ଭୁବନେଶ୍ବର: ଦେଶରେ ଅକ୍ଟୋବର ମାସରେ ଖୁଚୁରା ମୁଦ୍ରାସ୍ଫୀତି ୦.୨୫ ପ୍ରତିଶତକୁ ହ୍ରାସ ପାଇଛି। ଏଭଳି ସ୍ଥିତିରେ ଓଡ଼ିଶାର ମୁଦ୍ରାସ୍ଫୀତି ବିଯୁକ୍ତାତ୍ମକ ରହିଛି। ଗତବର୍ଷ ଅକ୍ଟୋବର ତୁଳନାରେ ଚଳିତବର୍ଷ ଅକ୍ଟୋବରରେ ଓଡ଼ିଶାରେ ଖୁଚୁରା ମୁଦ୍ରାସ୍ଫୀତି ହ୍ରାସ ପାଇ ବିଯୁକ୍ତ ୧.୩୯ ପ୍ରତିଶତ ରହିଛି। ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଖୁଚୁରା ମୁଦ୍ରାସ୍ଫୀତି ବିଯୁକ୍ତାତ୍ମକ ରହିଥିଲେ ମଧ୍ୟ ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ଦରଦାମ ଅଧିକ ହ୍ରାସ ପାଇଛି। ରାଜ୍ୟର ଗ୍ରାମାଞ୍ଚଳରେ ଖୁଚୁରା ମୁଦ୍ରାସ୍ଫୀତି ବିଯୁକ୍ତ ୧.୮୫ ପ୍ରତିଶତ ରହିଥିବାବେଳେ ସହରାଞ୍ଚଳରେ ଏହା ବିଯୁକ୍ତ ୦.୨୧ ପ୍ରତିଶତ ରହିଛି।
ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳ ଦରଦାମ ଅଧିକ କମିଛି
କେରଳରେ ସର୍ବାଧିକ, ବିହାରରେ ସର୍ବନିମ୍ନ
ଓଡ଼ିଶା ସମେତ ଅନ୍ୟ ଯେଉଁସବୁ ପ୍ରମୁଖ ରାଜ୍ୟରେ ମୁଦ୍ରାସ୍ଫୀତି ବିଯୁକ୍ତ ସ୍ତରରେ ରହିଛି ସେଗୁଡ଼ିକ ହେଲା ଆସାମ (-୧.୫୦%), ବିହାର (-୧.୯୭%), ଛତିଶଗଡ଼ (-୧.୨୦%), ଦିଲ୍ଲୀ (-୦.୩୪%), ଗୁଜରାଟ (୦.୫୮%), ହରିୟାଣା (-୦.୫୧%), ଝାଡ଼ଖଣ୍ଡ (-୦.୫୧%), ମଧ୍ୟପ୍ରଦେଶ (-୧.୬୨%), ରାଜସ୍ଥାନ (-୦.୮୭%), ତେଲେଙ୍ଗାନା (-୧.୧୬%), ଉତ୍ତରପ୍ରଦେଶ (-୧.୭୧%) ବୋଲି ଆଜି କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ମନ୍ତ୍ରାଳୟର ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍ଏସ୍ଓ) ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଜଣାଯାଇଛି। ଅକ୍ଟୋବର ମାସରେ ବିହାରର ମୁଦ୍ରାସ୍ଫୀତି ହାର ଦେଶରେ ସବୁଠୁ କମ୍ ରହିଛି। ବିହାର ପଛକୁ ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।
କେରଳରେ ଖୁଚୁରା ମୁଦ୍ରାସ୍ଫୀତି ଦେଶରେ ସବୁଠୁ ଅଧିକ ଅର୍ଥାତ ୮.୫୬ ପ୍ରତିଶତ ରହିଛି। ଏହା ପଛକୁ ଜମ୍ମୁ କାଶ୍ମୀରରେ ୨.୯୫ ପ୍ରତିଶତ, କର୍ଣ୍ଣାଟକରେ ୨.୩୪ ପ୍ରତିଶତ, ପଞ୍ଜାବରେ ୧.୮୧ ପ୍ରତିଶତ ଏବଂ ତାମିଲନାଡ଼ୁରେ ୧.୨୯ ପ୍ରତିଶତ ରହିଛି। କେରଳରେ ଖୁଚୁରା ମୁଦ୍ରାସ୍ଫୀତି ଲଗାତାର ୧୦ ମାସ ହେଲା ସବୁଠୁ ଅଧିକ ରହିଛି।
ଦେଶରେ ୦.୨୫%କୁ କମିଲା, ୧୦ ବର୍ଷରେ ସର୍ବନିମ୍ନ
ନୂଆଦିଲ୍ଲୀ: ଅକ୍ଟୋବର ମାସରେ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ୦.୨୫%କୁ ହ୍ରାସ ପାଇଛି। ଫଳରେ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ୧୦ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ବର୍ତ୍ତମାନର ଖୁଚୁରା ମୂଲ୍ୟ ସୂଚୀ ସିରିଜ୍ରେ ଏହା ସର୍ବନିମ୍ନ। ଖାଦ୍ୟ ସାମଗ୍ରୀର ଦରଦାମ ହ୍ରାସ ସହିତ ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି)ର ହ୍ରାସର ପ୍ରଭାବ ମୁଦ୍ରାସ୍ଫୀତି ଉପରେ ପଡ଼ିଛି। ସବୁ କ୍ଷେତ୍ରର ଦର ଉପରେ ଜିଏସ୍ଟି ହ୍ରାସର ପ୍ରତିଫଳନ ଦେଖିବାକୁ ମିଳିଛି। ତେଲ, ପନିପରିବା, ଫଳ, ଅଣ୍ଡା, ଜୋତା, ଶସ୍ୟ, ପରିବହନ ଓ ଯୋଗାଯୋଗ ଆଦି କ୍ଷେତ୍ରରେ ଦରଦାମ ହ୍ରାସ ପାଇବାରୁ ମୁଦ୍ରାସ୍ଫୀତି ହାର କମିଛି। ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ମୁଦ୍ରାସ୍ଫୀତି ହାର କମ୍ ରହିଛି।
ଅକ୍ଟୋବର ମାସରେ ଦେଶର ଗ୍ରାମାଞ୍ଚଳରେ ଖୁଚୁରା ମୁଦ୍ରାସ୍ଫୀତି ବିଯୁକ୍ତ ୦.୨୫% ରହିଥିବାବେଳ ସହରାଞ୍ଚଳରେ ୦.୮୮ ପ୍ରତିଶତ ରହିଛି। ସେପ୍ଟେମ୍ବରରେ ଦେଶରେ ଖୁଚୁରା ମୁଦ୍ରାସ୍ପୀତି ୧.୪୪ ପ୍ରତିଶତରେ ରହିଥିଲା। ଚଳିତବର୍ଷ ଫେବ୍ରୁଆରିରୁ ଖୁଚୁରା ମୁଦ୍ରାସ୍ଫୀତି ୪% ତଳେ ରହି ଆସିଛି। ଖାଦ୍ୟ ମୁଦ୍ରାସ୍ଫୀତି ଉପରେ ନଜର ପକାଇଲେ ଦେଖିବାକୁ ମିଳିଛି ଯେ ଅକ୍ଟୋବର ମାସରେ ଦେଶରେ ଏହା ବିଯୁକ୍ତ ୫.୦୨% ରହିଛି। ଦେଶର ଗ୍ରାମାଞ୍ଚଳରେ ଖାଦ୍ୟ ମୁଦ୍ରାସ୍ଫୀତି ବିଯୁକ୍ତ ୪.୮୫% ଥିବାବେଳେ ସହରାଞ୍ଚଳରେ ବିଯୁକ୍ତ ୫.୧୮% ରହିଛି। ସେପ୍ଟେମ୍ବରରେ ଦେଶରେ ଖାଦ୍ୟ ମୁଦ୍ରାସ୍ଫୀତି ବିଯୁକ୍ତ ୨.୩୩% ରହିଥିଲା।
Follow Us