Image Courtesy of India.com
ନୂଆଦିଲ୍ଲୀ: ଡିସେମ୍ବର ଶେଷ ସୁଦ୍ଧା ଆନ୍ତର୍ଜାତିକ ବିମାନ ଚଳାଚଳ କ୍ଷେତ୍ରରେ ସ୍ବାଭାବିକ ସ୍ଥିତି ଫେରିବା ଆଶା କରାଯାଉଛି। ବେସାମରିକ ବିମାନ ଚଳାଚଳ ସଚିବ ରାଜୀବ ବଂଶଲ ଏହି ସୂଚନା ଦେଇଛନ୍ତି। ଗତବର୍ଷ କରୋନା ମହାମାରୀ ବ୍ୟାପିବା ପରେ ଆନ୍ତର୍ଜାତିକ ବିମାନ ଉଡ଼ାଣ ଉପରେ କଟକଣା ଲଗାଯାଇଛି। କେବଳ ମିସନ୍ରେ ଥିବା ବିମାନ ଓ ଔଷଧ ତଥା ଖାଦ୍ୟ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ବିମାନକୁ ଉଡ଼ାଣ ଅନୁମତି ଦିଆଯାଇଛି। ଦେଶରେ କୋଭିଡ୍ ମାମଲା ହ୍ରାସ ପାଉଥିବା ବେଳେ ଟିକାକରଣରେ ଉନ୍ନତି ହୋଇଥିବାରୁ ଆନ୍ତର୍ଜାତିକ ବିମାନ ଚଳାଚଳ ଉପରେ ଲଗାଯାଇଥିବା କଟକଣା କୋହଳ କରିବା ଉପରେ ବିଚାର କରାଯାଉଛି। ଏଥିପାଇଁ ପୂର୍ବ ପ୍ରସ୍ତୁତି ସ୍ବରୂପ ନଭେମ୍ବର ୧୫ ଠାରୁ ପର୍ଯ୍ୟଟନ ଭିସା ଜାରି କରିବା ପ୍ରକ୍ରିୟା ଆରମ୍ଭ କରାଯାଇଛି। ମହାମାରୀ ବ୍ୟାପିବା ପରେ ଏହି ଭିସା ଉପରେ କଟକଣା ଲଗାଯାଇଥିଲା। ଯାତ୍ରୀବାହୀ ବିମାନ ଚଳାଚଳ ଲାଗି ଭାରତ ସରକାର ୨୫ଟି ଦେଶ ସହ ଏୟାର ବବଲ୍ ବୁଝାମଣା କରିଛନ୍ତି।
ଆଗକୁ ଆହୁରି ବହୁ ଦେଶ ସହିତ ଏଭଳି ବୁଝାମଣା କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏୟାର ବବଲ୍ ବୁଝାମଣା ଅଧୀନରେ ସଦସ୍ୟ ରାଷ୍ଟ୍ର ମଧ୍ୟରେ ନିର୍ଦିଷ୍ଟ କିଛି ବିମାନ କେତେକ ସର୍ତ୍ତ ପାଳନ କରି ଚଳାଚଳ କରୁଛି। ଆନ୍ତର୍ଜାତିକ ବିମାନ ଚଳାଚଳ କ୍ଷେତ୍ରରେ ସ୍ବାଭାବିକ ସ୍ଥିତି ଫେରାଇ ଆଣିବାର କ’ଣ ସମ୍ଭାବନା ରହିଛି ତାହାର ଅନୁଧ୍ୟାନ କରାଯାଉଛି ବୋଲି ଗତ ସପ୍ତାହରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଥିଲେ। ସେ କହିଥିଲେ ଯେ ସ୍ବାଭାବିକ ସ୍ଥିତି ଫେରାଇ ଆଣିବାକୁ ସରକାର ଚାହୁଛନ୍ତି। ଏଥି ସହିତ କରୋନା ସଂକ୍ରମଣ ଉପରେ ମଧ୍ୟ ତୀକ୍ଷ୍ଣ ନଜର ରଖାଯିବ। କାରଣ ୟୁରୋପୀୟ ରାଷ୍ଟ୍ରଗୁଡ଼ିକରେ ପୁଣି ଥରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଖବର ଆସୁଛି। ଗତବର୍ଷ ମହାମାରୀ ବ୍ୟାପିବା ପରେ ଦେଶ ଭିତରେ ଚଳାଚଳ କରୁଥିବା ବିମାନ ଉପରେ ମଧ୍ୟ କଟକଣା ଲଗାଯାଇଥିଲା। ଡୋମେଷ୍ଟିକ୍ ରୁଟ୍ରେ ପୂର୍ଣ୍ଣ କ୍ଷମତା ବ୍ୟବହାର କରିବା ଲାଗି ଗତ ମାସରେ ବିମାନ କଂପାନିଗୁଡ଼ିକୁ ସରକାର ଅନୁମତି ଦେଇଛନ୍ତି।
Follow Us