ଅପହରଣ କାହାଣୀ: ଚୋକ୍‌ସିଙ୍କୁ ବାରବରା ଘରକୁ ଡାକିଥିଲେ, ସେଠାରେ ଲୁଚିଥିବା ୮-୧୦ ଜଣ ଲୋକ ପ୍ରବଳ ବାଡ଼େଇଥିଲେ

Advertisment
ଅପହରଣ କାହାଣୀ: ଚୋକ୍‌ସିଙ୍କୁ ବାରବରା ଘରକୁ ଡାକିଥିଲେ, ସେଠାରେ ଲୁଚିଥିବା ୮-୧୦ ଜଣ ଲୋକ ପ୍ରବଳ ବାଡ଼େଇଥିଲେ

ନୂଆଦିଲ୍ଲୀ: ପିଏନ୍‌ବି ଠକେଇର ଅନ୍ୟତମ ଅଭିଯୁକ୍ତ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସିଙ୍କୁ ଆଣ୍ଟିଗୁଆରୁ ଅପହରଣ କରି ଡୋମିନିକା ନିଆଯାଇଥିଲା। ଏକଥା ଖୋଦ ‌ଚୋକ୍‌ସି କହିଛନ୍ତି। ତାଙ୍କ ପକ୍ଷ ତରଫରୁ ଆଣ୍ଟିଗୁଆ ପୁଲିସରେ ମାମଲା ରୁଜୁ କରାଯାଇଛି। ଅପହରଣ କାହାଣୀ ବିଷୟରେ ବର୍ଣ୍ଣନା କରି ସେ କହିଛନ୍ତି ଯେ ବାରବରା ଜେବାରିକା ନାମକ ମହିଳାଙ୍କ ସହିତ ବର୍ଷକ ତଳେ ତାଙ୍କର ପରିଚୟ ‌ହୋଇଥିଲା। ଘରୁ ନେବା ଲାଗି ବାରବରା ଅନୁରୋଧ କରିବା ପରେ ଚୋକ୍‌ସି ତାଙ୍କ ଘରକୁ ଯାଇଥିଲେ। ସେଠାରେ ପୂର୍ବରୁ ୮-୧୦ ଜଣ ଲୋକ ଲୁଚି ରହିଥିଲେ। ଚୋକ୍‌ସି ପହଞ୍ଚିବା ମାତ୍ରେ ସେମାନେ ବିଭିନ୍ନ କୋଣରୁ ବାହାରି ତାଙ୍କୁ ଘେରି ଯାଇଥିଲେ। ନିଜକୁ ସେମାନେ ଆଣ୍ଟିଗୁଆ ପୁଲିସ ଅଧିକାରୀ ଭାବେ ପରିଚୟ ଦେଇଥି‌ଲେ ଓ ତା' ପରେ ଅତି ନିର୍ଦୟ ଭାବେ ପିଟିଥିଲେ।

ଏହି ସମୟରେ ବାରବରା ତାଙ୍କୁ ବଞ୍ଚାଇବାକୁ ପ୍ରୟାସ କରିନଥିଲେ। ତେଣୁ ଅପହରଣ ଯୋଜନାରେ ବାରବରାଙ୍କ ହାତ ଅଛି ବୋଲି ଚୋକ୍‌ସିଙ୍କ ପକ୍ଷ ଅଭିଯୋଗ କରିଛନ୍ତି। ଚୋକ୍‌ସିଙ୍କୁ ଡୋମିନିକା ନେବା ପରେ ସେଠାରେ ଅପହଣକାରୀମାନେ ତାଙ୍କୁ କହିଥିଲେ ଯେ ଭାରତର ଜଣେ ବଡ଼ ନେତା ତୁମକୁ ଭେଟିବାକୁ ଚାହୁଛନ୍ତି। ଚୋକ୍‌ସି ନିଜ ଆବେଦନରେ ଅପହରଣକର୍ତ୍ତାମାନଙ୍କ ନାମ ପ୍ରକାଶ କରିଛନ୍ତି। ବାରବରା, ନରେନ୍ଦ୍ର ସିଂହ, ଗୁରମିତ ସିଂହ ଓ ଆଉ କିଛି ଅଜଣା ଲୋକ ତାଙ୍କୁ ଅପହରଣ କରିଥିବା ‌ସେ ଅଭିଯୋଗ କରିଛନ୍ତି। ଅନ୍ୟ ଏକ ସୂ୍ତ୍ରରୁ ଜଣାପଡ଼ିଛି ଯେ ଚୋକ୍‌ସି ଡୋମିନିକାରେ ଧରାପଡ଼ିବା ପରେ ତିନି ଦିନ ପର୍ଯ୍ୟନ୍ତ ତାଙ୍କ ପ୍ରକୃତ ପରିଚୟ ଜଣାପଡ଼ିନଥିଲା। ଚତୁର୍ଥ ଦିନ‌ରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।‌ ସେ ଧରାପଡ଼ିବା ପରେ ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ ଗଷ୍ଟନ ବ୍ରାଉନ୍ ମନ୍ତବ୍ୟ ଦେଇଥିଲେ ଯେ ନିଜ ଗାର୍ଲଫ୍ରେଣ୍ଡ୍‌ଙ୍କୁ ନେଇ ରୋମାଣ୍ଟିକ୍ ଟ୍ରିପ୍‌ରେ ଯାଇ ଚୋକ୍‌ସି ଡୋମିନିକାରେ ଧରାପଡ଼ିଛନ୍ତି। ସେହି ମତକୁ ଚୋକ୍‌ସିଙ୍କ ପତ୍ନୀ ପ୍ରୀତି ଓ ତାଙ୍କ ଆଇନଜୀବୀମାନେ ଘୋର ବିରୋଧ କରିଥିଲେ।

ଡୋମିନିକା ପୁଲିସ ଦାବି କରିଛି ଯେ ମେ' ୨୪ ତାରିଖରେ (ଚୋକ୍‌ସିଙ୍କ ଅପହରଣର ଦିନକ ପରେ) ଏକ ଜେଟିରେ ଚୋକ୍‌ସି ସନ୍ଦେହଜନକ ଅବସ୍ଥାରେ ବସିଥିଲେ। କିନ୍ତୁ ଚାରି ଦିନ ପରେ ଅର୍ଥାତ ମେ' ୨୮ରେ ତାଙ୍କ ବିରୋଧରେ ବେଆଇନ ଭାବେ ଦେଶରେ ପ୍ରବେଶ କରିଥିବା ଅଭିଯୋଗରେ ମାମଲା ରୁଜୁ କରାଯାଇଥିଲା। ଚୋକ୍‌ସିଙ୍କୁ ‌ଡୋମିନିକାରୁ ଆଣିବା ଲାଗି ଭାରତୀୟ ତଦନ୍ତ ଏଜେନ୍ସିଗୁଡ଼ିକ ଏକ ଜେଟ୍‌ ଭଡ଼ାରେ ନେଇଥିଲେ। ମାତ୍ର ଡୋମିନିକା ହାଇକୋର୍ଟ ଏହି ମାମଲା ଶୁଣାଣିକୁ ଜୁଲାଇ ପର୍ଯ୍ୟନ୍ତ ସ୍ଥଗିତ ରଖିବାରୁ ସେହି ଜେଟ୍‌ ଭାରତ ଫେରିଆସିିଛି। ଚୋକ୍‌ସିଙ୍କ ଅପହରଣ ଦୁଇ କାରବୀୟ ଦେଶରେ ରାଜନୈତିକ ଉଷ୍ମତା ବଢ଼ାଇଛି। ଅପହରଣ ଅଭିଯୋଗ ଆସିବା ପରେ ଆଣ୍ଟିଗୁଆ ସରକାର ତାହାର ତଦନ୍ତ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe