Odisha Bytes
କେନ୍ଦୁଝର: କରୋନା କଟକଣା ପାଇଁ ସମଗ୍ର ଦେଶରେ ଲକ୍ଡାଉନ ଘୋଷଣା ହେବା ପରେ ଲୁହାପଥର କାରବାରରେ ମାନ୍ଦାବସ୍ଥା ଦେଖାଦେଇଛି। ରାଜ୍ୟର ସର୍ବାଧିକ ଲୁହାପଥର ଉତ୍ପାଦନ କରୁଥିବା କେନ୍ଦୁଝର ଜିଲ୍ଲାରେ ଏହାର ପ୍ରଭାବ ସ୍ପଷ୍ଟ ଅନୁଭୂତ ହୋଇଛି। ଜିଲ୍ଲାରେ ଥିବା ଏକାଧିକ ଲୁହାପଥର ଖଣି ଲିଜ୍ଧାରୀ ଟନ୍ ପିଛା ମୂଲ୍ୟ ହ୍ରାସ କରିବାକୁ ବାଧ୍ୟ ହୋଇଛନ୍ତି। ଲକ୍ଡାଉନ କାରଣରୁ ଦେଶର ଆଭ୍ୟନ୍ତରୀଣ ବଜାର ସମେତ ଅନ୍ତର୍ଜାତୀୟ ବଜାରରେ ଲୁହାପଥରର ଚାହିଦା ହଠାତ କମିଯାଇଥିଲା। ରାଜ୍ୟ ଓ ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ଇସ୍ପାତ କମ୍ପାନି ମଧ୍ୟରୁ ଅଧିକାଂଶ ଉତ୍ପାଦନ ବନ୍ଦ କରି ଦେଇଛନ୍ତି। ଆଉ କିଛି କମ୍ପାନି ନାମକୁ ମାତ୍ର କାରଖାନା ଚଳାଉଛନ୍ତି।
ଏହି କାରଣରୁ ଲୁହାପଥର ଚାହିଦା ହଠାତ ହ୍ରାସ ପାଇଥିଲା। ଖଣି ଲିଜ୍ଧାରୀମାନେ ଲୁହାପଥର ଖନନ କରି ଗଦା କରିଥିଲେ ବି ତାହା ବିକ୍ରି ହୋଇ ପାରୁ ନାହିଁ। ମିଳିଥିବା ସୂଚନା ଅନୁସାରେ, ଗତ ମାର୍ଚ୍ଚ ମାସରେ ଓଡ଼ିଶାରୁ ସମୁଦାୟ ୬.୩୪ ନିୟୁତ ଟନ୍ ଲୁହାପଥର କାରବାର ହୋଇଥିଲା। ଏପ୍ରିଲ ମାସରେ ଏହା ୧.୩୧ ନିୟୁତ ଟନ୍କୁ ଖସି ଆସିଲା। ଅର୍ଥାତ ମାର୍ଚ୍ଚ ମାସ ତୁଳନାରେ ଏପ୍ରିଲରେ ୭୯ ପ୍ରତଶତ କମ୍ କାରବାର ହୋଇଛି। ଏପ୍ରିଲ ଓ ମେ ମାସର ମଧ୍ୟଭାଗ ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଲାଗି ରହିଥିବାରୁ ଖଣି ଲିଜ୍ଧାରୀମାନେ ଲୁହାପଥର ମୂଲ୍ୟ ହ୍ରାସ କରିଛନ୍ତି। ଦର କମିଥିବାରୁ ଏବେ ଲୁହାପଥର କାରବାର ବୃଦ୍ଧି ପାଇବା ଆଶା କରାଯାଉଛି। କେନ୍ଦୁଝର ଜିଲ୍ଲାର ସିରାଜୁଦ୍ଦିନ ଖଣି ପକ୍ଷରୁ ଗତ ୧୯ ତାରିଖରେ ଲୁହାପଥର ମୂଲ୍ୟ ହ୍ରାସ କରାଯାଇଛି। ପୂର୍ବରୁ ଲୁହାପଥର ଟନ୍ ପିଛା ୪ହଜାର ଟଙ୍କା ବିକ୍ରି ହେଉଥିଲା। ଗତ ୧୯ ତାରିଖରୁ ନୂଆ ମୂଲ୍ୟ ଟନ୍ ମିଛା ୩୫୦୦ ଟଙ୍କା ସ୍ଥିର ହୋଇଛି। ଟନ୍ ପିଛା ୫ଶହ ଟଙ୍କା ହ୍ରାସ ପାଇଛି। ସେହିପରି ଗତ ସପ୍ତାହରେ ଏସେଲ ମାଇନିଂ ପକ୍ଷରୁ ମଧ୍ୟ ୫-୧୮ ଏମ୍ଏମ୍ ଏବଂ ୧୦-୩୦ ଏମ୍ଏମ୍ ସାଇଜର ଲୁହାପଥର ମୂଲ୍ୟ ହ୍ରାସ କରାଯାଇଛି। ଗତ ୧୬ ତାରିଖରୁ କୋଇଡ଼ା ଖଣିରେ ୫-୧୮ ଏମ୍ଏମ୍ ଲୁହାପଥର ଟନ୍ ୩୪୦୦ ଟଙ୍କା ସ୍ଥିର ହୋଇଛି। ୧୦-୩୦ ଏମ୍ଏମ୍ ଲୁହାପଥର ଟନ୍ ପିଛା ୩୨୦୦ ଟଙ୍କା ହୋଇଛି। ମୂଲ୍ୟ ହ୍ରାସ ପରେ କେନ୍ଦୁଝରରୁ ଲୁହାପଥର କାରବାର ବଢ଼ିବା ଆଶା କରାଯାଉଛି।
Follow Us