ନୂଆଦିଲ୍ଲୀ: ଆମ ଚଉହଦିରୁ ଏଭଳି କାହାଣୀ ଶୁଣିବାକୁ ମିଳିଥାଏ, ଯାହା ଆମକୁ ପ୍ରେରିତ କରିଥାଏ । ସଂଘର୍ଷ ଓ ସଫଳତାର ଅନେକ ନିଆରା କାହାଣୀ ଆମେ ଦେଖିଛେ। ଆଉ ଯେଉଁମାନେ ସଫଳତା ପାଇଛନ୍ତି ସେମାନେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଲାଗି ଦିନରାତି ଏକ କରିଦେଇ ଥାଆନ୍ତି। ଉତ୍ତରାଖଣ୍ଡର କାକୁଲି ବିଶ୍ୱାସ ଏପରି ଜଣେ ମହିଳା। ଯିଏ ନିଜ ପରିବାରିକ ସମସ୍ୟା ହେତୁ ବିଦେଶରେ କରିଥିବା ଚାକିରି ଛାଡ଼ି ଏବେ ଆତ୍ମନିର୍ଭଶୀଳ ହେବାକୁ ଉଦ୍ୟମ ଜାରି ରଖିଛନ୍ତି। ଗତ ଦୁଇ ବର୍ଷ ହେଲା ସେ ଦିଲ୍ଲୀର ପଞ୍ଚଶୀଳମାର୍ଗ ପାର୍କ ମେଟ୍ରୋ ଷ୍ଟେସନ ନିକଟରେ ଏକ ଫୁଡ୍ ଷ୍ଟଲ୍ ଖୋଲି ଜୀବିକା ନିର୍ବାହ କରୁଛନ୍ତି । ଏଥିରୁ ହେଉଥିବା ଆୟରୁ ସେ ତାଙ୍କର ୩ ପିଲାଙ୍କୁ ଆତ୍ମନିର୍ଭରଶୀଳ କରିପାରିବେ ବୋଲି ବିଶ୍ବାସ ରଖିଛନ୍ତି।
ବାସ୍ତବରେ, କାକୁଲିଙ୍କ ଜୀବନର ଅସଲ ପରୀକ୍ଷା ବିବାହ ପରେ ହିଁ ଆରମ୍ଭ ହୋଇଯାଇଥିଲା । କାକୁଲିଙ୍କ ସ୍ୱାମୀଙ୍କର କୌଣସି ସ୍ଥାୟୀ ଚାକିରି ନଥିବାରୁ ପରବର୍ତ୍ତୀ ସମୟରେ ଭିନ୍ନକ୍ଷମ ପୁଅ ଏବଂ ଦୁଇ ଝିଅଙ୍କର ଯତ୍ନ ନେବା ଦାୟିତ୍ୱ ତାଙ୍କ ଉପରେ ପଡ଼ିଲା । କାକୁଲିଙ୍କ ପାଇଁ ପିଲାଙ୍କ ଯତ୍ନ ନେବା ଏବଂ ବାହାରକୁ ଯାଇ କାମ କରିବା ଅତ୍ୟନ୍ତ କଷ୍ଟକର ହୋଇପଡିଥିଲା। କିନ୍ତୁ କାମ କରିବା ବ୍ୟତୀତ ତାଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନଥିଲା । କାକୁଲି ଭଲ ରୋଷେଇ କରିପାରୁଥିଲେ, ନିଜର ସେହି ବିଶେଷ ଗୁଣକୁ ବ୍ୟବହାର କରି ବିଭିନ୍ନ ଲୋକଙ୍କ ଘରକୁ ଯାଇ ଖାଦ୍ୟ ପ୍ରସ୍ତୁତି ଆରମ୍ଭ କରିଥିଲେ । ଏପରି କରିବା ଭିତରେ ତାଙ୍କୁ ଜାପାନ ଯାଇ ସେଠାରେ ଖାଦ୍ୟ ପ୍ରସ୍ତୁତି ସଂପର୍କିତ ଏକ ଚାକିରି ମିଳିଗଲା । କାକୁଲି ଅର୍ଥ ରୋଜଗାର ଲାଗି ଜାପାନ ଗଲେ। କିନ୍ତୁ ପିଲାମାନଙ୍କୁ ଛାଡି ରହି ନପାରିବାରୁ ବିଦେଶରେ ଏକ ବର୍ଷ କାମ କରି ଫେରିଆସିଥିଲେ।
କାକୁଲି ଭାରତକୁ ଫେରିବା ପରେ ଦେଖିଲେ କରୋନା କାରଣରୁ ତାଙ୍କର ସ୍ୱାମୀଙ୍କ ଚାକିରି ଚାଲି ଯାଇଛି । ଏଭଳି ପରିସ୍ଥିତିରେ ସେ ଖାଦ୍ୟ ପ୍ରସ୍ତୁତି ସହ ଜଡିତ କିଛି ବ୍ୟବସାୟ କରିବାକୁ ନିଷ୍ପତ୍ତି ନେଇଥିଲେ । ତାଙ୍କ ଭଉଣୀ ଏବଂ ଭାଉଜ କାକୁଲିଙ୍କ ସହ ମିଶି ଏକ ଫୁଡ୍ ଷ୍ଟଲ୍ ଆରମ୍ଭ କରିଥିଲେ। ପରେ ସେ ଦୁହେଁ ଅଲଗା ହୋଇଯାଇଥିଲେ। ଫଳରେ ଏକାକୀ ବ୍ୟବସାୟକୁ ଆଗକୁ ବଢ଼ାଇଥିଲେ କାକୁଲି । ଆଜି ଏହି ବ୍ୟବସାୟରୁ ତିନି ପିଲାଙ୍କ ଭରଣ ପୋଷଣ କରୁଛନ୍ତି ଏବଂ ତାଙ୍କ ସ୍ୱାମୀ ମଧ୍ୟ ଏଥିରେ ତାଙ୍କୁ ସାହାଯ୍ୟ କରୁଛନ୍ତି।
Follow Us