ପେଟିଏମ୍‌ ସଙ୍କଟର ଭିତିରି କଥା: ଗୋଟିଏ ପାନ୍‌ରେ ହଜାରେ ଖାତା

Advertisment

ମନି ଲଣ୍ଡରିଂରେ ବ୍ୟବହାର ସନ୍ଦେହ, ଫାସ୍‌ଟ୍ୟାଗ୍‌, ୟୁପିଆଇ କାମ କରିବ

ମନି ଲଣ୍ଡରିଂରେ ବ୍ୟବହାର ସନ୍ଦେହ, ଫାସ୍‌ଟ୍ୟାଗ୍‌, ୟୁପିଆଇ କାମ କରିବ

ପେଟିଏମ୍‌ର କ୍ଷତି, ଛଟେଇ ଆଶଙ୍କା

Image Courtesy of India Today

ନୂଆଦିଲ୍ଲୀ: ପେଟିଏମ୍ ପେମେଣ୍ଟସ୍‌ ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କ କାହିଁକି ଏତେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ତାହାକୁ ନେଇ ନାନା ପ୍ରକାର କଳ୍ପନାଜଳ୍ପନା ପ୍ରକାଶ ପାଉଛି। କେୱାଇସି ନିୟମକୁ ଠିକ୍ ଭାବେ ପାଳନ କରାନଯାଇ ବହୁ ସଂଖ୍ୟାରେ ଖାତା ଖୋଲାଯିବା ଏବଂ ସେହି ଖାତାଗୁଡ଼ିକୁ ବ୍ୟବହାର କରି କୋଟି କୋଟି ଟଙ୍କାର କାରବାର କରାଯାଇଥିବାରୁ ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କ କ୍ଷୁବ୍ଧ ହୋଇ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛି। ପେଟିଏମ୍‌ ପେମେଣ୍ଟ୍‌ସ ବ୍ୟାଙ୍କରେ ଗୋଟିଏ ପାନ୍ ନମ୍ବରକୁ ବ୍ୟବହାର କରି ୧୦୦୦ରୁ ଅଧିକ ଖାତା ଖୋଲିବା ଭଳି କାମ କରିଛି। ଅଡିଟ୍ ଲାଗି ରିଜର୍ଭ ବ୍ୟାଙ୍କ ଓ ଅଡିଟର୍‌କୁ ବ୍ୟାଙ୍କ ଯେଉଁ ଖାତା ଦେଇଥିଲା ସେଥିରୁ ଅସଙ୍ଗତି ଧରାପଡ଼ିଥିଲା। ରିଜର୍ଭ ବ୍ୟାଙ୍କ ଆଶଙ୍କା କରୁଛି ଯେ କେୱାଇସି ନିୟମ ପାଳନ କରାଯାଇନଥିବାରୁ ଖାତାଗୁଡ଼ିକୁ ମନି ଲଣ୍ଡରିଂରେ ବ୍ୟବହାର କରାଯାଇପାରେ। ଏବିଷୟରେ ରିଜର୍ଭ ବ୍ୟାଙ୍କ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ସୂଚନା ଦେଇଥିବା ବେଳେ ଗୃହ ମନ୍ତ୍ରଣାଳୟ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମଧ୍ୟ ତଥ୍ୟ ପଠାଇଛି। ଦରକାର ପଡ଼ିଲେ ଇଡି ତରଫରୁ ପେଟିଏମ୍‌ ପେମେଣ୍ଟ୍‌ସ୍‌ ବ୍ୟାଙ୍କର ତଦନ୍ତ କରାଯିବ ବୋଲି ରାଜସ୍ବ ସଚିବ ସଞ୍ଜୟ ମଲହୋତ୍ରା କହିଛନ୍ତି। ତେବେ ଇଡି ତଦନ୍ତ ସମ୍ପର୍କିତ ରିପୋର୍ଟକୁ ପେଟିଏମ୍ ପକ୍ଷରୁ ଆଜି ଖଣ୍ଡନ କରାଯାଇଛି।
ରିଜର୍ଭ ବ୍ୟାଙ୍କ କାର୍ଯ୍ୟାନୁଷ୍ଠାନ ପଛର ଆଉ ଏକ ବଡ଼ କାରଣ ପେଟିଏମ୍‌ର ବିଭିନ୍ନ କମ୍ପାନି ଭିତରେ ହୋଇଥିବା ସନ୍ଦେହଜନକ କାରବାର। ବହୁ ବଡ଼ ବଡ଼ କାରବାର ବିଷୟରେ କିଛି ସୂଚନା ଦିଆଯାଇନାହିଁ। ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଓ ଏହାର ମାଲିକାନା କମ୍ପାନି ୱାନ୍‌୯୭ କମ୍ୟୁନିକେସନ୍ସ ଲିମିଟେଡ୍ ମଧ୍ୟରେ ଥିବା ସମ୍ପର୍କକୁ ନେଇ ମଧ୍ୟ ରିଜର୍ଭ ବ୍ୟାଙ୍କର ସନ୍ଦେହ ରହିଛି। ମୂଳ ପେଟିଏମ୍ ଆପ୍ ଜରିଆରେ କାରବାର ସମ୍ପାଦିତ ହେଉଥିବାରୁ ତଥ୍ୟର ଗୋପନୀୟତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ରହିଛି। ସେଥିରୁ ପେଟିଏମ୍ ପେମେଣ୍ଟ୍‌ସ ବ୍ୟାଙ୍କର କାରବାର ଉପରେ ରିଜର୍ଭ ବ୍ୟାଙ୍କ ରୋକ ଲଗାଇଛନ୍ତି। ଏହି ଘଟଣାର ପ୍ରଭାବରେ ଷ୍ଟକ୍ ବଜାରରେ ପେଟିଏମ୍ ସେୟାରରେ ବଡ଼ ଧରଣର ହ୍ରାସ ଘଟିଛି। କମ୍ପାନିର ବଜାର ପୁଞ୍ଜିରେ ୨୦୦ କୋଟି ଡଲାରର ହ୍ରାସ ହୋଇସାରିଲାଣି। ଏହାର ସେୟାର ମୂଲ୍ୟ ୩୬% ତଳକୁ ଖସିଛି। ଏହା ସତ୍ତ୍ବେ କମ୍ପାନିର ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା ଆଶାବାଦୀ ରହିଛନ୍ତି ଯେ ଫେବ୍ରୁଆରି ୨୯ ପରେ ସବୁକିଛି ଠିକ୍ ହୋଇଯିବ।

ଫାସ୍‌ଟ୍ୟାଗ୍‌, ୟୁପିଆଇ କାମ କରିବ

ପେଟିଏମ୍ ପେମେଣ୍ଟସ୍‌ ବ୍ୟାଙ୍କ ଜାରି କରିଥିବା ଫାସ୍‌ଟ୍ୟାଗ୍‌ଗୁଡ଼ିକ ‌ଫେବ୍ରୁଆରି ୨୯ ପରେ ମଧ୍ୟ କାମ କରିବ। ଯେଉଁ ଫାସ୍‌ଟ୍ୟାଗ୍‌ ଆକାଉଣ୍ଟରେ ବାଲାନ୍ସ ରହିଛି ତାହାକୁ ଗ୍ରାହକମାନେ ବିନା କୌଣସି ପ୍ରତିବନ୍ଧକରେ ବ୍ୟବହାର କରିପାରିବେ। ଏହାପରେ ମଧ୍ୟ ସେହି ଖାତା ଯେଭଳି ଠିକ୍ ଭାବେ କାମ କରିବ ସେଥିପାଇଁ ପେଟିଏମ୍ ବ୍ୟବସ୍ଥା କରୁଛି। ଏହା ବିଭିନ୍ନ ବ୍ୟାଙ୍କ ସହିତ ମିଶି କିଭଳି ଖାତାଗୁଡ଼ିକୁ ସ୍ଥାନାନ୍ତର କରିହେବ ସେଦିଗରେ କାମ କରୁଛି। ଅନ୍ୟ ପକ୍ଷରେ ପେଟିଏମ୍ ଜରିଆରେ ୟୁପିଆଇ ପେମେଣ୍ଟ ଗ୍ରହଣ କରୁଥିବା ବ୍ୟବସାୟୀମାନେ ଯେଭଳି ନିରବଚ୍ଛିନ୍ନ ସେବା ପାଇପାରିବେ ତାହା ନିଶ୍ଚିତ କରିବା ଲାଗି ମଧ୍ୟ କମ୍ପାନି ବ୍ୟବସ୍ଥା କରୁଛି। ଭାରତୀୟ ରିଜର୍ଭ ବ୍ୟାଙ୍କ, ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ ସହିତ ଏନେଇ ଆଲୋଚନା ଆରମ୍ଭ ହୋଇସାରିଲାଣି।

ଅଲଗା ଆ‌ପ୍ ବ୍ୟବହାର କର: ବ୍ୟବସାୟୀ ମହାସଂଘ
ନୂଆଦିଲ୍ଲୀ: ପେଟିଏମ୍ ପେମେଣ୍ଟ୍‌ସ୍‌ ବ୍ୟାଙ୍କ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ କଟକଣା ଲଗାଇଥିବାରୁ ଭବିଷ୍ୟତରେ କାରବାରରେ ବିଭ୍ରାଟ ଦେଖାଦେବାର ଆଶଙ୍କା ରହିଛି। ତେଣୁ ପେଟିଏମ୍‌ ବଦଳରେ ଅଲଗା ଆପ୍ ବ୍ୟବହାର କରିବାକୁ ଦେଶର ବ୍ୟବସାୟୀମାନଙ୍କୁ ବ୍ୟବସାୟୀ ମହାସଂଘ ପକ୍ଷରୁ ପରାମର୍ଶ ଦିଆଯାଇଛି। ମହାସଂଘ ପକ୍ଷରୁ କୁହାଯାଇଛି ଯେ ନିଜ ପାଣ୍ଠିର ସୁରକ୍ଷା ଲାଗି ଗ୍ରାହକମାନେ ପ୍ରତିଷେଧମୂଳକ ପଦକ୍ଷେପ ନେଉଛନ୍ତି। ବହୁ ସଂଖ୍ୟାରେ କ୍ଷୁଦ୍ର ବ୍ୟବସାୟୀ, ଭେଣ୍ଡର, ହକର ଓ ମହିଳା ପେମେଣ୍ଟ୍‌ ଲାଗି ପେଟିଏମ୍ ବ୍ୟବହାର କରୁଛନ୍ତି। ପେଟିଏମ୍ ଉପରେ ରିଜର୍ଭ ବ୍ୟାଙ୍କ ଲଗାଇଥିବା କଟକଣା ଯୋଗୁଁ ଆର୍ଥିକ କାରବାରରେ ବିଭ୍ରାଟ ଦେଖାଦେଇପାରେ ବୋଲି ମହାସଂଘ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe