ଏଟିଏମ୍‌ ସୁରକ୍ଷା କଡ଼ାକଡ଼ି କରିବାକୁ ନିର୍ଦେଶ, ଅଚଳ କାର୍ଡରେ ଠକମାନେ ଟଙ୍କା ଉଠାଉଛନ୍ତି

Advertisment
ଏଟିଏମ୍‌ ସୁରକ୍ଷା କଡ଼ାକଡ଼ି କରିବାକୁ ନିର୍ଦେଶ, ଅଚଳ କାର୍ଡରେ ଠକମାନେ ଟଙ୍କା ଉଠାଉଛନ୍ତି

ନୂଆଦିଲ୍ଲୀ: ଏଟିଏମ୍‌ରୁ ଅଭିନବ ଉପାୟରେ ଠକେଇ ହେଉଛି। ଏଟିଏମ୍‌ ମେସିନ୍‌କୁ ହ୍ୟାକ୍‌ କରି ସାଇବର୍‌ ଠକମାନେ ଟଙ୍କା ଉଠାଉଛନ୍ତି। ଏଭଳି କିଛି ମାମଲା ସାମ୍ନାକୁ ଆସିବା ପରେ ଏଟିଏମ୍‌ର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ଲାଗି ବ୍ୟାଙ୍କଗୁଡ଼ିକୁ କେନ୍ଦ୍ର ସରକାର ନିର୍ଦେଶ ଦେଇଛନ୍ତି। ଏଟିଏମ୍‌ ନେଟ୍‌ୱର୍କକୁ ସମ୍ପୂର୍ଣ୍ଣ ଏଣ୍ଡ୍‌-ଟୁ-ଏଣ୍ଡ୍‌ ଏନ୍‌କ୍ରିପ୍‌ସନ୍‌ କରିବା ଲାଗି ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। କିଛି ଦିନ ହେଲାଣି ଏଟିଏମ୍‌ରୁ ଅଭିନବ ଉପାୟରେ ଠକେଇ ହେଉଛି। ଏହାକୁ ମ୍ୟାନ୍ ଇନ୍‌ ଦି ମିଡିଲ୍‌ (ଏମ୍‌ଆଇଟିଏମ୍) କୁହାଯାଉଛି। ସିକ୍ୟୁରିଟି ଏଜେନ୍ସିଗୁଡ଼ିକ କରିଥିବା ତଦନ୍ତରୁ ଜଣାପଡ଼ିଛି ଯେ ଠକମାନେ ପ୍ରଥମେ ଏଟିଏମ୍‌ର ଲାନ୍ କେବୁଲରେ ହେରଫେର କରୁଛନ୍ତି। ଟଙ୍କା ଉଠାଇ ହେବ ନାହିଁ ବୋଲି ଏଟିଏମ୍ ଯେଉଁ ବାର୍ତା ଦିଏ ତାହାକୁ ସେମାନେ ମଝିରେ ବଦଳାଇ ଦେଇ ଟଙ୍କା ଉଠାଣକୁ ସଫଳ କରିପାରୁଛନ୍ତି।

ଏଟିଏମ୍ ମେସିନ୍ ଓ ରାଉଟର୍‌ ଭିତରେ ସେମାନେ ଏକ ଡିଭାଇସ୍‌ (ଯନ୍ତ୍ର) ବ୍ୟବହାର କରୁଛନ୍ତି। କେତେକ ମାମଲାରେ ସେମାନେ ସିଧାସଳଖ ଏଟିଏମ୍ କାଉଣ୍ଟର୍‌ ଭିତରେ ପ୍ରବେଶ କରି ଏହି କାମ କରୁଛନ୍ତି। ସେମାନେ ବ୍ୟବହାର କରୁଥିବା ଯନ୍ତ୍ରଟି ଏଟିଏମ୍‌ ନେଟ୍‌ୱର୍କ ସହ ଯୋଡ଼ି ହୋଇଥିବା ସ୍ବିଚ୍‌କୁ ନିଜ ନିୟନ୍ତ୍ରଣକୁ ଆଣିବାର କ୍ଷମତା ରଖିଛି। ଠକମାନେ ସେହି ମେସିନକୁ ଲଗାଇବା ପରେ ଏକ ଅଚଳ କାର୍ଡ ଜରିଆ‌ରେ ଟଙ୍କା ଉଠାଇବାକୁ ଉଦ୍ୟମ କରୁଛନ୍ତି। ସ୍ବାଭାବିକ ଭାବେ ଏଟିଏମ୍‌ରୁ ବାର୍ତା ଆସିବ ‘ଟଙ୍କା ଉଠାଇ ହେବ ନାହିଁ’। ସେହି ବାର୍ତାକୁ ସେମାନେ ମଝିରେ ରହି ବଦଳାଇ ଦେଉଛନ୍ତି। ଏହି ଧରଣର ଠକେଇ ରୋକିବା ଲାଗି ଏଟିଏମ୍‌ ନେଟ୍‌ୱର୍କର ଏଣ୍ଡ୍‌-ଟୁ-ଏଣ୍ଡ୍ ଏନ୍‌କ୍ରିପ୍‌ସନ୍ କରିବାକୁ କୁହାଯାଇଛି। ତାହା ହେଲେ ଏଟିଏମ୍‌ର କୌଣସି ବାର୍ତାକୁ କେହି ହାସଲ କରିପାରିବେ ନାହିଁ। ଏଟିଏମ୍ ଟର୍ମିନାଲ, ପିସି ଓ ଏଟିଏମ୍‌ ସ୍ବିଚ୍‌ ମଧ୍ୟରେ ଯେଉଁ ଯୋଗାଯୋଗ ହେଉଛି ତାହାର ସୁରକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ କଡ଼ାକଡ଼ି କରିବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। ଏଟିଏମ୍‌ରେ ବ୍ୟବହାର କରାଯାଇଥିବା ନେଟ୍‌ୱର୍କ କେବୁଲ, ଇନ୍‌ପୁଟ୍/ଆଉଟ୍‌ପୁଟ୍ ପୋର୍ଟକୁ ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ରଖିବାକୁ କୁହାଯାଇଛି। ଏହି ସବୁ ବ୍ୟବସ୍ଥା ଗ୍ରହଣ କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ମଧ୍ୟ ବ୍ୟାଙ୍କଗୁଡ଼ିକୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe