ସମ୍ବଲପୁରରେ ହୋଟେଲ୍‌ ନିର୍ମା‌ଣ କରିବ କାମାତ ଗ୍ରୁପ୍

Advertisment

ସାତକୋଶିଆ, ଚିଲିକା ଉପରେ ବି ନଜର

ସାତକୋଶିଆ, ଚିଲିକା ଉପରେ ବି ନଜର

ସମ୍ବଲପୁରରେ ହୋଟେଲ୍‌ ନିର୍ମା‌ଣ କରିବ କାମାତ ଗ୍ରୁପ୍

ଭୁବନେଶ୍ବର: କାମାତ ଗ୍ରୁପ୍ ଅଫ୍‌ ହୋଟେଲସ୍‌ ପକ୍ଷରୁ ସମ୍ବଲପୁର ସହରରେ ଏକ ନୂତନ ହୋଟେଲ୍‌ ସ୍ଥାପନ କରାଯିବ। ପାଞ୍ଚ ଏକର ଜମିରେ ପ୍ରତିଷ୍ଠା ହେବାକୁ ଥିବା ଏହି ୪-୫ ତାରକା ହୋଟେଲ୍‌ ସହିତ ଏକ କନ୍‌ଭେନ୍‌ସନ୍ ସେଣ୍ଟର୍‌ ମଧ୍ୟ ରହିଛି। କନ୍‌ଭେନ୍‌ସନ୍ ସେଣ୍ଟର୍‌କୁ ୫୦୦୦ ବର୍ଗଫୁଟ ସ୍ଥାନରେ ସ୍ଥାପନ କରାଯିବ। ହୋଟେଲ୍‌ରେ ୧୦୦-୧୨୦ଟି କୋଠରି ରହିବ ବୋଲି କଂପାନିର ସିଇଓ ବିଶାଲ କାମାତ କହିଛନ୍ତି।

ଆଜି ଇପିକଲ୍ ପରିସରରେ ଏକ ସ୍ବତନ୍ତ୍ର ଆଲୋଚନା ବେଳେ ସେ କହିଛନ୍ତି, ଓଡ଼ିଶା ଆମ ପାଇଁ ଦ୍ବିତୀୟ ଘର ଭଳି। ଏଠାରେ ଆମର ଭୁବନେଶ୍ବର, ପୁରୀ ଓ କୋଣାର୍କରେ ଥିବା ତିନିଟି ହୋଟେଲ୍‌ ସମୁଦାୟ ୧୬୦ଟି କୋଠରି ରହିଛି। ଏଠାକାର ସହଜ ବ୍ୟବସାୟ ବାତାବରଣ ଆମକୁ ବହୁତ ଭଲ ଲାଗିଛି। ସେଥିପାଇଁ ଆମେ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଟେଲ୍‌ ନିର୍ମାଣ କରିବାକୁ ଚାହୁଛୁ। ଚଳିତ ବର୍ଷ ଜୁଲାଇରେ ଆମେ ସମ୍ବଲପୁରରେ ନୂଆ ହୋଟେଲ୍‌ ସ୍ଥାପନ କରିବା ଲାଗି ରାଜ୍ୟ ସରକାରଙ୍କ ଗୋ ସ୍ବିଫ୍ଟ ପୋର୍ଟାଲ୍‌ରେ ଆବେଦନ କରିଥିଲୁ। ସରକାରଙ୍କ ତରଫରୁ ତ୍ବରିତ ସମାଧାନ ପ୍ରଦାନ କରାଯାଉଛି ଏବଂ ଆମେ ନୂତନ ପ୍ରକଳ୍ପ ଲାଗି ଜମି ଦେଖିସାରିଲୁଣି। ଆଉ କିଛି ମାସ ଭିତରେ ପ୍ରକଳ୍ପର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହୋଇଯିବ। ଯେବେଠାରୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ତାହାର ଚାରି ବର୍ଷ ଭିତରେ ହୋଟେଲ୍‌ଟି ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବୋଲି ସେ କହିଛନ୍ତି। ସମ୍ବଲପୁରରେ ସ୍ଥାପନ ହେବାକୁ ଯାଉଥିବା ହୋଟେଲ୍‌ରେ ରେସ୍ତୋରାଁ, ବାର୍‌, ସୌନା ଓ ଜିମ୍ ଆଦି ସୁବିଧା ରହିବ। ପର୍ଯ୍ୟଟକ ଓ ଶିଳ୍ପ ସଂସ୍ଥାର ପ୍ରତିନିଧିମାନଙ୍କୁ ନଜରରେ ରଖି ହୋଟେଲ୍ ସ୍ଥାପନ କରୁଥିବା କାମାତ ଗ୍ରୁପ୍ ସାତକୋଶିଆ ଓ ଚିଲିକାରେ ମଧ୍ୟ ନୂଆ ହୋଟେଲ୍ ସ୍ଥାପନ କରିବାକୁ ଚାହୁଛି। ସାତକୋଶିଆରେ କଂପାନି ଇକୋ ଷ୍ଟାଇଲ୍‌ ରିସୋର୍ଟ ସ୍ଥାପନ କରିବାକୁ ଚାହୁଛି। ତେବେ ଏହି ଯୋଜନା କେବଳ ପରିକଳ୍ପନା ସ୍ତରରେ ରହିଛି। ବ୍ୟବସାୟିକ ସମ୍ଭାବନାକୁ ବିଚାରକୁ ନେବା ପରେ ହୋଟେଲ୍‌ ସ୍ଥାପନ କରିବା ବିଷୟରେ କଂପାନି ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି। ଏହି ଅବସରରେ ଇପିକଲ୍‌ର ଏମ୍‌ଡି ଡକ୍ଟର ନୀତିନ ଜୱାଲେ ଉପସ୍ଥିତ ଥିଲେ। ଚୀନ୍‌ର ଏକ ‌କାଗଜ ନିର୍ମାତା ଖୁବ୍‌ଶୀଘ୍ର ଓଡ଼ିଶାରେ ପୁଞ୍ଜିନିବେଶ କରିବାକୁ ଯାଉଛି ବୋଲି ସେ ସୂଚନା ଦେଇଛନ୍ତି। ଗୋ-ସ୍ବିଫ୍ଟ ଜରିଆରେ ୧୦୦୦ରୁ ଅଧିକ ପୁଞ୍ଜିନିବେଶ ପ୍ରସ୍ତାବ ରାଜ୍ୟକୁ ଆସିଥିବା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe