ୱାସିଂଟନ: ଭାରତର ଟିକସକୁ ନେଇ ଅସନ୍ତୁଷ୍ଟ ଥିବା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପୁଣି ଥରେ ଉଚ୍ଚ ଟିକସ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି। ଜି୨୦ ବୈଠକରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପୂର୍ବରୁ ଟ୍ରମ୍ପ୍ ଏହା କହି ନିଜ କଥାର ଗୁରୁତ୍ବ ଜଣାଇ ଦେଇଛନ୍ତି। ଆଜି ଟୁଇଟ୍ କରି ଟ୍ରମ୍ପ୍ ଲେଖିଛନ୍ତି ଯେ, ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହେବାକୁ ଚାହିରହିଛି। ଆମେରିକା ସାମଗ୍ରୀ ଉପରେ ଭାରତ ବର୍ଷ ବର୍ଷ ଧରି ଅଧିକ ଟିକସ ଲଗାଉଛି। ନିକଟରେ ମଧ୍ୟ ଏହା ଟିକସ ପରିମାଣ ବଢ଼ାଇଛି। ଏହା ଗ୍ରହଣୀୟ ନୁହେଁ। ତାହା ପ୍ରତ୍ୟାହାର ହେବା ଦରକାର। ଜାପାନର ଓସାକା ଠାରେ ଚାଲିଥିବା ଜି୨୦ ବୈଠକରେ ଆସନ୍ତା ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦୀ ଓ ଟ୍ରମ୍ପ୍ ମଧ୍ୟରେ ସାକ୍ଷାତ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ମୋଦୀ ବିପୁଳ ବିଜୟ ସହ ଦ୍ବିତୀୟ ଥର ଭାରତର ପ୍ରଧାନମନ୍ତ୍ରୀ ହେବା ପରେ ଟ୍ରମ୍ପ୍ ଓ ମୋଦୀଙ୍କ ମଧ୍ୟରେ ପ୍ରଥମ ଥର ସାକ୍ଷାତ ହେବ। ବିଶ୍ବର ଅନେକ ଦେଶ ସହ ବାଣିଜ୍ୟ ଓ ଅର୍ଥନୀତିକୁ ନେଇ ଟ୍ରମ୍ପ୍ ନିଜର ଅଭିଯାନ ଜାରି ରଖିଛନ୍ତି। ଚୀନ୍ ସହିତ ବାଣିଜ୍ୟ ଲଢ଼େଇ ଜୋରସୋରରେ ଚାଲିଥିବା ବେଳେ ଭାରତ ସହ କାରବାରକୁ ନେଇ ଟ୍ରମ୍ପ୍ କିଛି ମାସ ହେଲାଣି ଭିନ୍ନ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କିଛି ଦିନ ତଳେ ଟ୍ରମ୍ପ୍ ଭାରତ ଠାରୁ ଜେନେରାଲାଇଜଡ୍ ସିଷ୍ଟମ୍ ଅଫ୍ ପ୍ରିଫରେନ୍ସ (ଜିଏସ୍ପି) ପ୍ରତ୍ୟାହାର କରିନେଇଥିଲେ। ଏହାର ଜବାବରେ ଭାରତ ପକ୍ଷରୁ ଆମେରିକା ରପ୍ତାନି କରୁଥିବା ୨୮ ପ୍ରକାର ସାମଗ୍ରୀ ଉପରେ ଟିକସ ପରିମାଣ ବଢ଼ାଇ ଦିଆଯାଇଥିଲା। ହାର୍ଲି ଡେଭିଡ୍ସନ୍ ବାଇକ୍ ଉପରେ ଭାରତ ଲଗାଇଥିବା ୧୦୦% ଟିକସକୁ ପ୍ରଥମେ ଟ୍ରମ୍ପ୍ ବିରୋଧ କରିଥିଲେ ଏହା ପରଠାରୁ ନିୟମିତ ଭାବେ ସେ ଭାରତର ଉଚ୍ଚ ଟିକସ ବିଷୟରେ ବିଭିନ୍ନ ମଞ୍ଚରେ ଆେଲାଚନା କରୁଛନ୍ତି। ଟ୍ରମ୍ପ୍ ଜାପାନ ଓ ଜର୍ମାନି ଉପରେ ମଧ୍ୟ କ୍ଷୁବ୍ଧ ଥିବା ଜଣାପଡ଼ିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us