ଇଡ୍‌କୋକୁ ଆଇଟି ବିଭାଗର ଚିଠି: ଇନ୍‌ଫୋଭାଲି ଜମି ଆଇଟି ସଂସ୍ଥାଙ୍କୁ ଦିଆଯାଉ

ଇନ୍‌ଫୋଭାଲିରେ ଥିବା ବଳକା ଜମିଗୁଡ଼ିକୁ ସ୍ବତନ୍ତ୍ର ଭାବେ ଆଇଟି କମ୍ପାନିଗୁଡ଼ିକ ଲାଗି ସଂରକ୍ଷିତ ରଖିବାକୁ ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ପକ୍ଷରୁ ଇଡ୍‌କୋକୁ କୁହାଯାଇଛି।

sfsfs

ଭୁବନେଶ୍ବର: ଇନ୍‌ଫୋଭାଲିରେ ଥିବା ବଳକା ଜମିଗୁଡ଼ିକୁ ସ୍ବତନ୍ତ୍ର ଭାବେ ଆଇଟି କମ୍ପାନିଗୁଡ଼ିକ ଲାଗି ସଂରକ୍ଷିତ ରଖିବାକୁ ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ପକ୍ଷରୁ ଇଡ୍‌କୋକୁ କୁହାଯାଇଛି। ଆଇଟି ବିଭାଗ ଜଣାଇଛି ଯେ ରାଜ୍ୟରେ ଏକ ଅତ୍ୟାଧୁନିକ ଆଇଟି ଭିତ୍ତିଭୂମି ବିକାଶ ଲକ୍ଷ୍ୟ ନେଇ ୨୦୦୦ ମସିହା ବେଳକୁ ଇନ୍‌ଫୋଭାଲିର ପରିକଳ୍ପନା କରାଯାଇଥିଲା। ଓଡ଼ିଶାକୁ ଏକ ପ୍ରମୁଖ ଆଇଟି ହବ୍ ଓ ଇଲେକ୍ଟ୍ରୋନିକ୍ସ ବିନିର୍ମାଣ ସ୍ଥଳ ଭାବେ ଉପସ୍ଥାପନ କରିବା ଥିବା ପ୍ରମୁଖ ଲକ୍ଷ୍ୟ। ତାହା ପ୍ରାରମ୍ଭିକ ପର୍ଯ୍ୟାୟରେ ବେଶ୍ ସଫଳ ମଧ୍ୟ ହୋଇଥିଲା। ଇନ୍‌ଫୋସିଟିରେ ଇନ୍‌ଫୋସିସ୍‌, ଟିସିଏସ୍, ୱିପ୍ରୋ ଓ ଏଲ୍‌ଆଣ୍ଡ୍‌ଟି ମାଇଣ୍ଡଟ୍ରି ଭଳି କମ୍ପାନି ସେମାନଙ୍କ କେନ୍ଦ୍ର ସ୍ଥାପନ କରିଥିଲେ। 

ବିଗତ ଦୁଇ ବର୍ଷ ମଧ୍ୟରେ ଇନ୍‌ଫୋସିଟିରେ ଥିବା ପ୍ରାୟ ସ୍ଥାନ ବ୍ୟବହୃତ ହୋଇଯାଇଥିବାରୁ ଆଇଟି, ଡାଟା ସେଣ୍ଟର, ସେମିକଣ୍ଡକ୍ଟର ଶିଳ୍ପ ଲାଗି ଇନ୍‌ଫୋଭାଲି ହିଁ ଏକମାତ୍ର ଉପଯୁକ୍ତ କେନ୍ଦ୍ର ହୋଇରହିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ସିକ୍‌ସେମ୍ ପ୍ରାଇଭେଟ୍ ଲିମିଟେଡ୍, ଆର୍‌ଆଇଆର୍‌ ପାୱାର ଲିମିଟେଡ୍, ହେଟେରୋଜିନିଅସ୍ ଇଣ୍ଟିଗ୍ରେଟେଡ୍‌ ପ୍ୟାକେଜିଂ ସଲ୍ୟୁସନ୍ସ ପ୍ରାଇଭେଟ୍ ଲିମିଟେଡ୍ ଭଳି କମ୍ପାନିର ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରାଯାଇଛି। ସେହି ସଂସ୍ଥାଗୁଡ଼ିକ ଜମି ଆବଣ୍ଟନ ଅପେକ୍ଷାରେ ରହିଛନ୍ତି। ଏଭଳି ସ୍ଥିତି ସତ୍ତ୍ବେ ଇନ୍‌ଫୋଭାଲିର ଜମିକୁ ସ୍ବାସ୍ଥ୍ୟସେବା, ଶିକ୍ଷା ଓ ଆତିଥେୟତା କ୍ଷେତ୍ରର ସଂସ୍ଥାଗୁଡ଼ିକୁ ଆବଣ୍ଟନ କରାଯାଉଥିବାରୁ ଆଇଟି ବିଭାଗ ଉଦ୍‌ବେଗ ପ୍ରକାଶ କରିଛି। 

ତେଣୁ ଇନ୍‌ଫୋଭାଲିରେ ରହିଥିବା ଅବଶିଷ୍ଟ ଜମିକୁ କେବଳ ଆଇଟି, ତତ୍‌ ସଂକ୍ରାନ୍ତୀୟ କମ୍ପାନି, ଇଏସ୍‌ଡିଏମ୍, ସେମିକଣ୍ଡକ୍ଟର ଶିଳ୍ପ କିମ୍ବା ସେହି ଧରଣର କମ୍ପାନିଙ୍କ ଲାଗି ସଂରକ୍ଷିତ ରଖିବାକୁ ଆଇଟି ବିଭାଗ ପକ୍ଷରୁ ଇଡ୍‌କୋକୁ ଅନୁରୋଧ କରାଯାଇଛି। ଭବିଷ୍ୟତରେ ହେବାକୁ ଥିବା ବିକାଶ ଲାଗି ଆଗୁଆ ପ୍ରସ୍ତୁତି ସ୍ବରୂପ ଇନ୍‌ଫୋଭାଲି ଆଖପାଖରେ ଉପଲବ୍ଧ ଥିବା ଜମିକୁ ଅଧିଗ୍ରହଣ କରିବାର ସମ୍ଭାବନାକୁ ଅନୁସନ୍ଧାନ କରିବା ଲାଗି ସୁପାରିସ କରାଯାଇଛି। ଯେଉଁ ଅଣ ଆଇଟି କ୍ଷେତ୍ରର କମ୍ପାନି ଜମି ନେଇ ବ୍ୟବହାର କରୁନାହାନ୍ତି, ସେମାନଙ୍କ ଆବଣ୍ଟନ ବାତିଲ କରିବାକୁ କୁହାଯାଇଛି। ଆଇସିଏଫ୍‌ଏଆଇ ବିଶ୍ବବିଦ୍ୟାଳୟ, ନୋରସି ମୋଞ୍ଜି ବିଶ୍ବବିଦ୍ୟାଳୟକୁ ବ୍ୟାପକ ଜମି ଆବଣ୍ଟନ କରାଯାଇଥିବା ବେଳେ ସେମାନେ ଏପର୍ଯ୍ୟନ୍ତ କାମ ଆରମ୍ଭ କରୁନାହାନ୍ତି। ସେମାନଙ୍କ ପ୍ରକଳ୍ପକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଉପରେ ବିଚାର କରିବାକୁ ଇଡ୍‌କୋକୁ ଆଇଟି ବିଭାଗ ସୁପାରିସ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe