ରାଜ୍ୟରେ ଜେଏସ୍‌ଡବ୍ଲୁ ସିମେଣ୍ଟ୍‌ ୧୫୦୦ କୋଟି ନିବେଶ କରିବ, ସୁନ୍ଦରଗଡ଼ରେ ସ୍ଥାପନ କରିବ କ୍ଲିଙ୍କର୍‌ ୟୁନିଟ୍

Advertisment

୫୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ, ୨୦୨୨ ଡିସେମ୍ବରରେ କଂପାନି ଷ୍ଟକ ବଜାର ଯିବ

୫୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ, ୨୦୨୨ ଡିସେମ୍ବରରେ କଂପାନି ଷ୍ଟକ ବଜାର ଯିବ

ରାଜ୍ୟରେ ଜେଏସ୍‌ଡବ୍ଲୁ ସିମେଣ୍ଟ୍‌ ୧୫୦୦ କୋଟି ନିବେଶ କରିବ, ସୁନ୍ଦରଗଡ଼ରେ ସ୍ଥାପନ କରିବ କ୍ଲିଙ୍କର୍‌ ୟୁନିଟ୍

ଭୁବନେଶ୍ବର: ଜେଏସ୍‌ଡବ୍ଲୁ ଗ୍ରୁପ୍‌ର ସିମେଣ୍ଟ୍‌ ସଂସ୍ଥା ଜେଏସ୍‌ଡବ୍ଲୁ ସିମେଣ୍ଟ୍‌ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାରେ ୧୫୦୦ କୋଟିରୁ ଅଧିକ ଟଙ୍କା ନିବେଶ କରାଯିବ। କଂପାନି ପକ୍ଷରୁ ଅତୀତରେ ଶିବା ସିମେଣ୍ଟ୍‌ ନାମକ ଏକ ସ୍ଥାନୀୟ ସଂସ୍ଥାକୁ ଅଧିଗ୍ରହଣ କରାଯାଇଥିଲା। ଶିବା ସିମେଣ୍ଟ୍‌ ପାଇଁ ସୁନ୍ଦରଗଡ଼ରେ ଏକ ୧.୩୬ ନିୟୁତ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ କ୍ଲିଙ୍କର ୟୁନିଟ୍, ୧ ନିୟୁତ ଟନ୍‌ କ୍ଷମତାର ଗ୍ରାଇଣ୍ଡିଂ ୟୁନିଟ୍‌, ୮ ମେଗାୱାଟ୍‌ର ୱେଷ୍ଟ୍‌ ହିଟ୍‌ ରିକଭରି ପାୱାର ପ୍ଲାଣ୍ଟ୍‌, କଂପାନିର ଡୋଲୋମାଇଟ୍‌ ଓ ଚୁନପଥର କାରଖାନାରେ ୪ ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ କ୍ରସିଂ ୟୁନିଟ୍, ୧୦ କିଲୋମିଟର ଲମ୍ବା ଓଭରଲୋଡ୍ ବେଲ୍‌ଟ କନ୍‌ଭେୟର ଓ ସାଗ୍ରା ଷ୍ଟେସନ ପର୍ଯ୍ୟନ୍ତ ୧୨ କିମି ଲମ୍ବା ରେଳପଥ ସ୍ଥାପନ କରାଯିବ। ଏ ସମ୍ପର୍କରେ ଆଜି ଏକ ଭର୍ଚୁଆଲ୍ ସାମ୍ବାଦିକ ସମ୍ମିଳନୀରେ ଜିନ୍ଦଲ ସିମେଣ୍ଟ୍‌ର ପରିଚାଳନା ନିର୍ଦେଶକ ପାର୍ଥ ଜିନ୍ଦଲ ସୂଚନା ଦେଇଛନ୍ତି। ଏହି ପ୍ରକଳ୍ପ ଲାଗି କଂପାନି ଉଭୟ ନିଜସ୍ବ ସୂତ୍ରରୁ ଏବଂ ଋଣ ଆକାରରେ ପାଣ୍ଠି ଯୋଗାଡ଼ କରିବ। ୧୧୫୦ କୋଟି ଟଙ୍କା ଋଣ ଜରିଆରେ, ୧୫୦ କୋଟି ଟଙ୍କା ସେୟାର ଜାରି କରି ଏବଂ ବଳକା ଅର୍ଥକୁ ରାଇଟସ୍‌ ଇସ୍ୟୁ କରି କଂପାନି ହାସଲ କରିବ ବୋଲି ସେ କହିଛନ୍ତି।

ସେ କହିଛନ୍ତି, ସୁନ୍ଦରଗଡ଼ରେ ସ୍ଥାପନ ହେବାକୁ ଥିବା ପ୍ରକଳ୍ପ ପାଇଁ କେତେକ ନିୟାମକ ଓ ବୈଧାନିକ ମଞ୍ଜୁରି ମିଳିସାରିଥିବା ବେଳେ ଅନ୍ୟ ଅନୁମୋଦନ ଖୁବ୍‌ଶୀଘ୍ର ମିଳିଯିବ। ଏହି କାରଖାନାରୁ ଉତ୍ପାଦିତ ହେବାକୁ ଥିବା ସିମେଣ୍ଟ୍‌ ଜରିଆରେ କଂପାନି ପଶ୍ଚିମ ଓଡ଼ିଶା ଓ ଝାଡ଼ଖଣ୍ଡ ବଜାର ସମେତ ସାରା ପୂର୍ବ ଭାରତର ଆବଶ୍ୟକତା ପୂରଣ କରିବ। ଏହି ପ୍ରକଳ୍ପରେ ପ୍ରାୟ ୫୦୦ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସେ କହିଛନ୍ତି। ଶିବା ସିମେଣ୍ଟ୍‌ର କ୍ଲିଙ୍କର୍‌ ପ୍ରକଳ୍ପ ନିର୍ମାଣ କରିବାର କାର୍ଯ୍ୟ ବରାଦ ଥାଇସେନ୍‌କ୍ରୁପ୍ ଇଣ୍ଡଷ୍ଟ୍ରିଜ୍ ଇଣ୍ଡିଆ ଓ ଏଲ୍‌ଆଣ୍ଡ୍‌ଟିକୁ ଦିଆଯାଇଛି। ଥାଇସେନ୍‌କ୍ରୁପ୍ କ୍ଲିଙ୍କରାଇଜେସନ୍‌ ୟୁନିଟ୍ ସ୍ଥାପନ କରିବ। ଅନ୍ୟାନ୍ୟ ସିଭିଲ୍‌, ମେକାନିକାଲ୍ ଓ ରିଫ୍ରାକ୍ଟରି କାର୍ଯ୍ୟକୁ ଏଲ୍‌ଆଣ୍ଡ୍‌ଟି ସମ୍ପାଦିତ କରିବ। ୨୦୨୩ ସୁଦ୍ଧା ଜିନ୍ଦଲ ସିମେଣ୍ଟ୍‌ ଏହାର ଉତ୍ପାଦନ କ୍ଷମତାକୁ ବାର୍ଷିକ ୨୫ ନିୟୁତ ଟନ୍‌ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି ଯାହା ଏବେ ପ୍ରାୟ ୧୪ ନିୟୁତ ଟନ୍‌ ପାଖାପାଖି ରହିଛି। ଏଥିପାଇଁ କଂପାନି ୩୬୦୦ କୋଟି ଟଙ୍କା ନିବେଶ କରିବ। ପ୍ରାଇଭେଟ୍ ଇକ୍ବିଟି ଫଣ୍ଡ୍‌ ସଂସ୍ଥାଗୁଡ଼ିକ ଠାରୁ କଂପାନି ପାଣ୍ଠି ହାସଲ କରିବାକୁ ଯୋଜନା ରଖିଛି। ୨୦୨୨ ଡିସେମ୍ବର ସୁଦ୍ଧା କଂପାନି ଷ୍ଟକ ବଜାରରେ ପ୍ରବେଶ କରି ଇନିସିଆଲ୍‌ ପବ୍ଲିକ୍ ଅଫର (ଆଇପିଓ) ଜରିଆରେ ନିଜର ୧୦ ପ୍ରତିଶତ ଅଂଶଧନ ବିଘଟିତ କରି ୨୫୦୦ କୋଟି ଟଙ୍କା ହାସଲ କରିବାକୁ ଯୋଜନା ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe