ନୂଆଦିଲ୍ଲୀ: ଭାରତ ଓ ଆମେରିକା ଗତକାଲି ଅନ୍ତରୀଣ ବାଣିଜ୍ୟ ରାଜିନାମା ଢାଞ୍ଚାର ମିଳିତ ବିବୃତି ଜାରି କରିଛନ୍ତି। ଟ୍ରମ୍ପ ମଧ୍ୟ ରୁଷ୍‌ରୁ ତେଲ କିଣୁଥିବା କାରଣରୁ ଭାରତ ଉପରେ ପୂର୍ବରୁ ଲଗାଇଥିବା ୨୫ ପ୍ରତିଶତ ଅତିରିକ୍ତ ଶୁଳ୍କକୁ ହଟାଇ ଦେଇଛନ୍ତି। ଏଭଳି ସ୍ଥିତିରେ ଭାରତର ତେଲ କମ୍ପାନିଗୁଡ଼ିକ ରୁଷ୍‌ରୁ ତେଲ କ୍ରୟକୁ ଏଡ଼ାଇବା ଆରମ୍ଭ କରିଛନ୍ତି। ଆଗାମୀ ଦିନରେ ମଧ୍ୟ ସେମାନେ ରୁଷ୍‌ ତେଲ କ୍ରୟରୁ ଦୂରେଇ ରହିବେ ବୋଲି ଅନୁମାନ କରାଯାଉଛି। ଇଣ୍ଡିଆନ୍‌ ଅଏଲ୍‌, ଭାରତ ପେଟ୍ରୋଲିୟମ ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ବ୍ୟବସାୟୀମାନଙ୍କ ଠାରୁ ରୁଷ୍‌ ତେଲ କିଣିବା ପ୍ରସ୍ତାବକୁ ଗ୍ରହଣ କରୁନାହାନ୍ତି। ମାର୍ଚ୍ଚ ଏବଂ ଏପ୍ରିଲ ମାସରେ ତେଲ କିଣିବା ଲାଗି ଦିଆଯାଇଥିବା ପ୍ରସ୍ତାବକୁ ଭାରତୀୟ କମ୍ପାନିଗୁଡ଼ିକ ଗ୍ରହଣ କରିନାହାନ୍ତି। ଭାରତୀୟ କମ୍ପାନିଙ୍କୁ ତେଲ ବିକିବା ପାଇଁ ଯୋଗାଯୋଗ କରିଥିବା ଜଣେ ବ୍ୟବସାୟୀ ଏହି ସୂଚନା ଦେଇଛନ୍ତି ବୋଲି ରଏଟର୍ସ ପକ୍ଷରୁ କୁହାଯାଇଛି। ଅନ୍ୟ ଭାରତୀୟ ତୈଳ କମ୍ପାନିଗୁଡ଼ିକ ରୁଷ୍‌ରୁ ତେଲ କିଣା ବନ୍ଦ କରିଦେଇଥିବାବେଳେ ଉପରୋକ୍ତ କମ୍ପାନିଗୁଡ଼ିକ ମାର୍ଚ୍ଚରେ ତେଲ ଆଣିବା ନେଇ ଯୋଜନା ପୂର୍ବରୁ ରଖିଥିଲେ।

Advertisment

ଭାରତରେ ଘରୋଇ କମ୍ପାନି ନାୟରା ମୁଖ୍ୟତଃ ରୁଷ୍‌ ତେଲ ଉପରେ ନିର୍ଭର କରିଥାଏ। ଏହି କମ୍ପାନି ରୁଷୀୟ କମ୍ପାନି ରୋଜନେଫ୍ଟର ପାଖାପାଖି ୫୦ ପ୍ରତିଶତ ଅଂଶଧନ ରହିଛି। ଦୈନିକ ୪ ଲକ୍ଷ ବ୍ୟାରେଲ୍‌ ତେଲ ନାୟରା ବିଶୋଧନ କରିବା ସହିତ ଦେଶବ୍ୟାପୀ ବିକ୍ରି କରିଥାଏ। ତେବେ ରକ୍ଷଣାବେକ୍ଷଣ ପାଇଁ ନାୟରା ଏହାର ବିଶୋଧନାଗାରକୁ ପ୍ରାୟ ୧ ମାସ ବନ୍ଦ ରଖିବ। ତେଣୁ ଏପ୍ରିଲ ମାସରେ ଏହି କମ୍ପାନିର ତେଲ ଆମଦାନି ଯୋଜନା ନାହିଁ ବୋଲି ଏକ ସୂତ୍ରରୁ ଜଣାଯାଇଛି। ଭାରତ ବିଶ୍ବର ତୃତୀୟ ବୃହତ୍ ତୈଳ ବ୍ୟବହାରକାରୀ ଓ ଆମଦାନିକାରୀ ରାଷ୍ଟ୍ର। ଗତ ଡିସେମ୍ବର ମାସରେ ରୁଷରୁ ଭାରତର ତେଲ ଆମଦାନି ଗତ ଦୁଇବର୍ଷର ସର୍ବନିମ୍ନ ସ୍ତରକୁ ଖସିଆସିଛି। ଭାରତୀୟ ତୈଳ କମ୍ପାନିଗୁଡ଼ିକ ରୁଷ୍‌ ପରିବର୍ତ୍ତେ ମଧ୍ୟପ୍ରାଚ୍ୟ, ଆଫ୍ରିକା ଏବଂ ଦକ୍ଷିଣ ଆମେରିକୀୟ ଦେଶଗୁଡ଼ିକରୁ ଅଧିକ ତେଲ କିଣିବା ଆରମ୍ଭ କରିଛନ୍ତି।

ଆହୁରି ପଢ଼ନ୍ତୁ: Cricket: ନଗେଶ ଟ୍ରଫି ଲାଗି ଓଡ଼ିଶା ଦଳ: ଆସନ୍ତାକାଲି ଉତ୍ତରାଖଣ୍ଡକୁ ଭେଟିବ

ଉଲ୍ଲେଖଯୋଗ୍ୟ, ୨୦୨୨ ମସିହାରେ ରୁଷ-ୟୁକ୍ରେନ ଯୁଦ୍ଧ ପରଠାରୁ ଭାରତ ମସ୍କୋଠାରୁ ରିହାତି ମୂଲ୍ୟରେ ଅଧିକ ତେଲ ଆମଦାନି କରି ଆସୁଥିଲା। ଏଥିପାଇଁ ଆମେରିକା ସମେତ ଅନ୍ୟ ପାଶ୍ଚାତ୍ୟ ଦେଶଗୁଡ଼ିକ ଭାରତକୁ ସମାଲୋଚନା କରି ଆସୁଥିଲେ। ଭାରତ ରୁଷ୍‌ ଠାରୁ ତେଲ କିଣି ପରୋକ୍ଷରେ ଯୁଦ୍ଧକୁ ପାଣ୍ଠି ଯୋଗାଉଛି ବୋଲି ଆମେରିକା ଅଭିଯୋଗ କରି ଆସୁଥିଲା। ଏହି କାରଣରୁ ଗତବର୍ଷ ଅଗଷ୍ଟରେ ଟ୍ରମ୍ପ ଭାରତ ଉପରେ ଜରିମାନା ଆକାରରେ ୨୫ ପ୍ରତିଶତ ଶୁଳ୍କ ଲଗାଇଥିଲେ।

ଆହୁରି ପଢ଼ନ୍ତୁ: Accident: ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା; ୨ଜଣ ମୃତ, ପାଞ୍ଚ ଗୁରୁତର