ଆମେରିକା ରାଷ୍ଟ୍ରପତି ନିର୍ବାଚନ, ଫଳାଫଳ ଉପରେ ନିବେଶକଙ୍କ ନଜର

ବାଇଡେନ୍‌ଙ୍କ ବିଜୟ ନେଇ ଆଶାବାଦୀ

ଆମେରିକା ରାଷ୍ଟ୍ରପତି ନିର୍ବାଚନ : ବିଜୟ ମୁହାଁ ବାଇଡେନ୍‌

Associated Press

ମୁମ୍ବାଇ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ସାରା ବିଶ୍ବର ସେୟାର ବଜାର ଚାହିରହିଛନ୍ତି। ଜୋ ବାଇଡେନ୍‌ଙ୍କ ବିଜୟକୁ ନେଇ ନିବେଶକମାନେ ଆଶାବାଦୀ ଅଛନ୍ତି। ଏହି ରିପୋର୍ଟ ଲେଖା ହେବା ବେଳକୁ ଡେମୋକ୍ରାଟ୍ ପ୍ରାର୍ଥୀ ଜୋ ବାଇଡେନ୍‌ ୨୨୪ ସିଟ୍ ସହିତ ଆଗୁଆ ଥିବା ‌ବେଳେ ୨୧୩ ସିଟ୍ ସହ ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍ ପଛରେ ଅଛନ୍ତି। ‌ଯିଏ ୨୭୦ ସିଟ୍ ଜିତିବ ସେ ହେବେ ଆମେରିକାର ପରବର୍ତୀ ରାଷ୍ଟ୍ରପତି। ନୂଆ ରାଷ୍ଟ୍ରପତି ଶପଥ ଗ୍ରହଣ କରିବା ପରେ ଆମେରିକା ଏକ ବଡ଼ ଧରଣର ପ୍ୟାକେଜ୍ ଘୋଷଣା କରିବ। ଏଡେଲ୍‌ୱିସ୍ ସିକ୍ୟୁରିଟିଜ୍‌ର ଶିବ ସେହଗଲ କହିଛନ୍ତି ଯେ ନଭେମ୍ବର ଶେଷ ସୁଦ୍ଧା କିମ୍ବା ଡିସେମ୍ବରରେ ଏହି ପ୍ୟାକେଜ୍ ଘୋଷଣା ହେବାର ସମ୍ଭାବନା ରହିଛି ଯାହାର ପରିମାଣ ୧ ଲକ୍ଷ କୋଟି ଡଲାରରୁ ଅଧିକ ରହିବ। ଆମେରିକା ପ୍ୟାକେଜ୍ ଘୋଷଣା କଲେ ତାହାର ସିଧାସଳଖ ଲାଭ ଚୀନ୍ ଓ ଭାରତକୁ ମିଳିବ। କାରଣ କିଛି ମାସର ତଥ୍ୟକୁ ଅନୁଶୀଳନ କରିବା ପରେ ଜଣାପଡ଼ିଛି‌ ଯେ ବୈଦେଶିକ ସଂସ୍ଥାଗତ ନିବେଶକମାନେ ଏହି ଦୁଇ ଦେଶରେ ଅଧିକ ନିବେଶ କରିଛନ୍ତି। ଚଳିତ ବର୍ଷ ବୈଦେଶିକ ନିବେଶକମାନେ ଭାରତୀୟ ଇକ୍ବିଟି ବଜାରରେ ୪୭,୩୩୮ କୋଟି ଟଙ୍କା ନିବେଶ କରିଛନ୍ତି।

୨୦୧୯ ବର୍ଷ ସାରା ସେମାନେ ୧,୦୧,୧୨୨ କୋଟି ଟଙ୍କା ନିବେଶ କରିଥିଲେ। ଆରିଏଲ୍‌ ଇ‌ନଭେଷ୍ଟ୍‌ମେଣ୍ଟସ୍‌ର ରୁପାଲ୍ ଭଂଶାଲି କହିଛନ୍ତି ଯେ ରାଷ୍ଟ୍ରପତି ଯିଏ ହୁଅନ୍ତୁ ନା କାହିଁକି ସିନେଟ୍ ଯାହା ପାଖରେ ରହିବ ସେହି ଦଳ ପାଖରେ ଅଧିକ କ୍ଷମତା ରହିବ। ଯଦି ଡେମୋକ୍ରାଟ୍‌ ଦଳ ପାଖରେ ସିନେଟ୍ ରହିବ ତେବେ ବାଇଡେନ୍‌ ଅନେକ ଗୁରୁତ୍ବପୂର୍ଣ୍ଣ ବିଲ୍‌କୁ ପାସ୍‌ କରାଇବାରେ ସଫଳ ହେବେ। ଯଦି ସିନେଟ୍‌ ତାଙ୍କ ପାଖରେ ନରହିବ ତେବେ ବିଲ୍ ପାସ୍‌ କରାଇବା ତାଙ୍କ ପାଇଁ କଷ୍ଟକର ହୋଇପଡ଼ିବ। ୟେସ୍‌ ସିକ୍ୟୁରିଟିଜ୍‌ର ହିତେଶ ଜୈନ କହିଛନ୍ତି ଯେ ଡେମୋକ୍ରାଟ୍‌ ଦଳ ପାଖରେ ସିନେଟ୍ ରହିବାର ‌ଅନେକ ସମ୍ଭାବନା ରହିଛି। ଏହା‌ ହେଲେ ଆର୍ଥିକ ବ୍ୟୟ ବଢ଼ିବ। ଆର୍ଥିକ ପ୍ୟାକେଜ୍ ଆସିଲେ ଆମେରିକାରେ ଇକ୍ବିଟି ବଜାରରେ ବିକ୍ରି ବଢ଼ିବ ଏବଂ ଡଲାର ମୂଲ୍ୟ ହ୍ରାସ ପାଇବ। ସେହି ସମୟରେ କିନ୍ତୁ ସୁନା ମହଙ୍ଗା ହେବ ବୋଲି ସେ କହିଛନ୍ତି। ବାଇଡେନ୍ ଜିତିଲେ ଆମେରିକା-ଚୀନ୍ ସମ୍ପର୍କରେ କିଛିଟା ସୁଧାର ହୋଇପା‌ରେ। ଏହା ଭାରତ ସମେତ ସମଗ୍ର ଦକ୍ଷିଣ ଏସିଆ ଅର୍ଥନୀତି ପାଇଁ ଲାଭଦାୟକ ହେବ। ଇଣ୍ଡିଗ୍ରେଡ୍‌ କ୍ୟାପିଟାଲ୍‌ର ସୁଦୀପ ବନ୍ଦ୍ୟୋପାଧ୍ୟାୟ କହିଛନ୍ତି ଯେ ଆମେରିକାର ନିର୍ବାଚନ ଫଳାଫଳ ଦ୍ବାରା ଭାରତୀୟ ଷ୍ଟକ ବଜାର ଅଧିକ ପ୍ରଭାବିତ ହେବ ନାହିଁ। ‌ସେ‌ପ୍ଟେମ୍ବର ସୁଦ୍ଧା ଶେଷ ତ୍ରୟମାସରେ ଅନେକ ଭାରତୀୟ କଂପାନି ଆଶା ଠାରୁ ଅଧିକ ଭଲ ପ୍ରଦର୍ଶନ କରିଥିବାରୁ ‌ନିବେଶକମାନେ ଉତ୍ସାହିତ ଅଛନ୍ତି। ସେମାନେ ଆମେରିକା ନିର୍ବାଚନ ଭଳି ବାହ୍ୟ ପ୍ରଭାବ ତୁଳନାରେ ଦେଶ ଭିତରେ ଥିବା ସକାରାତ୍ମକ ପ୍ରଭାବ ପ୍ରତି ଅଧିକ ଧ୍ୟାନ ଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe