ଅସୁରକ୍ଷିତ ଖାଦ୍ୟ ନେଉଛି ୪.୨ ଲକ୍ଷ ଜୀବନ: ୬୦ କୋଟି ସଂକ୍ରମଣର ଶିକାର

Advertisment
ଅସୁରକ୍ଷିତ ଖାଦ୍ୟ ନେଉଛି ୪.୨ ଲକ୍ଷ ଜୀବନ: ୬୦ କୋଟି ସଂକ୍ରମଣର ଶିକାର

ନୂଆଦିଲ୍ଲୀ: ଅସୁରକ୍ଷିତ ଖାଦ୍ୟ ଖାଇ ବର୍ଷକୁ ୪.୨ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି। କେବଳ ସେତିକି ନୁହେଁ, ୬୦ କୋଟି ଲୋକ ସଂକ୍ରମଣର ଶିକାର ହେଉଛନ୍ତି। ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷ (ଏଫ୍‌ଏସ୍‌ଏସ୍‌ଏଆଇ) ପକ୍ଷରୁ ଗୁରୁବାର ଆୟୋଜିତ ପ୍ରଥମ ଅନ୍ତର୍ଜାତୀୟ ଖାଦ୍ୟ ନିୟାମକମାନଙ୍କ ସମ୍ମିଳନୀ ୨୦୨୩ରେ ଉଦ୍‌ବୋଧନ ଦେଇ ଏହା କହିଛନ୍ତି ଉକ୍ତ ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ଜି କମଳା ବର୍ଦ୍ଧନ ରାଓ। ସମ୍ମିଳନୀରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଯୋଗଦେଇ କହିଥିଲେ, ନିରାପଦ ଖାଦ୍ୟ ଏବଂ ଉତ୍ତମ ସ୍ବାସ୍ଥ୍ୟ ପରସ୍ପରର ପରିପୂରକ। ସନ୍ତୁଳିତ, ନିରାପଦ ଏବଂ ପୁଷ୍ଟିକର ଖାଦ୍ୟ ଶରୀରରେ ରୋଗ ହେବାକୁ ଦିଏ ନାହିଁ। ଲୋକଙ୍କ ସ୍ବାସ୍ଥ୍ୟ ଏବଂ ସୁସ୍ଥତାକୁ ନିଶ୍ଚିତ କରିଥାଏ। ବିଶ୍ବରେ ନିରନ୍ତର ବିକାଶ ପାଇଁ ଖାଦ୍ୟଶସ୍ୟ, ଖାଦ୍ୟ ସୁରକ୍ଷା ପ୍ରସଙ୍ଗରେ ଗଭୀର ଅନୁଧ୍ୟାନ କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ମାଣ୍ଡଭୀୟ କହିଛନ୍ତି। ବିଭିନ୍ନ ଭୌଗୋଳିକ ଅଞ୍ଚଳରେ କୃଷି ଜଳବାୟୁର ବିବିଧତା ଭିନ୍ନ ଭିନ୍ନ। ତେଣୁ ଖାଦ୍ୟ ସୁରକ୍ଷା ପ୍ରୋଟୋକଲ୍ ପାଇଁ ଗୋଟିଏ ମାନକ ପ୍ରଯୁଜ୍ୟ ହୋଇପାରିବ ନାହିଁ। ବିଶ୍ବସ୍ତରରେ ‌ପାଳନ ହେଉଥିବା ଉତ୍ତମ ଖାଦ୍ୟ ଅଭ୍ୟାସ ପରିସରରେ ଆଞ୍ଚଳିକ ବିବିଧତାକୁ କିଭଳି ସ୍ଥାନ ଦିଆଯିବା ପାରିବ ତାହା ଆମକୁ ଦେଖିବାକୁ କରିବାକୁ ହେବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ମତ ଦେଇଛନ୍ତି। ଖାଦ୍ୟ ଅଭାବ ଏକ ବିଶ୍ବସ୍ତରୀୟ ସମସ୍ୟା। ଏହି ସମସ୍ୟାର ସମାଧାନ ପାଇଁ ସମ୍ମିଳିତ ସମାଧାନ ଆବଶ୍ୟକ। ତେଣୁ ଦେଶଗୁଡ଼ିକ ଏଥିପାଇଁ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ସ୍ବାସ୍ଥ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରସ ଆଧନକ ଘେବ୍ରିୟେସସ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି, ପ୍ରତ୍ୟେକ ସ୍ଥାନର ପ୍ରତ୍ୟେକ ବ୍ୟକ୍ତି ଯେଭଳି ନିରାପଦ ଓ ପୁଷ୍ଟିକର ଖାଦ୍ୟ ଖାଇବାର ସୁବିଧା ପାଇବେ ସେଥିପାଇଁ ଆମକୁ ମିଳିତଭାବେ ନିଶ୍ଚିତ କରିବାକୁ ହେବ ବୋଲି ମହାନିର୍ଦ୍ଦେଶକ ମତ ଦେଇଛନ୍ତି। ଉକ୍ତ ସମ୍ମିଳନୀ ଅବସରରେ ଖାଦ୍ୟ ସଂପର୍କିତ ସୂଚନା ସଂମ୍ବଳିତ ଏକ ଅନଲାଇନ ମାର୍ଗଦର୍ଶିକା ଉନ୍ମୋଚନ ହୋଇଛି। ବିଶ୍ବର ଖାଦ୍ୟ ନିୟାମକ ସଂସ୍ଥାଗୁଡ଼ିକ ଦ୍ବାରା ଏହା ପ୍ରସ୍ତୁତ ହୋଇଛି। ଖାଦ୍ୟର ମାନ, ସୁରକ୍ଷା, ଲେ‌ବଲିଂ, ଦସ୍ତାବିଜ୍‌, ନିୟନ୍ତ୍ରଣ ଏବଂ ବାରଣ ଆଦି ବିଷୟ ଏଥିରେ ଉଲ୍ଲେଖ ରହିଛି। ଏଥିସହିତ ଖାଦ୍ୟ ନିୟାମକ ସଂସ୍ଥାଗୁଡ଼ିକ ପାଇଁ ଏକ ଡିଜିଟାଲ ଡାସ୍‌ବୋର୍ଡ ମଧ୍ୟ ଉନ୍ମୋଚନ ହୋଇଛି। ଖାଦ୍ୟ ମୂଲ୍ୟ ଶୃଙ୍ଖଳର ବିଭିନ୍ନ ପର୍ଯ୍ୟାୟରେ ନିୟାମକ ଢାଞ୍ଚା ଏବଂ ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ବିଶ୍ବ ସ୍ତରରେ ଏକ ଖାଦ୍ୟ ନିୟାମକମାନଙ୍କର ଏକ ପ୍ଲାଟଫର୍ମ ସୃଷ୍ଟି ଓ ସେମାନଙ୍କ ଅନ୍ତର୍ଦୃଷ୍ଟିକୁ ବିନିମୟ କରିବା ଲାଗି ଏହି ସମ୍ମିଳନୀ ଆୟୋଜନ କରାଯାଇଛି। ଏକ ମେଡିକାଲ୍ ଜର୍ଣ୍ଣାଲ ରିପୋର୍ଟ ଅନୁସାରେ ଅପମିଶ୍ରିତ ଜଳ ଓ ଖାଦ୍ୟ ଖାଇ ପ୍ରତିବର୍ଷ ୨୦ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ରିପୋର୍ଟ ଅନୁସାରେ ଭାରତର ୧୩.୨ ପ୍ରତିଶତ ପରିବାରରେ ବିପଜ୍ଜନକ ଭାବେ ଖାଦ୍ୟ ପ୍ରସ୍ତୁତ କରାଯାଉଛି। ଖାଦ୍ୟ ଜନିତ ସମସ୍ୟା ଅର୍ଥନୀତିକୁ ମଧ୍ୟ ପ୍ରଭାବିତ କରୁଛି। ବିଶ୍ବବ୍ୟାଙ୍କ ଆକଳନ ଅନୁସାରେ ଖାଦ୍ୟଜନିତ ଅସୁସ୍ଥତା ପାଇଁ ୧୫୦୦ କୋଟି ଡଲାରର କ୍ଷତି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe