ଶିଳ୍ପ ପାଇଁ ଭଡ଼ାରେ ମାଗିଲେ ଜମି: ପ୍ଲଗ୍‌ ଏନ୍ ପ୍ଲେ ବ୍ୟବସ୍ଥା କରିବାକୁ ପ୍ରସ୍ତାବ

Advertisment

ବ୍ୟବହୃତ ମେସିନ୍ ଉପରେ ସବ୍‌ସିଡି ଦିଅ

ବ୍ୟବହୃତ ମେସିନ୍ ଉପରେ ସବ୍‌ସିଡି ଦିଅ

ଶିଳ୍ପ ପାଇଁ ଭଡ଼ାରେ ମାଗିଲେ ଜମି: ପ୍ଲଗ୍‌ ଏନ୍ ପ୍ଲେ ବ୍ୟବସ୍ଥା କରିବାକୁ ପ୍ରସ୍ତାବ

ଭୁବନେଶ୍ବର: ‌ଶିଳ୍ପ ସ୍ଥାପନ ଲାଗି ଭଡ଼ାରେ ଜମି ଯୋଗାଇ ଦେବାକୁ ତାମିଲନାଡ଼ୁ କୋଏମ୍ବାଟୁର୍‌ର ଉଦ୍ୟୋଗୀମାନେ ଓଡ଼ିଶା ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ଗୁରୁବାର ଇଡ୍‌କୋ ଟାୱାର୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁଙ୍କ ଉପସ୍ଥିତିରେ ୟଙ୍ଗ ଇଣ୍ଡିଆନ୍ସ କୋଏମ୍ବାଟୁର୍‌ ଚାପ୍ଟର ପକ୍ଷରୁ ସରକାରଙ୍କୁ କେତେକ ପ୍ରସ୍ତାବ ଦିଆଯାଇଛି। ପ୍ଲଗ୍‌ ଏନ୍ ପ୍ଲେ ବ୍ୟବସ୍ଥା ଆରମ୍ଭ କରିବା, ବ୍ୟବହୃତ ହୋଇଥିବା ମେସିନ୍ ଉପରେ ସବ୍‌ସିଡି ଦେବା ଏବଂ ଭଡ଼ାରେ ଜମି ଯୋଗାଇ ଦେବା ଲାଗି ଚାପ୍ଟର ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ପ୍ଲଗ୍‌ ଏନ୍ ପ୍ଲେ ହେଉଛି ଏଭଳି ଏକ ବ୍ୟବସ୍ଥା ଯେଉଁଥିରେ ରାଜ୍ୟ ସରକାର ଶିଳ୍ପ ସଂସ୍ଥାଗୁଡ଼ିକ ଲାଗି ସବୁ ପ୍ରକାର ସୁବିଧାସୁଯୋଗ ପ୍ରସ୍ତୁତ କରି ରଖିବେ। ବାହାର କମ୍ପାନି ଆସି ସେହି ବ୍ୟବସ୍ଥା ବ୍ୟବହାର କରି କାରବାର କରିବେ।

ଏହି ଅବସରରେ ୟଙ୍ଗ ଇଣ୍ଡିଆନ୍ସ (ୱାଇଆଇ) କୋଏମ୍ବାଟୁର ଓ ଭୁବନେଶ୍ବର ଚାପ୍ଟରର ପ୍ରତିନିଧିମାନଙ୍କୁ ସମ୍ବୋଧିତ କରି ଶିଳ୍ପ ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଛନ୍ତି ଯେ କୋଏମ୍ବାଟୁର ସହ ଓଡ଼ିଶାର ସମ୍ପର୍କ ବହୁ ପୁରୁଣା। ସେଠାକାର ବୟନ ଓ ପୋଷାକ ଶିଳ୍ପରେ କାର୍ଯ୍ୟ କରୁଥିବା ୨୦ ପ୍ରତିଶତ ଶ୍ରମଶକ୍ତି ହେଉଛନ୍ତି ଓଡ଼ିଆ। କୋଏମ୍ବାଟୁରର ଉଦ୍ୟୋଗୀମାନଙ୍କ ଲାଗି ଓଡ଼ିଶାର ବୟନ ଓ ପୋଷାକ ଏବଂ ଇଞ୍ଜିନିୟରିଂ ଗୁଡ୍‌ସ ଶିଳ୍ପରେ ନିବେଶର ବ୍ୟାପକ ସୁଯୋଗ ରହିଛି। ଶିଳ୍ପ ନୀତିରେ ଉଦ୍ୟୋଗୀଙ୍କ ଲାଗି ବ୍ୟାପକ ସୁବିଧା ଥିବା ବେଳେ ସେମା‌ନେ ଏଠାରେ ଦକ୍ଷ ମାନବ ସମ୍ବଳ, ନିଜ ଉତ୍ପାଦ ଲାଗି ଏକ ବଡ଼ ବଜାର ଏବଂ ବିଶ୍ବସ୍ତରୀୟ ଭିତ୍ତିଭୂମି ପାଇପାରିବେ ବୋଲି ସେ କହିଛନ୍ତି।

କାର୍ଯ୍ୟକ୍ରମରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା କହିଥିଲେ ଯେ ଜାତୀୟ ହାରଠାରୁ ଓଡ଼ିଶାର ଅଭିବୃଦ୍ଧି ସର୍ବଦା ଅଧିକ ରହୁଛି। ୨୦୨୧-୨୨ରେ ରାଜ୍ୟର ରାଜସ୍ବ ବଳକା ଦେଶରେ ସର୍ବାଧିକ ଥିଲା। ୨୦୨୨-୨୩ରେ ପୁଞ୍ଜିନିବେଶ ହାସଲ କରିବାରେ ଓଡ଼ିଶା ମହାରାଷ୍ଟ୍ର ତଳକୁ ଏବଂ ଗୁଜରାଟ ଉପରକୁ ଦ୍ବିତୀୟ ସ୍ଥାନରେ ରହିଥିଲା। ଏହି ଅବସରରେ ଇପିକଲ୍‌ ଏମ୍‌ଡି ଭୂପିନ୍ଦର ସିଂହ ପୁନିଆ, ସିଆଇଆଇ ଓଡ଼ିଶାର ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, ୱାଇଆଇ ଭୁବନେଶ୍ବରର ସୋନାଲ୍ ମୋରେ, ୱାଇଆଇ କୋଏମ୍ବାଟୁରର ସହ ଅଧ୍ୟକ୍ଷ ଆର୍‌ ବିଷ୍ଣୁ ପ୍ରଭାକର ଓ ରାଜ୍ୟର ବିଭିନ୍ନ ଷ୍ଟାର୍ଟଅପ୍ ଉଦ୍ୟୋଗୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe