Brookings Institution
ନୂଆଦିଲ୍ଲୀ: ଚଳିତ ବର୍ଷ ତୃତୀୟ ତ୍ରୟମାସରେ ଚୀନ୍ ୪.୩ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି। କରୋନା ମହାମାରୀର ମୁକାବିଲା ଲାଗି ଲକ୍ଡାଉନ୍ ଘୋଷଣା କରିବା ଏବଂ ସବୁ ପ୍ରକାର ଉଦ୍ୟମ କରି ପୁଣି ସୁଧାର ପଥକୁ ଫେରିବାରେ ଚୀନ୍ ସଫଳ ହୋଇଛି। ତେବେ ଭାରତର ଅଭିବୃଦ୍ଧି ୧୦.୩ ପ୍ରତିଶତ ହ୍ରାସ ପାଇବ ବୋଲି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) କରିଥିବା ଆକଳନକୁ ନେଇ ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କୌସିକ ବସୁ ସରକାରଙ୍କୁ ଏକ ପରାମର୍ଶ ଦେଇଛନ୍ତି। ବିଭିନ୍ନ ଦେଶର ଅଭିବୃଦ୍ଧି ଆକଳନର ଏକ ଟେବୁଲ୍ ଜାରି କରି ସେ ଟ୍ବିଟର୍ରେ ଲେଖିଛନ୍ତି ଯେ ତଥ୍ୟକୁ ଅସ୍ବୀକାର କରନାହିଁ। ଭୁଲ ହୁଏ। ତାହାକୁ ସ୍ବୀକାର କର ଏବଂ ସେଥିରେ ସୁଧାର ଆଣିବା ଲାଗି ପଦକ୍ଷେପ ନିଅ। ଦେଶରେ ଉପଲବ୍ଧ ଥିବା ପ୍ରତିଭା ଓ ଅଭିଜ୍ଞତାକୁ ବ୍ୟବହାର କରିବା ଲାଗି ସେ ପରାମର୍ଶ ଦେଇଛନ୍ତି। ବସୁଙ୍କ ଟୁଇଟ୍ ଆଧାରରେ ସରକାରଙ୍କୁ ସମାଲୋଚନା କରିବାର ସୁଯୋଗ ହାତ ଛଡ଼ା କରିନାହାନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ସେ ଲେଖିଛନ୍ତି ଯେ କିଭଳି ଅର୍ଥନୀତିକୁ ସମ୍ପୂର୍ଣ୍ଣ ନଷ୍ଟ କରିବା ଏବଂ ଅତିଶୀଘ୍ର ସର୍ବାଧିକ ସଂଖ୍ୟକ ଲୋକଙ୍କୁ ସଂକ୍ରମିତ କରିବା। ବିଶେଷଜ୍ଞମାନେ ବାରମ୍ବାର ଦେଉଥିବା ସତର୍କ ସୂଚନାକୁ ସରକାର ଅଣଦେଖା କରିଥିବା ରାହୁଲ ଅଭିଯୋଗ କରିଛନ୍ତି।
Follow Us