ପୋଷ୍ଟ ଅଫିସ୍ରେ ନିବେଶକୁ ରିସ୍କ-ଫ୍ରି ନିବେଶ କୁହାଯାଏ। ଭାରତୀୟ ରିଜର୍ଭ ବ୍ୟାଙ୍କ ଚଳିତବର୍ଷ ୩ଥର ରେପୋ ହାର ହ୍ରାସ କରିଛି। ଫଳସ୍ୱରୂପ, ବ୍ୟାଙ୍କଗୁଡ଼ିକ ଫିକ୍ସ ଡିପୋଜିଟ୍ ଉପରେ ସୁଧ ହାର ମଧ୍ୟ ହ୍ରାସ କରିଛନ୍ତି। ଏଫ୍ଡି ଭଳି ସୁରକ୍ଷିତ ନିବେଶ ଉପରେ ଅଧିକ ନିର୍ଭର କରୁଥିବା ଲୋକ ବିଶେଷ କରି ବୟସ୍କଙ୍କ ପାଇଁ ଏହା ସମସ୍ୟା ସୃଷ୍ଟି କରିଛି। ଏଣୁ ସୁରକ୍ଷିତ ନିବେଶ ବିକଳ୍ପ ପାଇଁ ପୋଷ୍ଟ ଅଫିସ୍କୁ ବାଛିବା ହିଁ ବୁଦ୍ଧିମାନର କାମ।
ପୋଷ୍ଟାଲ୍ରେ ନିବେଶ
ଆପଣ ପୋଷ୍ଟ ଅଫିସ୍ରେ ଆପଣଙ୍କ ଓ ଆପଣଙ୍କ ପତି/ପତ୍ନୀଙ୍କ ନାମରେ ଏକ ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ (ପିପିଏଫ୍) ଆକାଉଣ୍ଟ ଖୋଲିପାରିବେ। ଉଭୟ ଆକାଉଣ୍ଟରେ ଆପଣଙ୍କୁ ଅଲଗା ସୁଧ ମିଳିବ, ଅର୍ଥାତ୍ ଆପଣଙ୍କୁ ଡବଲ୍ ଫାଇଦା ମିଳିବ। ଜଣେ ବ୍ୟକ୍ତି ଏକ ଆର୍ଥିକ ବର୍ଷରେ ତାଙ୍କ ପିପିଏଫ୍ ଆକାଉଣ୍ଟରେ ସର୍ବାଧିକ ୧.୫ ଲକ୍ଷ ଟଙ୍କା ଜମା କରିପାରିବେ। ଏହାସହିତ ସେମାନେ ତାଙ୍କ ପତି/ପତ୍ନୀଙ୍କ ଆକାଉଣ୍ଟରେ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା କରିପାରିବେ। ଉଭୟ ଆକାଉଣ୍ଟ ସ୍ୱାଧୀନ ଭାବରେ ସୁଧ ପାଇବ।
*ଟାଇମ୍ ଡିପୋଜିଟ୍ରେ ବି ମିଳେ ସମାନ ଫାଇଦା: ପୋଷ୍ଟ ଅଫିସ୍ର ଟାଇମ୍ ଡିପୋଜିଟ୍(ଟିଡି) ଯୋଜନାରେ ନିବେଶ କରି ଆପଣ ମଧ୍ୟ ସମାନ ଲାଭ ପାଇପାରିବେ। ଟିଡି ମଧ୍ୟ ଫିକ୍ସ ଡିପୋଜିଟ୍ ପରି କାମ କରେ। ଏକ ନିର୍ଦ୍ଦିଷ୍ଟ ଅବଧି ପାଇଁ ଏକକାଳୀନ ଜମା କରାଯାଏ ଏବଂ ମାଚ୍ୟୁରିଟି ପରେ ନିଶ୍ଚିତ ରିଟର୍ଣ୍ଣ ମିଳିଥାଏ।
ବ୍ୟାଙ୍କ ତୁଳନାରେ ସୁଧ ହାର ଉତ୍ତମ:
ଏହିବର୍ଷ, ଭାରତୀୟ ରିଜର୍ଭ ବ୍ୟାଙ୍କ ଫେବୃଆରି ଓ ଏପ୍ରିଲ୍ରେ ଦୁଇଥର ରେପୋ ରେଟ୍ ୦.୨୫% କମ୍ କରିବା ସହ ଏହାକୁ ୬.୫୦% ରୁ ୬.୦୦%କୁ ହ୍ରାସ କରିଛି। ଫଳସ୍ୱରୂପ, ଅଧିକାଂଶ ବ୍ୟାଙ୍କ ଏଫ୍ଡି ସୁଧହାର ହ୍ରାସ କରିଦେଇଥିବା ବେଳେ ପୋଷ୍ଟ ଅଫିସ୍ ସ୍ଥିର ତଥା ଆକର୍ଷଣୀୟ ସୁଧହାର ବଜାୟ ରଖିଛି। ସରକାର ପ୍ରତି ତିନି ମାସରେ ବ୍ୟାଙ୍କ ଓ ପୋଷ୍ଟ ଅଫିସ୍ରେ କ୍ଷୁଦ୍ର ସଞ୍ଚୟ ଯୋଜନା ଉପରେ ସୁଧ ହାର ସଂଶୋଧନ କରନ୍ତି।
*ପୋଷ୍ଟ ଅଫିସ୍ ଟିଡି ଉପରେ ବର୍ତ୍ତମାନର ସୁଧ ହାର (୨୦୨୫)
ଅବଧି ସୁଧ ହାର
୧ ବର୍ଷ ୬.୯୦%
୨ ବର୍ଷ ୭.୦୦%
୩ ବର୍ଷ ୭.୧୦%
୫ ବର୍ଷ ୭.୫୦%
ଏହି ହାରଗୁଡ଼ିକ ପ୍ରତି ନିବେଶକଙ୍କ ପାଇଁ ସମାନ। ଉଦାହରଣସୂତ୍ରରେ, ଯଦି ଆପଣ ୭.୦% ସୁଧ ହାରରେ ୨ ବର୍ଷର ଟିଡିରେ ୨ଲକ୍ଷ ଟଙ୍କା ନିବେଶ କରନ୍ତି, ତେବେ ମାଚ୍ୟୁରିଟି ପରେ ଆପଣ ୨,୨୯,୭୭୬ଟଙ୍କା ପାଇବେ। ଅର୍ଥାତ୍ ଆପଣଙ୍କୁ ୨୯,୭୭୬ ଟଙ୍କାର ନିଶ୍ଚିତ ସୁଧ ମିଳିବ।
ସୁରକ୍ଷିତ ନିବେଶ ବିକଳ୍ପ
ପୋଷ୍ଟ ଅଫିସ୍ ସିଧାସଳଖ କେନ୍ଦ୍ର ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥିବାରୁ ଏଠାରେ ନିବେଶ କରିବା ସମ୍ପୂର୍ଣ୍ଣ ସୁରକ୍ଷିତ। ଆପଣଙ୍କ ପ୍ରତ୍ୟେକ ଜମା ଉପରେ ସରକାରଙ୍କର ଗ୍ୟାରେଣ୍ଟି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/11/15/2025-11-15t113812157z-whatsapp-image-2025-11-13-at-33111-pm-2025-11-15-17-08-12.jpeg)
/sambad/media/media_files/2025/12/10/untitled-2025-12-10-18-45-50.jpg)