ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଶ୍ରମ ସଂହିତା, ମନରେଗା ବଦଳରେ ନୂଆ ଆଇନ ଭିବି-ଜି ରାମ ଜି ଓ ଆଣବିକ କ୍ଷେତ୍ରର ‘ଶାନ୍ତି’ ବିଲ୍କୁ ବିରୋଧ କରି ୧୦ଟି ଶ୍ରମିକ ସଂଗଠନ ଆସନ୍ତା ଫେବ୍ରୁଆରି ୧୨ରେ ଦିନିକିଆ ଦେଶବ୍ୟାପୀ ଧର୍ମଘଟ କରିବେ। ଜଏଣ୍ଟ୍ ପ୍ଲାଟଫର୍ମ ଅଫ୍ ସେଣ୍ଟ୍ରାଲ୍ ଟ୍ରେଡ୍ ୟୁନିୟନ୍ ପକ୍ଷରୁ ଏହି ଧର୍ମଘଟ ଡାକରା ଦିଆଯାଇଛି। ଆସନ୍ତା ଜାନୁଆରି ୯ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଶ୍ରମିକ ସମ୍ମିଳନୀରେ ଏହି ପ୍ରସ୍ତାବ ଗୃହୀତ ହେବ ଓ ସଂସଦର ବଜେଟ୍ ଅଧିବେଶନ ସମୟରେ ଧର୍ମଘଟ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଆଇଏନଟିୟୁସି, ଏଆଇଟିୟୁସି ଓ ସିଟୁ ସମେତ ୧୦ଟି ଶ୍ରମିକ ସଂଗଠନ ଏଥିରେ ଭାଗ ନେବେ। ଭାରତୀୟ ମଜଦୁର ସଂଘ (ବିଏମଏସ) ଏଥିରେ ସାମିଲ ହେବନାହିଁ।
Paddy: ତ୍ରିକୋଣୀୟସ୍ଥିତିରେ ମଣ୍ଡି: ଜୋର ଧରିଛି ରାଜନୈତିକ ଉଷ୍ମତା
ସଂଯୁକ୍ତ କିଷାନ ମୋର୍ଚ୍ଚା ଏବଂ ବିଦ୍ୟୁତ କର୍ମଚାରୀ ଓ ଇଞ୍ଜିନିୟରମାନଙ୍କ ଜାତୀୟ ସମନ୍ବୟ କମିଟି ଧର୍ମଘଟ ପ୍ରତି ସମର୍ଥନ ଜଣାଇଛନ୍ତି। ଶ୍ରମ ସଂହିତା ସମ୍ପର୍କରେ ଫୋରମ୍ ପକ୍ଷରୁ କୁହାଯାଇଛି ଯେ ଏହି ସଂହିତା ଧର୍ମଘଟ କରିବାର କ୍ଷମତାକୁ ଛଡ଼ାଇ ନେଇଥିବା ବେଳେ ଶ୍ରମିକ ସଂଘ ପଞ୍ଜୀକରଣକୁ କଠୋର କରିଛି ଏବଂ ଶ୍ରମ କୋର୍ଟକୁ ବନ୍ଦ କରି ଶ୍ରମିକଙ୍କ ପାଇଁ ଟ୍ରିବ୍ୟୁନାଲ ସ୍ଥାପନ କରିବା ବ୍ୟବସ୍ଥା କରିଛି। ଶ୍ରମିକ ସଂଗଠନଗୁଡ଼ିକ ଗତ ନଭେମ୍ବରରେ ବିଜ୍ଞପିତ ହୋଇଥିବା ଚାରି ଶ୍ରମ ସଂହିତା ଓ ଆଣବିକ ଶକ୍ତି କ୍ଷେତ୍ରକୁ ଘରୋଇ ସଂସ୍ଥାଗୁଡ଼ିକ ଲାଗି ଖୋଲିବା ପାଇଁ ଅଣାଯାଇଥିବା ‘ଶାନ୍ତି’ ବିଲ୍କୁ ବିରୋଧ କରିଛନ୍ତି। ଆଣବିକ ଦୁର୍ଘଟଣା ଓ ବିପର୍ଯ୍ୟୟ ସମୟରେ ବିଦେଶୀ ସଂସ୍ଥା ଓ ଜାତୀୟ ଯୋଗାଣକାରୀଙ୍କ କୌଣସି ଉତ୍ତରଦାୟିତ୍ବ ରହିବ ନାହିଁ ବୋଲି ଆଇନରେ ଯେଉଁ ବ୍ୟବସ୍ଥା ରହିଛି ଯାହା ଦେଶର ଆଣବିକ ସୁରକ୍ଷା ଓ ସାର୍ବଭୌମତ୍ବ ପ୍ରତି ବିପଦ ବୋଲି ଶ୍ରମିକ ସଂଗଠନଗୁଡ଼ିକ କହିଛନ୍ତି।
ଭିବି-ଜି ରାମ ଜି ସମ୍ପର୍କରେ ଶ୍ରମିକ ସଂଗଠନଗୁଡ଼ିକ କହିଛନ୍ତି ଯେ ଯେତେବେଳେ ଦେଶରେ ବେକାରି ସମସ୍ୟା ଉତ୍କଟ ରହିଛି ସେଭଳି ସମୟରେ ଏକ ଅଧିକାର ଆଧାରିତ ଆଇନକୁ ବଦଳାଇ ଦିଆଯାଇଛି ଏବଂ ରାଜ୍ୟଗୁଡ଼ିକ ଉପରେ ଆର୍ଥିକ ବୋଝ ଲଦିଦିଆଯାଇଛି। ଜମିଦାରମାନଙ୍କ ପାଇଁ ଶ୍ରମିକ ଯୋଗାଇବା ଲାଗି ନୂଆ ନିୟମରେ ଅମଳ ସମୟରେ ଏହି ନିୟମ କାର୍ଯ୍ୟକାରିତାକୁ ଅଟକାଇ ଦିଆଯାଇଥିବା ସେମାନେ ଅଭିଯୋଗ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/23/protest-2025-11-23-02-59-47.jpg)