ଅଦାଲତରେ ଚାଟ୍‌ଜିପିଟି ବ୍ୟବହାର କରି ଅଡ଼ୁଆରେ ଆଇନଜୀବୀ

Advertisment
ଅଦାଲତରେ ଚାଟ୍‌ଜିପିଟି ବ୍ୟବହାର କରି ଅଡ଼ୁଆରେ ଆଇନଜୀବୀ

ନ୍ୟୁୟର୍କ : ମାନହଟ୍ଟନ ଅଦାଲତରେ ଜଣେ ଆଇନଜୀବୀ ଚାଟ୍‌ଜିପିଟି ବ୍ୟବହାର କରି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଅଦାଲତରେ ଆଇନଜୀବୀ ଷ୍ଟିଭେନ ସ୍କ୍ବାର୍ଜ ଯୁକ୍ତି ଉପସ୍ଥାପନ କରିବା ସମୟରେ ଏଭଳି ଏକ ଆଇନଗତ ନୋଟ୍‌ ପ୍ରସ୍ତୁତ କରିଥିଲେ ଯେଉଁଥିରେ କିଛି ନକଲି ନ୍ୟାୟିକ ମତ ରହିଥିଲା। ଏସବୁ ନୋଟ୍‌ ଆଇନଜୀବୀ ଚାଟ୍‌ଜିପିଟି ବ୍ୟବହାର କରି ପ୍ରସ୍ତୁତ କରିଥିଲେ। ଏହା ଜାଣିବା ପରେ ବିଚାରପତି କେଭିନ କାସେଲ୍‌ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କିମ୍ବା କଟକଣା ଲଗାଇବା ସଂପର୍କରେ ବିଚାର କରୁଛନ୍ତି। ଚାଟ୍‌ଜିପିଟି ପକ୍ଷରୁ ମିଳିଥିବା ଉତ୍ତର ଉପରେ ସେ ଅଧିକ ଗବେଷଣା କରି ନଥିବା କଥାକୁ ଆଇନଜୀବୀ ସ୍ବୀକାର କରିଛନ୍ତି। ଏଥିପାଇଁ ସେ ଲଜ୍ଜିତ, ଅସ୍ବସ୍ତିକର ଏବଂ ପଶ୍ଚାତାପ କରୁଛନ୍ତି ବୋଲି କହିଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ବିପଦକୁ ନେଇ ବିତର୍କ ବଢ଼ିବାରେ ଲାଗିଛି।

ସୂଚନା ଅନୁଯାୟୀ, ରବର୍ଟୋ ମାଟା ନାମକ ଜଣେ ବ୍ୟକ୍ତି ଏଭିଆନକା ଏୟାରଲାଇନ ବିରୋଧରେ ଏକ ମାମଲା ରୁଜୁ କରିଥିଲେ। ୨୦୧୯ରେ ବିମାନ ଯାତ୍ରା ସମୟରେ ଏକ ଧାତବ ଗାଡ଼ି ତାଙ୍କ ଆଣ୍ଠୁକୁ ଆଘାତ ଦେଇଥିବା ସେ ଅଭିଯୋଗ କରିଥିଲେ। ଏହି ମାମଲାର ଶୁଣାଣି ବେ‌ଳେ ତାଙ୍କ ଆଇନଜୀବୀ ଷ୍ଟିଭେନ ସ୍କ୍ବାର୍ଜ ଅଧ ଡଜନରୁ ଅଧିକ ଅଦାଲତ ନିଷ୍ପତ୍ତିକୁ ଦର୍ଶାଇଥିଲେ। କିନ୍ତୁ ତାଙ୍କ ପ୍ରତିପକ୍ଷ ଓକିଲ ଏସବୁ ମାମଲା ନପାଇବାରୁ ବିଚାରପତି ସ୍କ୍ବା‌ର୍ଜଙ୍କୁ ଏସବୁ ମାମଲାର ନକଲ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏଥିରୁ ଜଣାପଡ଼ିଥିଲା ଯେ ସେସବୁ ମାମଲା ବା ରାୟ ବାସ୍ତବ ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe