ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୧୪ରୁ

Advertisment
ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୧୪ରୁ

ନୂଆଦିଲ୍ଲୀ: ଆସନ୍ତା ୧୪ ତାରିଖରୁ ପ୍ରଗତି ମଇଦାନରେ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଆରମ୍ଭ ହେଉଛି। ପ୍ରଗତି ମଇଦାନରେ ସ୍ଥାୟୀ ରୂପେ ନିର୍ମିତ ଓଡ଼ିଶା ପାଭିଲିଅନ୍‌କୁ ଆଉ ଦେଖିବାକୁ ମିଳିବ ନାହିଁ। ପ୍ରଗତି ମଇଦାନର ପୁନଃ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ସାରିଥିବାରୁ ଏଥରର ବାଣିଜ୍ୟ ମେଳାରେ ବିକଳ୍ପ ବ୍ୟବସ୍ଥା ସହ ହ୍ୟାଙ୍ଗର ନିର୍ମାଣ କରାଯାଇ ସ୍ଥାନ ଆବଣ୍ଟିତ କରାଯାଇଛି। ଓଡ଼ିଶାକୁ ଆବଣ୍ଟ କରାଯାଇଥିବା ୩୯୮.୫ ବର୍ଗମିଟର ସ୍ଥାନରେ ପ୍ରଦର୍ଶନୀ ପାଇଁ ପ୍ରସ୍ତୁତି ଚାଲିଛି। ନଭେମ୍ବର ୧୪ରେ ଏହି ବାଣିଜ୍ୟ ମେଳାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଦ୍‌ଘାଟନ କରିବା ପରେ ଓଡ଼ିଶାର ପ୍ରଦର୍ଶନୀକୁ ରାଜ୍ୟ ସରକାରଙ୍କ ଜଣେ ବିରଷ୍ଠ ମନ୍ତ୍ରୀ ଉଦ୍‌ଘାଟନ କରିବେ। ଚଳିତବର୍ଷ ବାଣିଜ୍ୟ ମେଳାର ସହଯୋଗୀ ଦେଶ ରୂପେ ଭିଏତ୍‌ନାମ୍‌ ଯୋଗଦେଉଥିବାବେଳେ ଫୋକସ୍‌ ଦେଶ ରୂପେ କିର୍‌ଗିଜ୍‌ସ୍ଥାନ ଏବଂ ସହଯୋଗୀ ରାଜ୍ୟଭାବେ ଝାଡ଼ଖଣ୍ଡ ଯୋଗଦେବ। ଚଳିତବର୍ଷର ମୁଖ୍ୟ ବିଷୟବସ୍ତୁ ରହିଛି ଷ୍ଟାର୍ଟଅପ୍‌ ଇଣ୍ଡିଆ ଓ ଷ୍ଟାଣ୍ଡ୍‌ଅପ୍‌ ଇଣ୍ଡିଆ। ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ୨୧ଟି ଦେଶ ସାମିଲ ହେବେ। ତେବେ ପାକିସ୍ତାନ ଭାଗ ନେବ କି ନାହିଁ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଭାରତ ବାଣିଜ୍ୟ ପ୍ରୋତ୍ସାହନ ସଂଗଠନ(ଆଇଟିପିଓ) ଅନୁଯାୟୀ ଚଳିତ ବର୍ଷ ୨୨ଟି ଦେଶର ୨୨୨ଟି କମ୍ପାନି ବାଣିଜ୍ୟ ମେଳାରେ ଭାଗନେବେ। ଏଥର ବାଣିଜ୍ୟ ମେଳାକୁ ପ୍ରତିଦିନ ୬୦ ହଜାର ଦର୍ଶକଙ୍କୁ ପ୍ରବେଶ ଅନୁମତି ମିଳିବ। ଦର୍ଶକ ସଂଖ୍ୟା ୬୦ ହଜାରରେ ପହଞ୍ଚିଲେ ଟିକଟ ବିକ୍ରି ଓ ପ୍ରବେଶ ଦ୍ୱାର ଗୁଡ଼ିକ ବନ୍ଦ ହୋଇଯିବ। ଆଜିଠାରୁ ମେଳା ପାଇଁ ଅନ୍‌ଲାଇନ୍‌ ଟିକଟ ବୁକିଂ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe