ପୁଣି ସୁଧ ବଢ଼ାଇଲା ରିଜର୍ଭ ବ୍ୟାଙ୍କ: ଇଏମ୍‌ଆଇ ଚାପ ବଢ଼ିଲା

Advertisment

ଦରବୃଦ୍ଧିର ଖରାପ ସମୟ ଆଉ ନାହିଁ: ଶକ୍ତିକାନ୍ତ

ଦରବୃଦ୍ଧିର ଖରାପ ସମୟ ଆଉ ନାହିଁ: ଶକ୍ତିକାନ୍ତ

ଦରଦାମ୍ ବିରୋଧ ଲଢ଼େଇ ଶେଷ ହୋଇନି: ଶକ୍ତିକାନ୍ତ

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ନେତୃତ୍ବାଧୀନ ମୁଦ୍ରାନୀତି କମିଟି ତିନି ଦିନ ମାନସମନ୍ଥନ କରିବା ପରେ ରେପୋ ହାରରେ ୦.୩୫% ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଚଳିତ ବର୍ଷ ମାର୍ଚ୍ଚ ପରେ ଲଗାତାର ପଞ୍ଚମ ଥର ଲାଗି ରିଜର୍ଭ ବ୍ୟାଙ୍କ ସୁଧ ବଢ଼ାଇଛି। ଫଳରେ ରେପୋ ହାର ୫.୯%ରୁ ବୃଦ୍ଧି ପାଇ ୬.୨୫% ହୋଇଛି। ଏହାର ସିଧାସଳଖ ପ୍ରଭାବ ଋଣ ନେଇଥିବା ଗ୍ରାହକଙ୍କ ଉପରେ ପଡ଼ିବ। ସେମାନଙ୍କ ଇଏମ୍‌ଆଇ ବଢ଼ିଯିବ। ବିଶେଷ କରି ଘର ଓ ଗାଡ଼ି କିଣିବା ଲାଗି ଏବଂ ବ୍ୟକ୍ତିଗତ ଋଣ ନେଇଥିବା ଗ୍ରାହକଙ୍କ ଉପରେ ଅତିରିକ୍ତ ଚାପ ସୃଷ୍ଟି ହେବ। ଯେଉଁମାନଙ୍କ ଋଣ ଶୁଝିବା ସମୟ ଅଧିକ ରହିଛି ସେମାନଙ୍କ ଇଏମ୍‌ଆଇରେ ଅଧିକ ବୃଦ୍ଧି ହେବ। ନିୟନ୍ତ୍ରଣ ବାହାରେ ଥିବା ମୁଦ୍ରାସ୍ଫୀତିକୁ ନିର୍ଧାରିତ ୪% ସ୍ତରକୁ ଆଣିବା ଲାଗି ପୁଣି ଥରେ ସୁଧ ବଢ଼ାଇବା ଲାଗି ମୁଦ୍ରାନୀତି କମିଟି ନିଷ୍ପତ୍ତି ନେଇଛି। କମିଟିର ୫ ଜଣ ସଦସ୍ୟ ସୁଧ ବଢ଼ାଇବା ସପକ୍ଷରେ ମତ ଦେଇଥିବା ଜଣେ ତାହାକୁ ବିରୋଧ କରିଥିଲେ।
ରିଜର୍ଭ ବ୍ୟାଙ୍କ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ଆକଳନକୁ ୫.୮%କୁ ହ୍ରାସ କରାଯାଇଥିବା ବେଳେ ମୁଦ୍ରାସ୍ଫୀତି ଲକ୍ଷ୍ୟକୁ ୬.୭ ପ୍ରତିଶତରେ ଅପରିବର୍ତ୍ତିତ ରଖାଯାଇଛି। ଏହା ପୂର୍ବରୁ ରିଜର୍ଭ ବ୍ୟାଙ୍କ କହିଥିଲା ଯେ ଭାରତର ଅଭିବୃଦ୍ଧି ୬.୯ ପ୍ରତିଶତ ହେବ।

ଗଭର୍ଣ୍ଣର ଶ୍ରୀ ଦାସ କହିଛନ୍ତି ଯେ ଦରବୃଦ୍ଧିର ସବୁଠୁ ଖରାପ ସମୟ ଆଉ ନାହିଁ। ଆଗକୁ ସ୍ଥିତି ନିୟନ୍ତ୍ରଣକୁ ଆସିବ। ମାତ୍ର ମୁଦ୍ରାସ୍ଫୀତି ଲକ୍ଷ୍ୟକୁ ନବଦଳାଇ ଶକ୍ତିକାନ୍ତ ଏହି ସଙ୍କେତ ଦେଇଛନ୍ତି ଯେ ଦରଦାମ୍ ସ୍ଥିତି ଶୀଘ୍ର ନୁହେଁ ବରଂ ଧୀରେ ଧୀରେ ନିୟନ୍ତ୍ରଣକୁ ଆସିବ। ରୁଷ୍‌-ୟୁକ୍ରେନ ଯୁଦ୍ଧ ଯୋଗୁ ବିଶ୍ବ ବଜାରରେ ଅନିଶ୍ଚିତତା ଲାଗି ରହିଥିବାରୁ ଦରଦାମ୍ ସ୍ଥିତିକୁ ନେଇ ରିଜର୍ଭ ବ୍ୟାଙ୍କ ନିଶ୍ଚିତ ହୋଇପାରୁନାହିଁ। ମୁଦ୍ରାସ୍ଫୀତିକୁ ୬%ରେ ସୀମିତ ରଖିବା ଲାଗି ରିଜର୍ଭ ବ୍ୟାଙ୍କକୁ ସରକାର କହିଥିଲେ। ଲଗାତାର ନଅ ମାସ ପର୍ଯ୍ୟନ୍ତ ତାହା ବେଲଗାମ ରହିବାରୁ ରିଜର୍ଭ ବ୍ୟାଙ୍କକୁ ସରକାର ଜବାବ ମାଗିଥିଲେ। ତାହାର ଉତ୍ତରରେ ରିଜର୍ଭ ବ୍ୟାଙ୍କ ବିଶ୍ବ ବଜାରର ଅନିଶ୍ଚିତତାକୁ ଦାୟୀ କରି ନିଜେ ହାତ ଟେକି ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe