ସରିନି ଦରଦାମ୍ ବିରୋଧ ଲଢ଼େଇ: ସୁଧରେ ୦.୨୫% ବୃଦ୍ଧି କଲା ରିଜର୍ଭ ବ୍ୟାଙ୍କ

Advertisment

ଘର, ଗାଡ଼ି ଇଏମ୍‌ଆଇ ବଢ଼ିବ, ମୁଦ୍ରାସ୍ଫୀତି ୫.୩%, ଅଭିବୃଦ୍ଧି ୬.୪% ରହିବ

ଘର, ଗାଡ଼ି ଇଏମ୍‌ଆଇ ବଢ଼ିବ, ମୁଦ୍ରାସ୍ଫୀତି ୫.୩%, ଅଭିବୃଦ୍ଧି ୬.୪% ରହିବ

ବ୍ୟାଙ୍କ ନିର୍ଦ୍ଦେଶକଙ୍କୁ ଭେଟିବେ ଶକ୍ତିକାନ୍ତ

The Economic Times

ମୁମ୍ବାଇ: ଦରଦାମ୍ ବିରୋଧରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଯେଉଁ ଲଢ଼େଇ ଆରମ୍ଭ କରିଥିଲା ତାହା ଶେଷ ହୋଇନି। ମୁଦ୍ରା ନୀତି କମିଟି ପକ୍ଷରୁ ଆଜି ସୁଧ ହାରରେ ୦.୨୫% ବୃଦ୍ଧି କରାଯିବାରୁ ରେପୋ ହାର ୬.୫୦ ପ୍ରତିଶତ ଭଳି ଉଚ୍ଚ ସ୍ତରକୁ ବୃଦ୍ଧି ପାଇଛି। ରେପୋ ବଢ଼ିଥିବାରୁ ଘର, ଗାଡ଼ି କିଣିବାକୁ କିମ୍ବା ବ୍ୟକ୍ତିଗତ ଋଣ ନେଇଥିବା ଗ୍ରାହକଙ୍କ ଇଏମ୍‌ଆଇ ବୃଦ୍ଧି ପାଇବ। ଆଜି ମୁଦ୍ରା ନୀତିର ନିଷ୍ପତ୍ତି ବିଷୟରେ ଘୋଷଣା କରି ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ମୁଦ୍ରାସ୍ଫୀତି ହାରକୁ ୪ ପ୍ରତିଶତ ସ୍ତରକୁ ଖସାଇବା ଲାଗି ରେପୋ ହାରରେ ବୃଦ୍ଧି କରାଯାଇଛି। ସୁଧ ବଢ଼ାଇବା ସପକ୍ଷରେ କମିଟିର ଚାରି ଜଣ ସଦସ୍ୟ ମତ ଦେଇଥିବା ବେଳେ ଅସିମା ଗୋୟଲ ଓ ଜୟନ୍ତ ବର୍ମା ସେହି ପ୍ରସ୍ତାବକୁ ବିରୋଧ କରିଥିଲେ।

୨୦୨୨ ମେ’ ପରଠାରୁ ରିଜର୍ଭ ବ୍ୟାଙ୍କ ରେପୋ ହାରରେ ୨.୫୦ ପ୍ରତିଶତ ବୃଦ୍ଧି କରିଛି। ବର୍ତ୍ତମାନ ୬.୫୦ ପ୍ରତିଶତରେ ଥିବା ସୁଧ ହାର ୨୦୧୯ ଫେବ୍ରୁଆରି ପରବର୍ତୀ ସମୟରେ ସର୍ବାଧିକ। ଶକ୍ତିକାନ୍ତ କହିଛନ୍ତି ଦରଦାମ୍ ସ୍ଥିତି ଏତେ ଶୀଘ୍ର ନିୟନ୍ତ୍ରଣକୁ ଆସିବ ନାହିଁ। ଭୂ-ରାଜନୈତିକ ଘଟଣାବଳୀ, ଅଣ ତୈଳ ସାମଗ୍ରୀ ଦାମ୍‌ର ଚଢ଼ା ଦାମ୍ ଓ ଅଶୋଧିତ ତୈଳ ଦରରେ ଅସ୍ଥିରତା ଲାଗି ରହିବାର ଆଶଙ୍କା ଥିବାରୁ ଆସନ୍ତା ଆର୍ଥିକ ବର୍ଷରେ ମଧ୍ୟ ମୁଦ୍ରାସ୍ଫୀତି ହାର ୪ ପ୍ରତିଶତରୁ ଅଧିକ ରହିବ। ସେଥିପାଇଁ ଦରଦାମ୍ ସ୍ଥିତି ଉପରେ ରିଜର୍ଭ ବ୍ୟାଙ୍କ ତୀକ୍ଷ୍‌ଣ ନଜର ରଖିବ। ୨୦୨୩-୨୪ର ମାର୍ଚ୍ଚ-ଏପ୍ରିଲ୍ ସୁଦ୍ଧା ମୁଦ୍ରାସ୍ଫୀତି ହାର ୫.୬%ରେ ରହିବ ବୋଲି ଆଶା କରାଯାଉଛି।

ମୁଦ୍ରାସ୍ଫୀତି ଆକଳନ ବିଷୟରେ ଘୋଷଣା କରି ସେ କହିଛନ୍ତି ଯେ ଯଦି ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ହାରାହାରି ୯୫ ଡଲାର ରହିବ ତେବେ ଆସନ୍ତା ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଖୁଚୁରା ମୁଦ୍ରାସ୍ଫୀତି ୫.୩ ପ୍ରତିଶତ ରହିବ। ପ୍ରଥମ ତ୍ରୈମାସିକରେ ତାହା ୫%, ଦ୍ବିତୀୟ ତ୍ରୈମାସିକରେ ୫.୪ ପ୍ରତିଶତ ଏବଂ ଚତୁର୍ଥ ତ୍ରୈମାସିକରେ ୫.୬ ପ୍ରତିଶତ ରହିବ। ସେହିପରି, ଆସନ୍ତା ଆର୍ଥିକ ବର୍ଷରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୬.୪ ପ୍ରତିଶତ ରହିବ ବୋଲି ମୁଦ୍ରା ନୀତି କମିଟି ଆକଳନ କରିଛି। ପ୍ରଥମ ତ୍ରୈମାସିକର ଅଭିବୃଦ୍ଧି ୭.୮ ପ୍ରତିଶତ, ଦ୍ବିତୀୟରେ ୬.୨ ପ୍ରତିଶ, ତୃତୀୟରେ ୬ ପ୍ରତିଶତ ଏବଂ ଚତୁର୍ଥ ତ୍ରୈମାସିକରେ ୫.୮ ପ୍ରତିଶତ ରହିବ। ସରକାରୀ ପ୍ରତିଭୂତିରେ ଋଣ ନେଣଦେଣକୁ ରିଜର୍ଭ ବ୍ୟାଙ୍କ ଅନୁମତି ପ୍ରଦାନ କରିଛି। ଏହା ଦ୍ବାରା ବୀମା କଂପାନି ଓ ମ୍ୟୁଚୁଆଲ ଫଣ୍ଡ୍‌ ସଂସ୍ଥା ଉପକୃତ ହେବେ। ସରକାରୀ ପ୍ରତିଭୂତି ବଜାର ସମୟରେ ବୃଦ୍ଧି କରାଯାଇଛି। ଆଗକୁ ସହାଳ ୯ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଏହି ବଜାରରେ କାରବାର ହେବ। ଗ୍ରିନ୍ ଜମା ଏବଂ ଜଳବାୟୁ ସମ୍ପର୍କିତ ଆର୍ଥିକ ବିପଦର ଘୋଷଣାକୁ ନେଇ ଖୁବ୍‌ଶୀଘ୍ର ଗାଇଡ୍‌ଲାଇନ୍ ପ୍ରସ୍ତୁତ କରାଯିବ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ସେହିପରି, ନିୟନ୍ତ୍ରିତ ସଂସ୍ଥାଗୁଡ଼ିକ ଲଗାଉଥିବା ଜରିମାନା ଶୁଳ୍କୁ ନେଇ ଖୁବ୍‌ଶୀଘ୍ର ଚିଠା ଗାଇଡ୍‌ଲାଇନ୍‌ ଆସିବ ବୋଲି ରିଜର୍ଭ ବ୍ୟାଙ୍କ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe