜର ପୂର୍ବାନୁମାନ ବଦଳାଇବାକୁ ବାଧ୍ୟ ହୋଇଛି। କେବଳ ଫିଚ୍ ନୁହେଁ ପ୍ରାୟ ସବୁ ପ୍ରମୁଖ ଏଜେନ୍ସି ଓ ସଂସ୍ଥା ଭାରତର ଅଭିବୃଦ୍ଧି କମିବ ବୋଲି କହିଛନ୍ତି। ଫିଚ୍ ଏହାର ରିପୋର୍ଟରେ ଜଣାଇଛି ଯେ ଅର୍ଥନୀତିରେ ଦ୍ରୁତ ସୁଧାର ଆଣିବାକୁ ହେଲେ ଟିକାକରଣକୁ ତ୍ବରାନ୍ବିତ କରିବାକୁ ପଡ଼ିବ। ଏହା ଦ୍ବାରା ଗ୍ରାହକଙ୍କ ମନରେ ବିଶ୍ବାସ ସୃଷ୍ଟି ହେବ ଓ ବ୍ୟବସାୟରେ ସୁଧାର ହୋଇପାରିବ। ଏଥର ବିଭିନ୍ନ ରାଜ୍ୟରେ ଲକ୍ଡାଉନ୍ ଘୋଷଣା କରାଯିବାରୁ ସ୍ଥିତି ୨୦୨୦ ଲକ୍ଡାଉନ୍ ଭଳି ହୋଇଯାଇଥିଲା।
ସେଥିପାଇଁ ଅଭିବୃଦ୍ଧି କମ୍ ହେବ ବୋଲି ଏହା ଆଶଙ୍କା ପ୍ରକଟ କରିଛି। ଜୁଲାଇ ୫ ସୁଦ୍ଧା ଦେଶର ମାତ୍ର ୪.୭ ପ୍ରତିଶତ ଜନସଂଖ୍ୟାର ଟିକାକରଣ ହୋଇପାରିଛି। ଭାରତ ଭଳି ଏତେ ବଡ଼ ଦେଶର ଅର୍ଥନୈତିକ ସୁଧାର ପାଇଁ ଏହା ବଡ଼ ବିପଦ ବୋଲି ଫିଚ୍ ଜଣାଇଛି। ୨୦୧୯-୨୦ରେ ୪ ପ୍ରତିଶତ ଅଭିବୃଦ୍ଧି ହାସଲ କରିଥିବା ଭାରତର ଅଭିବୃଦ୍ଧି ୨୦୨୦-୨୧ରେ ୭.୩ ପ୍ରତିଶତ ହ୍ରାସ ପାଇଛି।
ବ୍ୟାଙ୍କ ସମ୍ପର୍କରେ ଫିଚ୍ କହିଛି ଯେ ସରକାର ଘୋଷଣା କରିଥିବା ପ୍ରୋତ୍ସାହନ ପ୍ୟାକେଜ୍ ପାଇଁ ବ୍ୟାଙ୍କଗୁଡ଼ିକର ଏନ୍ପିଏ ସ୍ଥିତି ଠିକ୍ ଭାବେ ପ୍ରତିଫଳିତ ହେଉନାହିଁ। ଯଦି ଅର୍ଥନୀତିରେ ସୁଧାର ନହେବ ତାହାର ପ୍ରଭାବ ବ୍ୟାଙ୍କଗୁଡ଼ିକ ଉପରେ ପଡ଼ିବ। ବ୍ୟବସାୟ ଓ ରାଜସ୍ବ ବୃଦ୍ଧି ଲାଗି ସୀମିତ ସୁଯୋଗ ରହିଥିବାରୁ ବ୍ୟାଙ୍କଗୁଡ଼ିକ ପାଇଁ କାର୍ଯ୍ୟ କରିବାର ଏକ ଆହ୍ବାନପୂର୍ଣ୍ଣ ସ୍ଥିତି ରହଛି। ଯଦି କୋଭିଡ୍ ମହାମାରୀର ତୃତୀୟ ଲହର ଦେଖାଦେବ ତେବେ ସ୍ଥିତି ଆହୁରି ବିଗିଡ଼ିବାର ଆଶଙ୍କା ରହିଛି।
Follow Us